ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂହ

159

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଯଶୱନ୍ତ ସିଂହ ଦାୟିତ୍ୱ ନେବେ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୁରଲିଧରଙ୍କର ମାଡ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ବଦଳି ହୋଇଛି । ଗତ ୨୮ତାରିଖରେ ଆୟୋଜିତ ହୋଇଥିବା ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଦେଶର ସମୁଦାୟ ୫ ବିଚାରପତିଙ୍କ ବଦଳି ନେଇ ନିଷ୍ପତ୍ତି ନିଆଯାଇଥିଲା । ଜଷ୍ଟିସ ସିଂହ ପ୍ରାୟ ଦେଢ ବର୍ଷ ହେବ ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି । ୧୯୬୧ ମସିହା ଫେବୃୟାରୀ ୨୩ରେ ହରିୟାଣାର ରୋହତକରେ ଜନ୍ମଲାଭ କରିଥିବା ଜଷ୍ଟିସ ସିଂହ ପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରିଛନ୍ତି । ଏହାପରେ ସେ ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ମୁନିଶ୍ୱର ନାଥ ଭଣ୍ଡାରୀ ଗତ ୧୨ ତାରିଖରେ ଅବସର ଗ୍ରହଣ କରିଥିବାରୁ ଉକ୍ତ ପଦ ଖାଲି ପଡ଼ିଥିଲା । ତାଙ୍କ ସ୍ଥାନରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମୁରଲିଧରଙ୍କର ସେଠାକୁ ବଦଳି ହୋଇଛି । ତେବେ ଜଷ୍ଟିସ ସିଂହ କେବେ ଓଡ଼ିଶାର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ସେ ନେଇ କିଛି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନି ।

Comments are closed, but trackbacks and pingbacks are open.