କିଟ୍‍ ବିଶ୍ୱବିଦ୍ୟାଳୟର ନୂତନ କୁଳାଧିପତି ହେଲେ ଅଶୋକ କୁମାର ପରିଜା

42

ଭୁବନେଶ୍ୱର: ବିଶିଷ୍ଟ ଆଇନଜ୍ଞ ତଥା ଓଡ଼ିଶା ଆଡ୍‍ଭୋକେଟ ଜେନେରାଲ୍‍ ଅଶୋକ କୁମାର ପରିଜା କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବେ ଯୋଗ ଦେଇଛନ୍ତି । ପ୍ରାକ୍ତନ କୁଳାଧିପତି ଖ୍ୟାତି ସମ୍ପନ୍ନ ଶିକ୍ଷାବିତ୍‍ ପ୍ରଫେସର ବେଦ ପ୍ରକାଶଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେବା ପରେ କିଟ୍‍ କର୍ତ୍ତୃପକ୍ଷ ଶ୍ରୀ ପରିଜାଙ୍କୁ କିଟ୍‍ ବିଶ୍ୱବିଦ୍ୟାଳୟର ନୂତନ କୁଳାଧିପତି ମନୋନୀତ କରିଥିଲେ । ଆଜି ଆନୁଷ୍ଠାନିକ ଭାବେ ଶ୍ରୀ ପରିଜା ଦାୟିତ୍ୱ ଗ୍ରହଣ କରିବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶ୍ରୀ ପରିଜାଙ୍କୁ ସ୍ୱାଗତ ଜଣାଇଥିଲେ । ଶ୍ରୀ ପରିଜା ଦେଶର ଜଣେ ଖ୍ୟାତି ସମ୍ପନ୍ନ ଆଇନଜୀବି ଭାବେ ପରିଚିତ । ଆଇନ୍‍ ସେବା କ୍ଷେତ୍ରରେ ତାଙ୍କର ଦୀର୍ଘ ୩୮ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ରହିଛି । ୨୦୦୩ରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବରିଷ୍ଠ ଅଧିବକ୍ତା ଭାବେ ସ୍ୱୀକୃତି ପାଇଥିଲେ ।

୨୦୧୯ରୁ ଶ୍ରୀ ପରିଜା ଆଡ୍‍ଭୋକେଟ ଜେନେରାଲ୍‍ ଭାବେ କାର୍ଯ୍ୟ କରିଆସୁଛନ୍ତି । ଏହା ପୂର୍ବରୁ ସେ ଭାରତର ଆଇନ୍‍ ବୃତ୍ତି ଓ ଆଇନ୍‍ ଶିକ୍ଷାର ସର୍ବୋଚ୍ଚ ଅନୁଷ୍ଠାନ ବାର କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ସହ ଦେଶରେ ଆଇନ୍‍ ଶିକ୍ଷାର ବିକାଶ ନିମନ୍ତେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । କୁଳାଧିପତି ଏକ ସମ୍ମାନଜନକ ଓ ଅବୈତନିକ ପଦବୀ ହୋଇଥିବା ବେଳେ ଶ୍ରୀ ପରିଜା ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ କିଟ୍‍ ବିଶ୍ୱବିଦ୍ୟାଳୟକୁ ଆବଶ୍ୟକ ପରାମର୍ଶ ପ୍ରଦାନ କରିବେ । ଏହି ପରିପ୍ରେକ୍ଷୀରେ ଶ୍ରୀ ସାମନ୍ତ କହିଛନ୍ତି, ଶ୍ରୀ ପରିଜା ଜଣେ ଲବ୍‍ଧ ପ୍ରତିଷ୍ଠିତ ଓଡ଼ିଆ ବ୍ୟକ୍ତି । ତାଙ୍କ ନେତୃତ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ଶିକ୍ଷା, ଗବେଷଣା ସହ ସାମଗ୍ରିକ ବିକାଶ କ୍ଷେତ୍ରରେ ଆହୁରି ଅଧିକ କାର୍ଯ୍ୟ କରିପାରିବ ।

ଏହି ଅବସରରେ କିଟ୍‍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପଦ୍ମଶ୍ରୀ ଡା ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା, କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ଶରଣଜିତ ସିଂହ, ଡା ସିବିକେ ମହାନ୍ତିଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ । କିଟ୍‍ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବାଠାରୁ ବିଶିଷ୍ଟ ବ୍ୟକ୍ତି ଓ ବିଶିଷ୍ଟ ଶିକ୍ଷାବିତ ସବୁବେଳେ ଏହାର କୁଳାଧିପତି ପଦରେ ରହିଆସିଛନ୍ତି । ପୂର୍ବରୁ ୟୁଜିସି ଅଧ୍ୟକ୍ଷ ପ୍ରଫେସର ହରି ଗୌତମ, ବିଶିଷ୍ଟ ଆଇନ୍‍ ଶିକ୍ଷାବିତ୍‍ ପ୍ରଫେସର ଏନ୍‍ ଏଲ୍‍ ମିତ୍ର ଓ ୟୁଜିସି ଅଧ୍ୟକ୍ଷ ପ୍ରଫେସର ବେଦ ପ୍ରକାଶ ପ୍ରମୁଖ ଏହାର କୁଳାଧିପତି ପଦ ଅଳଙ୍କୃତ କରିଆସିଛନ୍ତି । କୁଳାଧିପତି ଏକ ଅବୈତନିକ ପଦ ହୋଇଥିବାରୁ ଏହା ଶ୍ରୀ ପରିଜାଙ୍କ ଆଡ୍‍ଭୋକେଟ୍‍ ଜେନେରାଲ୍‍ ଦାୟିତ୍ୱରେ କୌଣସି ବ୍ୟାଘାତ ସୃଷ୍ଟି କରିବ ନାହିଁ ।

Comments are closed, but trackbacks and pingbacks are open.