ଅଯୋଧ୍ୟାରେ ଲତା ମଙ୍ଗେସକର ଚୌକ୍ ଉଦ୍‌ଘାଟିତ

60

ଲକ୍ଷ୍ନୌ: ବଲିଉଡ୍‌ର କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଲତା ମଙ୍ଗେସ୍‌କରଙ୍କ ଜନ୍ମଦିନ ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଅଯୋଧ୍ୟା ସହରରେ ନବନିର୍ମିତ ‘ଲତା ମଙ୍ଗେସ୍‌କର ଚୌକ୍‌’କୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି.କିଶାନ ରେଡ୍ଡି ମଧ୍ୟ ଉପସ୍ଥିତ ଥିଲେ । ୭.୯ କୋଟି ଟଙ୍କା ବ୍ୟୟରେ ସରଯୁ ନଦୀକୂଳରେ ଥିବା ଏକ ଚାରିଛକିଆ ରାସ୍ତାରେ ଏହି ଚୌକ୍ ନିର୍ମାଣ କରାଯାଇଛି । ଉକ୍ତ ଛକରେ ୪୦ ଫୁଟ୍ ଲମ୍ବ, ୧୨ ଫୁଟ ଉଚ୍ଚତା ଓ ୧୪ ଟନ୍ ଓଜନ ବିଶିଷ୍ଟ ବିରାଟକାୟ ବୀଣାକୁ ମଧ୍ୟ ସ୍ଥାନିତ କରାଯାଇଛି । ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସ୍ଥପତି ରାମ ସୁତାର ଏହି ବୀଣାକୁ ନିର୍ମାଣ କରିଛନ୍ତି । ପର୍ଯ୍ୟଟକ ଓ ସଙ୍ଗୀତପ୍ରେମୀଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଆଦିତ୍ୟନାଥ ଆଶାବ୍ୟକ୍ତ କରିଛନ୍ତି । ଲତାଙ୍କ ଜନ୍ମଦିନରେ ଏହି ମହାନ ଗାୟିକାଙ୍କୁ ଏଭଳି ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଛନ୍ତି । ଭାରତ ରତ୍ନରେ ସମ୍ମାନିତ ଲତାଙ୍କର ଚଳିତବର୍ଷ ଫେବୃଆରୀ ୬ରେ ୯୨ ବର୍ଷ ବୟସରେ ପରଲୋକ ଘଟିସାରିଛି ।

Comments are closed, but trackbacks and pingbacks are open.