ନବୀନଙ୍କ ‘ମନ୍ତ୍ର’ : ଲୋକଙ୍କ ପାଖକୁ ଯାଅ, ଜନକଲ୍ୟାଣ ବାର୍ତ୍ତା ପହଞ୍ଚାଅ

139

ଭୁବନେଶ୍ୱର: ବିଜୁ ଜନତା ଦଳ ଲୋକଙ୍କ ସାଥୀରେ ଅଛି, ଲୋକଙ୍କ ସହ ମିଶି କାମ କରୁଛି । ତେଣୁ ଆପଣମାନେ ଲୋକଙ୍କ ପାଖକୁ ଯାଇ ଜନକଲ୍ୟାଣ ବାର୍ତ୍ତା ପହଞ୍ଚାଇବାକୁ ପଡ଼ିବ । ବରମୁଣ୍ଡାରେ ଦୁଇ ଦିନିଆ ପଦଯାତ୍ରା ପ୍ରସ୍ତୁତି ବୈଠକରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ‘ମନ୍ତ୍ର’ ଦେଇଛନ୍ତି ।
ଗୁରୁବାର ସ୍ଥାନୀୟ ବରମୁଣ୍ଡା ପଡ଼ିଆରେ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଦୁଇ ଦିନିଆ ପଦଯାତ୍ରା ପ୍ରସ୍ତୁତି ବୈଠକ । ପ୍ରଥମ ଦିନରେ ସାରା ରାଜ୍ୟରୁ ଦଳର ଯୁବ, ଛାତ୍ର, ମହିଳା ସଂଗଠନର କର୍ମକର୍ତ୍ତା, ଦଳର ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ ଓ ରାଜ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି । ବେଙ୍ଗାଲୁରୁରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ଆରମ୍ଭ ହେଉଥିବା ଦଳର ଏକ ମାସ ବ୍ୟାପି ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ସଂଗ୍ରାମୀଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସେହି ବରପୁତ୍ରମାନଙ୍କ ଅବଦାନ ସଂପର୍କରେ ମଧ୍ୟ ଲୋକଙ୍କୁ ସ୍ମରଣ କରାଇ ଦେବାକୁ ହେବ । ତେଣୁ ଜନସମ୍ପର୍କ ପଦଯାତ୍ରା ବେଳେ ପ୍ରତ୍ୟେକ ସ୍ଥାନରେ ମହାତ୍ମା ଗାନ୍ଧୀ ଓ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ସେଇ ଅଞ୍ଚଳର ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ତଥା ବରପୁତ୍ରଙ୍କ ପଟୋଚିତ୍ର ବା ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଦଯାତ୍ରା ସମୟରେ ବିଜେଡି ସରକାରଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ସହ ରକ୍ତଦାନ, ବୃକ୍ଷରୋପଣ ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ କାର୍ଯ୍ୟ କରିବାକୁ ପଡ଼ିବ । ଏସମସ୍ତ କାର୍ଯ୍ୟ କିଭଳି ସୁଚାରୁରୂପେ ସଫଳତାର ସହ ପ୍ରତ୍ୟେକ ସ୍ତରରେ ସଂପନ୍ନ ହେବ, ସେନେଇ ଦଳର ସମସ୍ତ କାର୍ଯ୍ୟକର୍ତ୍ତା, ସାଂସଦ, ବିଧାୟକ ଓ କର୍ମୀମାନେ ନଜର ଦେବା ଦେବା ସହ ନିଷ୍ଠାପର ଭାବେ କାର୍ଯ୍ୟକରିବାକୁ ହେବ ।
ସମାବେଶରେ ଅଧ୍ୟକ୍ଷତା କରି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଲେ ଯେ, ୧୯୯୭ ଏପ୍ରିଲ ୧୭ରେ ବିଜୁ ବାବୁଙ୍କ ଦେହାନ୍ତ ପରେ କି’ଏ ଓଡ଼ିଶାର ନେତୃତ୍ୱ ନେବ, ଏହାକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ଘୋର ନିରାଶାର ଅନ୍ଧକାର ସୃଷ୍ଟି ହୋଇଥିଲା । ଏହି ଅନ୍ଧକାର ଭିତରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଓଡ଼ିଶାକାରୀଙ୍କ ଉତ୍କଣ୍ଠା ଓ ଆକାଂକ୍ଷାର ଅନ୍ତ ଘଟାଇ ଆଶାର ଆଲୋକ ହୋଇ ଉଭା ହୋଇଥିଲେ । ବିଜୁବାବୁଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସେଦିନ ସେ ସଂକଳ୍ପ ନେଇଥିଲେ । ସେବେଠୁ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାମ କରି ଆଜି ସେ ଓଡ଼ିଶାର ବିଶ୍ୱକର୍ମା । ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶାର ବି ପ୍ରତୀକ । ଆଉ ୨୫ ବର୍ଷ ତଳେ ନବୀନ ବାବୁ ବିଜୁ ଜନତା ଦଳର ଯେଉଁ ଚାରାଟିଏ ପୋତିଥିଲେ, ତାହା ଆଜି ମହାଦ୍ରୁମରେ ପରିଣତ ହୋଇଛି । ଓଡ଼ିଶାରେ ସ୍ୱାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଏକ ସାମୂହିକ ଆନ୍ଦୋଳନର ରୂପ ନେଇଛି । ଏତେ ବର୍ଷ ପରେ ବି ଦଳ ଏହାର ପ୍ରତିବଦ୍ଧତାରୁ ବିଚ୍ୟୁତ ହୋଇନାହିଁ । ତେଣୁ ଏହି ପ୍ରତିବଦ୍ଧତାକୁ ଆଗକୁ ନେବାଲାଗି ଆମର ଉତ୍ତରଦାୟିତ୍ୱ ରହିଛି ବୋଲି କହି ପଦଯାତ୍ରାକୁ ସଫଳ କରିବା ପାଇଁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ ।
ପ୍ରାରମ୍ଭରେ ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରଦୀପ ଅମାତ, ଟୁକୁନି ସାହୁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମାବେଶକୁ ଉଦଘାଟନ କରିଥିଲେ । ବନ୍ଦେ ଉତ୍କଳ ଜନନୀ ଗାନ ହେଲା ପରେ ବୈଠକ ଆରମ୍ଭ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟଣାଣୀ, ମଙ୍ଗଳା କିଷାନ, ପଦ୍ମନାଭ ବେହେରା, ସଞ୍ଜୟ ଦାସବର୍ମା, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅଶ୍ୱିନୀ ପାତ୍ର, ରଘୁନନ୍ଦନ ଦାସ, ରୋହିତ ପୂଜାରୀ, ତୁଷାରକାନ୍ତି ବେହେରା, ବାସନ୍ତୀ ହେମ୍ରମ, ଓଡ଼ିଶା ମୋ ପରିବାର ଅରୂପ ପଟ୍ଟନାୟକ, ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ, କଟକ ମେୟର ସୁବାସ ସିଂ, ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏବଂ ଦଳର ସବୁ ବିଧାୟକ ଓ ସାଂସଦମାନେ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.