କିମ୍‍ସରେ ଆର୍ଥ୍ରୋପ୍ଲାଷ୍ଟି ସମ୍ମିଳନୀ

65

ଭୁବନେଶ୍ୱର,୨୦ା୯: ଅର୍ଥ୍ରୋପ୍ଲାଷ୍ଟି ଅସ୍ତ୍ରୋପଚାର ଓ ପ୍ରତିରୋପଣରେ ଅଧିକାଂଶ ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଧାତୁର ବ୍ୟବହାର କରାଯାଏ । କାରଣ ଏହି ଧାତୁଗୁଡ଼ିକ ପ୍ରତିରୋପଣର ମୌଳିକ ଉପାଦାନ । ଏହି ଉପାଦାନଗୁଡ଼ିକର ଅବକ୍ଷୟ ହେତୁ ସଂକ୍ରମଣ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ । ଅଧିକାଂଶ କ୍ଷେତ୍ରରେ ବୟସ୍କମାନେ ମଧୁମେହ, ଆର୍ଥାଇଟିସ୍  କିମ୍ବା ଏକକାଳୀନ ଦୁଇ କିମ୍ବା ଅଧିକ ରୋଗର ଉପସ୍ଥିତି (କୋମୋରବିଡିଟିସ୍‌) ଯୋଗୁଁ ନାନା ଗଣ୍ଠି ସମସ୍ୟାର ସମମ୍ମୁଖୀନ ହୋଇଥାନ୍ତି । ସମୟକୁ ସମୟ ଆଲୋଚନା ମାଧ୍ୟମରେ ଏହି ସବୁ ସମସ୍ୟାଗୁଡ଼ିକର ସମାଧାନ କରାଯାଇପାରିବ ବୋଲି କିମ୍‍ସରେ ଅନୁଷ୍ଠିତ ଦୁଇ ଦିନିଆ ରାଜ୍ୟସ୍ତରୀୟ କର୍ମଶାଳାରେ ଅର୍ଥ୍ରୋପ୍ଲାଷ୍ଟ ସର୍ଜନମାନେ ମତ ପ୍ରକାଶ କରିଛନ୍ତି । ଏହି କର୍ମଶାଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଖ୍ୟାତି ସମ୍ପନ୍ନ ଆର୍ଥ୍ରୋପ୍ଲାଷ୍ଟ ସର୍ଜନ ଯୋଗ ଦେଇ ଅର୍ଥ୍ରୋପ୍ଲାଷ୍ଟି ଅସ୍ତ୍ରୋପଚାର ଓ ପ୍ରତିରୋପଣ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଭାରତୀୟ ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନର ସଭାପତି ଡା. ରାଜୀବ ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅର୍ଥ୍ରୋପ୍ଲାଷ୍ଟି ସର୍ଜନମାନେ ମିଳିତଭାବେ ପ୍ରତିରୋପଣ, ଅସ୍ତ୍ରୋପଚାର ଚ୍ୟାଲେଞ୍ଜ ଏବଂ ଜଟିଳତା ଉପରେ ଧ୍ୟାନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ । ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀରୁ ସୃଷ୍ଟି ହେଉଥିବା ବିପଦ ଏବଂ ଜଟିଳତାକୁ କମ୍ କରିବା ଦିଗରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା ।

କିମସ୍ ଅର୍ଥୋପେଡିକ୍ସ ବିଭାଗ ମୁଖ୍ୟ ତଥା ଓଡ଼ିଶା ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନର ସଭାପତି ପ୍ରଫେସର ଡା. ତନ୍ମୟ ମହାନ୍ତି ଏହା ଉପରେ ଅଧିକ ଆଲୋଚନା କରିବା ସହ ଏଭଳି ସମ୍ମିଳନୀ ଦ୍ୱାରା ଯୁବ ଆର୍ଥ୍ରୋ-ସର୍ଜନମାନେ ବରିଷ୍ଠଙ୍କଠାରୁ ଅଭିଜ୍ଞତା ହାସଲ କରିବାରେ ସହାୟକ ହୋଇପାରିବ ବୋଲି କହିଥିଲେ । ଏଥିରେ ଓଡ଼ିଶା ଅର୍ଥୋପେଡିକ୍ ଆସୋସିଏସନ୍ ସଭାପତି ଡା. ଆରକେ ମହାପାତ୍ର, ସମ୍ପାଦକ ଡା. ବସନ୍ତ କୁମାର ବେହେରା ଏବଂ ଓଡ଼ିଶା ଆର୍ଥ୍ରୋପ୍ଲାଷ୍ଟି ଆସୋସିଏସନ ସମ୍ପାଦକ ଡା. ଦେବବ୍ରତ ପାଢ଼ୀ, ଡା. ଧନସେଖର ରାଜା, ଡା. ଅନୀଲ ଓମେନ, ଡା. ସ୍ୱର୍ଣ୍ଣେନ୍ଦୁ ସାମନ୍ତ, ଡା. ସଞ୍ଜୀବ ବେହେରା, ଡା. ବିଏସ୍ ମୂର୍ତ୍ତି ଏବଂ ଡା. ଶୁଭ୍ରାଂଶୁ ଏସ୍ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

ଏହି ଆଲୋଚନାଚକ୍ରର ଆୟୋଜନ କମିଟି ଅଧ୍ୟକ୍ଷ ଡା. ଦେବାଶିଷ ମିଶ୍ର, ସମ୍ପାଦକ ଡା. ଶାଶ୍ୱତ ସାମନ୍ତ, ସହ-ସମ୍ପାଦକ ଡା. ସୌରଭ ନାରାୟଣ ନନ୍ଦ, ସାଇଣ୍ଟିଫିକ୍‍ କମିଟିର ସଭାପତି ଡା. ସନ୍ତୋଷ ରଥଙ୍କ ସମେତ ବହୁ ବିଶେଷଜ୍ଞ ଯୋଗ ଦେଇଥିବା ବେଳେ ଆର୍ଥ୍ରୋପ୍ଲାଷ୍ଟି ଉପରେ ପିଜିସ୍ତରୀୟ କୁଇଜ୍ ପ୍ରତିଯୋଗିତା, କେସ୍ ଭିତ୍ତିକ ଆଲୋଚନା, ଉପଦେଶମୂଳକ ବକ୍ତୃତା ଏବଂ ଲାଇଭ୍ ସର୍ଜରୀ ଅନୁଷ୍ଠିତ ହୋଇଥିଲା ।

Comments are closed, but trackbacks and pingbacks are open.