ଟି-ଟ୍ବେଣ୍ଟିରେ ବିଜୟ ସହ ସିରିଜ କବଜା କଲା ଭାରତ

31

ଗୌହାଟୀ:  ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟି-ଟ୍ବେଣ୍ଟିରେ ବିଜୟ ସହ ସିରିଜ କବଜା କରିଛି ଭାରତ । ଦ୍ବିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୧୬ରନରେ ପରାସ୍ତ କରିଛି ଭାରତ । ମୁକାବିଲା ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ ସୂର୍ୟ୍ୟକୁମାର ଯାଦବ ଓ କେଏଲ ରାହୁଲ । ଦମଦାର ଇନିଂସ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ଲୋକେଶ ରାହୁଲ । ଦକ୍ଷିଣ ଆଫ୍ରିକା ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା ଭାରତ । ଦୁଇ ଓପନର ଲୋକେଶ ରାହୁଲ ଏବଂ ରୋହିତ ଶର୍ମା ଦମଦାର ସଟ ଖେଳିଥିଲେ । ଉଭୟ ଓପନିଂ ପାର୍ଟନରସିପରେ ୯.୫ ଓଭରେ ୯୬ ରନ ଯୋଡିଥିଲେ । ରୋହିତ ଶର୍ମା ୩୭ ବଲରୁ ୭ ଚୌକା ଏବଂ ଗୋଟିଏ ଛକା ସହିତ ୪୩ ରନର ଇନିଂସ ଖେଳି କେଶବ ମହାରାଜାଙ୍କ ବଲରେ ପ୍ରଥମେ ଆଉଟ୍‌ ହୋଇଥିଲେ । ତେବେ ରାହୁଲ ଦମଦାର ବ୍ୟାଟିଂ ଜାରି ରଖିବା ସହ ୨୮ ବଲରୁ ୫ଟି ଚୌକା ଏବଂ ୪ଟି ଛକା ସହ ୫୭ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଦମଦାର ଫର୍ମରେ ଥିବା ସୂର୍ୟ୍ୟକୁମାର ଯାଦବ ୧୮ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ମାତ୍ର ୨୨ ବଲରୁ ୫ଟି ଚୌକା ଏବଂ ୫ଟି ଛକା ସହିତ ୬୧ ରନର ଧୂଆଁଧାର ଇନିଂସ ଖେଳିଥିଲେ ସୂର୍ୟ୍ୟକୁମାର । ତେବେ ଦୁର୍ଭାଗ୍ୟବଶତଃ ରନ ଆଉଟ ହୋଇ ପାଭଲିଅନ ଫେରିଥିଲେ । ପରେ ବିରାଟ କୋହଲି ୨୮ ବଲରୁ ୭ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ଅପରାଜିତ ୪୯ ରନ କରିଥିଲେ । ଦିନେଶ କାର୍ତ୍ତିକ ୭ ବଲରୁ ଗୋଟିଏ ଚୌକା ଏବଂ ୨ଟି ଛକା ସହ ୧୭ ରନ କରି ଅପରାଜିତ ରହିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୩୭ ରନ୍‌ ବିଶାଳ ସ୍କୋର କରିଥିଲା ଭାରତ । ଦକ୍ଷିଣ ଆଫ୍ରିକା ଆଗରେ ୨୩୮ ରନ୍‌ର ଟାର୍ଗେଟ ଦେଇଥିଲା । ୨୩୮ ରନର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚରେ ମୁଖ୍ୟ ଆକର୍ଷଣ ଥିଲେ ଡେଭିଡ ମିଲର। ଭାରତୀୟ ବୋଲିଂ ବାହିନୀ ଉପରେ ଭୟଙ୍କର ପ୍ରହାର କରିଥିଲେ ମିଲର । ୪୭ ବଲରୁ ଅପରାଜିତ ୧୦୬ ରନ କରି ଦଳକୁ ବିଜୟ ନିକଟତର କରିଥିଲେ । ହେଲେ ଆରମ୍ଭରୁ ଦକ୍ଷିଣ ଆଫ୍ରିକାର ରନ ଗତି ମନ୍ଥର ହେବାରୁ ଶେଷ ଆଡକୁ ରନ ରେଟ ବଢିଥିଲା । ତଥାପି ମିଲର ବ୍ୟାଟି ଜାରି ରଖିଥିଲେ ହେଲେ ବିଜୟ ପାଇଁ ଆବଶ୍ୟକୀୟ ରନ ସଂଗ୍ରହ ହୋଇ ପାରିନଥିଲା । ଶେଷ ଦୁଇ ଓଭରରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୬୩ ରନ ଦରକାର ଥିଲା । ୧୯ ତମ ଓଭରରେ ବୋଲିଂ କରିଥିଲେ ଅର୍ଶଦୀପ ସିଂ । ଏହି ଓଭରରେ ମୋଟ ୨୬ ରନ ଦେଇଥିଲେ । ୨୦ ତମ ଓଭରରେ ଅକ୍ଷର ପଟେଲ ୨୦ ରନ ଦେଇଥିଲେ । ଶେଷରେ ୧୬ ରନରେ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଥିଲା ।

Comments are closed, but trackbacks and pingbacks are open.