ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ଫାର୍ମାସିଷ୍ଟଙ୍କ ଭୂମିକା ଉପରେ ଗୁରୁତ୍ୱ

46

ଭୁବନେଶ୍ୱର, ୨୫/୦୯: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରବିବାର ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କର ଭୂମିକାକୁ ନେଇ ଗୁରୁତ୍ୱାରୋପ କରାଯାଇଛି ।
ଫାର୍ମାସିଷ୍ଟମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜଟିଳ ଭୂମିକା ତୁଲାଇଥାନ୍ତି ଏବଂ ସାରା ବିଶ୍ୱରେ କୋଭିଡ ମହାମାରୀର କରାଳଛାୟା ରହିଥିବା ବେଳେ ରୋଗୀ ସେବା କ୍ଷେତ୍ରରେ ସେମାନଙ୍କର କାର୍ଯ୍ୟ ପ୍ରଶଂସନୀୟ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ତଥା କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଶ୍ରୀମତି ଶାଶ୍ୱତୀ ଦାସ ।

ଏକ ସୁସ୍ଥ ବିଶ୍ୱ ଗଢ଼ିବା ନିମନ୍ତେ ଫାର୍ମାସିଷ୍ଟମାନଙ୍କୁ ଏକତ୍ରିତ ହେବାକୁ ପଡ଼ିବ ବୋଲି କହିବା ସହ ମହାମାରୀ ଯୁଦ୍ଧ ବିରୁଦ୍ଧରେ ସେମାନଙ୍କର ନିରବଚ୍ଛିନ୍ନ କାର୍ଯ୍ୟ ପାଇଁ ସେମାନଙ୍କୁ ଶ୍ରୀମତି ଦାସ ପ୍ରଶଂସା କରିଥିଲେ ।
ସେପ୍ଟେମ୍ବର ୨୫ ରେ ଆନ୍ତର୍ଜାତିକ ଫାର୍ମାସ୍ୟୁଟିକାଲ୍ ଫେଡେରେସନ୍‌ର ପ୍ରତିଷ୍ଠା ହୋଇଥିବାରୁ ଏହାକୁ ବିଶ୍ୱ ଫାର୍ମାସିଷ୍ଟ ଦିବସ ରୂପେ ପାଳନ କରାଯାଏ । ୨୦୧୯ରେ ତୁର୍କୀର ଇସ୍ତାନବୁଲ ସହରରେ ୱାର୍ଲ୍ଡ କଂଗ୍ରେସ୍ ଅଫ୍ ଫାର୍ମାସୀ ଆଣ୍ଡ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌ର ନିଷ୍ପତି ଅନୁଯାୟୀ ଏହି ଦିବସ ପାଳନ କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଫାର୍ମାସିଷ୍ଟମାନଙ୍କୁ ଏକ ସ୍ତମ୍ଭ ବୋଲି ଦର୍ଶାଇଥିଲେ ।
ସେହିପରି ବେଦକୁ ସର୍ବପୁରାତନ ବିଜ୍ଞାନ ବୋଲି ଦର୍ଶାଇ ସେ କହିଥିଲେ ଯେ ଆର‌୍ୟୁବେଦ ହେଉଛି ଅଥର୍ବ ବେଦର ଏକ ଅଂଗ ଏବଂ ଏହା ଖ୍ରୀଷ୍ଟପୂର୍ବ ୨୮୦୦ରେ ରଚନା କରାଯାଇଥିଲା । ତେବେ ବର୍ତମାନ ବିଶ୍ୱରେ ନୂଆ ନୂଆ ରୋଗର ପ୍ରତିଷେଧକ ନିମନ୍ତେ ନୂତନ ଔଷଧ ଆବିଷ୍କାରର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ବିଶ୍ୱର ତିନି ଚତୁର୍ଥାଂଶ ଯକ୍ଷ୍ମା ରୋଗୀ କେବଳ ଭାରତରେ ଥିବା ବେଳେ ଏମାନଙ୍କ ମଧ୍ୟରୁ ଅନେକ ଡ୍ରଗ୍ ରେଜିଷ୍ଟାଂଟ ଯକ୍ଷ୍ମା ରୋଗରେ ପୀଡ଼ିତ । ତେଣୁ ଏମାନଙ୍କ ପାଇଁ ନୂତନ ଔଷଧ ଆବିଷ୍କାରର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଏହି ଅବସରରେ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)ର ଡିନ୍ ପ୍ରଫେସର ସୁଦାମ ଚରଣ ସି ନିଜ ବକ୍ତବ୍ୟରେ ଚଳିତବର୍ଷ ୱାର୍ଲ୍ଡ ଫାର୍ମାସିଷ୍ଟ ଡେ’ର ପ୍ରସଙ୍ଗ “ ୟୁନାଇଟେଡ୍ ଇନ୍ ଆକ୍ସନ୍ ଫର୍ ଏ ହେଲ୍‌ଦିୟର ୱାର୍ଲ୍ଡ” ସମ୍ପର୍କରେ ତଥ୍ୟ ରଖିଥିଲେ ।
ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଫାର୍ମାସୀକୁ ଏକ ୨୪ ଘଂଟିଆ ଜରୁରୀକାଳୀନ ସେବା ବୋଲି ଦର୍ଶାଇ ଜଟିଳ ଚିକିତ୍ସା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ଏହି ଅବସରରେ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବଦାନ ନିମନ୍ତେ ଫାର୍ମାସିଷ୍ଟମାନଙ୍କୁ ପ୍ରଶଂସା କରିଥିଲେ ।
ହସ୍ପିଟାଲ୍‌ର ଫାର୍ମାସୀ ବିଭାଗର ମୁଖ୍ୟ ଡାକ୍ତର ଯସ୍ମୀନ୍ ପଣ୍ଡା ଫାର୍ମାସିଷ୍ଟମାନଙ୍କୁ ଫାର୍ମାସୀ ଶପଥ ପାଠ କରାଇଥବା ବେଲେ ୮ ଜଣ ଫାର୍ମାସିଷ୍ଟମାନଙ୍କୁ ୨୦୨୧-୨୨ ପାଇଁ ଶ୍ରେଷ୍ଠ କର୍ମଚାରୀ ଭାବେ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମଟି ସୋଆ ଫାର୍ମାସୀ ଏବଂ ସମ୍ ଫାର୍ମାସୀ ଦ୍ୱାରା ଆୟୋଜିତ ହୋଇଥିଲା ।
ପୂର୍ବରୁ ରଂଗୋଲୀ, ମେହେନ୍ଦୀ, ପ୍ରବନ୍ଧ ପ୍ରତିଯୋଗିତା ସମେତ କ୍ରିକେଟ ମ୍ୟାଚ୍‌ର ଆୟୋଜନ କରାଯାଇଥିବା ବେଳେ କୃତି ପ୍ରତିଯୋଗୀମାନଙ୍କୁ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯାଇଥିଲା ।

Comments are closed, but trackbacks and pingbacks are open.