ବିଷ୍ଣୁ ଭାଇଙ୍କ ବିୟୋଗରେ ରାଜ୍ୟରେ ଏକ ଉଜ୍ଜ୍ୱଳ ଦୀପ ଲିଭିଲା – ଧର୍ମେନ୍ଦ୍ର ପ୍ରଧାନ

152

ଭଦ୍ରକ, ସେପ୍ଟେମ୍ବର ୩୦ – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଠାରେ ଓଡ଼ିଶା ବିଧାନସଭାର ପୂର୍ବତନ ବିରୋଧୀ ଦଳର ଉପନେତା ଦିବଙ୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଦ୍ୱାଦଶାହ ଉପଲକ୍ଷେ ଆୟୋଜିତ ‘ସ୍ମୃତିସଭା’ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।    

ବିଷ୍ଣୁ ସେଠୀଙ୍କ ସ୍ମୃତିରେ ପ୍ରକାଶିତ ‘ସ୍ମରଣିକା’ର ଉନ୍ମୋଚନ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ ସମସ୍ତଙ୍କର ପ୍ରିୟ ବିଷ୍ଣୁ ଭାଇଙ୍କ ବିୟୋଗରେ ରାଜ୍ୟରେ ଏକ ଉଜ୍ଜ୍ୱଳ ଦୀପ ଲିଭିଗଲା ଭଳି ମନେହେଉଛି । ସେ ନିଜ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟରେ ସାମାଜିକ କାମରେ ଯୋଗ ଦେଇଥିଲେ । ନିଜ ଅଞ୍ଚଳରେ ଗୋଟିଏ ବିଚାର ଓ ନେତୃତ୍ୱକୁ ସ୍ଥାପିତ କରିବାରେ ଜଣେ ଅନୁଷ୍ଠାନ ଥିଲେ । କେବଳ ଜଣେ ନେତା ତଥା ବିଧାୟକ ନୁହେଁ ବରଂ ସମ୍ବେଦନଶୀଳ ବ୍ୟକ୍ତିତ୍ୱ ଥିଲେ । ଗରିବ ଓ ସାଧାରଣ ଲୋକଙ୍କ ପାଇଁ ସବୁବେଳେ ଚିନ୍ତା କରୁଥିଲେ । ବିଧାନସଭାରେ ନିଜ ଲେଖା ବା କବିତା ମାଧ୍ୟମରେ ନିଜକୁ ସୃଜନଶୀଳ ବ୍ୟକ୍ତିତ୍ୱ ଭାବେ ସ୍ଥାପିତ କରିଥିଲେ । ତାଙ୍କର ନେତୃତ୍ୱ ଲମ୍ବା ସମୟ ଧରି ଆମ କାର୍ଯ୍ୟକର୍ତ୍ତାଙ୍କୁ ପ୍ରେରିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଶ୍ରୀ ପ୍ରଧାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କ ସହ ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଦିବଙ୍ଗତ ନେତାଙ୍କ ସ୍ମୃତିରେ ସଭା ପରିସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ବୃକ୍ଷରୋପଣ କରିଥିଲେ ।

Comments are closed, but trackbacks and pingbacks are open.