ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାର ଥିଲା ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନ । ତେବେ କୌଣସି ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି । ୧୪ ତାରିଖ ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟ ଦିବସମାନଙ୍କରେ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ନାମାଙ୍କନପତ୍ର ଗ୍ରହଣ କରାଯିବା ନେଇ ବ୍ୟବସ୍ଥା କରାଯାଇଛି । ରିଟର୍ଣ୍ଣିଂ ଅଧିକାରୀ ଭାବେ ଅତିରିକ୍ତ ଉପଜିଲ୍ଲାପାଳ ଏବଂ ସହାୟକ ଅଧିକାରୀ ଭାବେ ତିହିଡ଼ି ତହସିଲଦାରଙ୍କୁ ଦାୟିତ୍ୱ ଦିଆଯାଇଛି । ତେଣେ ଉପନିର୍ବାଚନ ପୂର୍ବରୁ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋର୍ଦାର ହୋଇଛି । ଇତିମଧ୍ୟରେ ସମସ୍ତ ବିଭାଗୀୟ ପ୍ରସ୍ତୁତି ଓ କାର୍ଯ୍ୟର ଅଗ୍ରଗତି ନେଇ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଦୁଇ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ରାମଦାସ ଟୁଡ଼ୁ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରତାପ ପ୍ରୀତିମୟ ଓ ଅତିରିକ୍ତ ନିର୍ବାହୀ ଅଧିକାରୀ (ପ୍ରଶାସନ) କୁଶଳଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖଙ୍କ ସହ ବିଡଏଓ, ତହସିଲଦାର, ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଯାହାକୁ ଯାହା ଦାୟିତ୍ୱ ଦିଆଯାଇଛି ବିଳମ୍ବ ନକରି ଯଥାଶୀଘ୍ର ଯୋଜନା ଓ ପ୍ରସ୍ତୁତି ଆରମ୍ଭ କରିବା ସହ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତିହିଡ଼ି ବ୍ଲକ୍ର ୭୧ ଓ ଧାମନଗର ବ୍ଲକ୍ର ୧୮୧; ଏହିପରି ସମୁଦାୟ ୨୫୨ ବୁଥ୍ର ନାମ ଠିକ୍ ଅଛିକି ନାହିଁ ତଦାରଖ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୁଥ୍ସ୍ତରୀୟ ସମସ୍ତ କାର୍ଯ୍ୟ ତଦାରଖ ପାଇଁ ସଂପୃକ୍ତ ବିଡିଓ ଏବଂ ତହସିଲଦାରମାନଙ୍କୁ କୁହାଯାଇଛି । ବୁଥ୍କୁ ମତଦାନ ପାଇଁ ଯାଇ ନପାରିବା ଅବସ୍ଥାରେ ଥିବା ଦିବ୍ୟାଙ୍ଗ ଏବଂ ୮୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଭୋଟରମାନଙ୍କ ପାଇଁ ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ପ୍ରଚଳନ ହେବାକୁ ଥିବା ଡ଼ାକ ଭୋଟ ବ୍ୟବସ୍ଥା ସମ୍ବନ୍ଧରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବିଏଲ୍ଓ ଓ ଅନ୍ୟ କର୍ମଚାରୀମାନଙ୍କ ଜରିଆରେ ଏ ପ୍ରକାର ଭୋଟରମାନଙ୍କୁ ଚିହ୍ନଟ ପାଇଁ ସର୍ଭେ କରାଯିବା ସହ ଡାକଭୋଟ୍ ପାଇଁ ଇଚ୍ଛୁକ ଥିବା ଭୋଟରଙ୍କ ସ୍ୱୀକୃତିପତ୍ର ସଂଗ୍ରହ କରାଯିବ । ଉକ୍ତ ବର୍ଗର ଯେଉଁ ଭୋଟରମାନେ ଡାକଭୋଟ୍ ମାଧ୍ୟମରେ ମତଦାନ ପାଇଁ ସମ୍ମତି ପ୍ରଦାନ କରିବେ ପରେ ସେମାନେ ଇଚ୍ଛା କଳେ ବି ବୁଥ୍କୁ ଯାଇ ମତଦାନ କରପାରିବେନାହିଁ । ମାର୍କ କପିରେ ସେମାନଙ୍କ ନାମ ପାଖରେ ପୋଷ୍ଟାଲ ଭୋଟ ବୋଲି ଉଲ୍ଲେଖ ରହିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି କହିଥିଲେ । ବୁଥ୍କୁ ଯିବା ପାଇଁ ନିହାତି ଅକ୍ଷମ ଥିବା ଉକ୍ତ ଦୁଇବର୍ଗର ଭୋଟରଙ୍କ ପାଇଁ ସେମାନଙ୍କ ଇଚ୍ଛାନୁସାରେ ଏହି ଭୋଟ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ । ଏହି ବ୍ୟବସ୍ଥାରେ ଘରକୁ ଘର ବୁଲି ଚିହ୍ନଟ ଭୋଟରଙ୍କ ଡାକଭୋଟ ଜରିଆରେ ମତଦାନ ସଂଗ୍ରହ କରାଯିବା ପ୍ରକ୍ରିୟା ସମ୍ବନ୍ଧରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଟୁଡ଼ୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ।
Comments are closed, but trackbacks and pingbacks are open.