ସାଇନିଙ୍ଗ୍‍ ସନ୍‍ଗ୍ଲାସ୍‍

17

ସମୟ ଥିଲା ମହିଳା ଓ ଯୁବତୀମାନେ ଚଷମା ପିନ୍ଧିବା ଲାଗି ନାପସନ୍ଦ କରୁଥିଲେ । ଆମ ଓଡ଼ିଶାରେ ଚଷମା ପିନ୍ଧୁଥିବା ନାରୀମାନଙ୍କୁ ଚାରି ଆଖିଆଣି ବୋଲି କଟୁମନ୍ତବ୍ୟ ଦିଆଯାଉଥିବାରୁ କେବଳ ବୟସ୍କା ବୃଦ୍ଧାମାନଙ୍କ ବ୍ୟତୀତ ଅନ୍ୟ କେହି ଯୁବତୀ ଓ ମହିଳା ଚଷମା ପିନ୍ଧିବାକୁ ଭଲ ପାଉନଥିଲେ । ଏମିତିକି ଆଖି ଖରାପ ହୋଇଯାଇଥିଲେ ମଧ୍ୟ ଚଷମା ପିନ୍ଧୁନଥିଲେ । ଯେଉଁମାନେ ଆଖି ଖରାପ ପାଇଁ ଚଷମା ପିନ୍ଧୁଥିଲେ ସେମାନେ କେବଳ ନିର୍ଦ୍ଦିଷ୍ଟ ସମୟ ପାଇଁ ଅଥବା ଅନ୍ୟମାନଙ୍କୁ ଲୁଚାଇ ଚଷମା ପିନ୍ଧୁଥିଲେ । ହେଲେ ଏବେ ସମୟ ବଦଳିଛି । ଚଷମା କେବଳ ଆଖି ଖରାପ ପାଇଁ ନୁହେଁ, ଫ୍ୟାସନ୍‍ ପାଇଁ ଚଷମା ପିନ୍ଧିବାକୁ ଆଧୁନିକ ଯୁଗର ଯୁବତୀ ଓ ମହିଳାମାନେ ଆଗଭର ହେଉଛନ୍ତି । ମହିଳା ଓ ଯୁବତୀମାନଙ୍କର ଏଭଳି ଆଗ୍ରହକୁ ଦୃଷ୍ଟିରେ ରଖି ବହୁ ନାମୀଦାମୀ କମ୍ପାନୀ ବିଭିନ୍ନ ଡିଜାଇନ୍‍ର ଫ୍ରେମ୍‍ ସାଙ୍ଗକୁ ରଙ୍ଗବେରଙ୍ଗର କାଚ ଓ ଫାଇବର୍‍ରେ ଚଷମା ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି । ଅନେକ ଚଷମା ରହିଛି ଯେଉଁଥିରେ ସାମାନ୍ୟ ଆଲୋକ ପଡ଼ିବା ମାତ୍ରେ ଚିକ୍‍ମିକ୍‍ ମାରିଥାଏ ଏବଂ ଉଜ୍ଜ୍ୱଳ ଦିଶିଥାଏ । ଏଭଳି ଚଷମାକୁ ଆଜିର ଉଗ୍ର ଆଧୁନିକା ଯୁବତୀମାନେ ବହୁଳ ଭାବରେ ବ୍ୟବହାର କରୁଥିବା ଦେଖାଯାଉଛି ।
ଗବେଷକମାନଙ୍କ ମତରେ ସାଇନିଙ୍ଗ୍‍ ସନ୍‍ଗ୍ଲାସ୍‍ କେବଳ ଫ୍ୟାସନ୍‍ ପାଇଁ ନୁହେଁ, ଏହା ଆଖିକୁ ସୁରକ୍ଷା ପ୍ରଦାନ କରିଥାଏ । ଦିନକୁ ଦିନ ପ୍ରଦୂଷଣର ମାତ୍ରା ବଢ଼ି ବଢ଼ି ଚାଲିଥିବାରୁ ଚଷମା ପିନ୍ଧିବା ଦ୍ୱାରା ଧୂଳିକଣାଗୁଡ଼ିକ କବଳରୁ ଆଖିକୁ ସୁରକ୍ଷା ମିଳିଥାଏ । ସେହିପରି ସୂର୍ଯ୍ୟଙ୍କ ରଶ୍ମି ଆମ ଆଖି ଉପରେ ପଡ଼ିବା ମଧ୍ୟ କ୍ଷତିକାରକ ହୋଇଥାଏ । କାରଣ ସୂର୍ଯ୍ୟଙ୍କ କିରଣରେ ଥିବା ଅତିବାଇଗଣୀ ରଶ୍ମି ଆଖି ଉପରେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ । ଏହି କାରଣରୁ ଯେ କୌଣସି ବର୍ଗର ମହିଳା ଓ ଯୁବତୀ ସନ୍‍ଗ୍ଲାସ୍‍ ପିନ୍ଧିବା ନିହାତି ଆବଶ୍ୟକ । ସମ୍ପ୍ରତି ଏଭଳି ସମସ୍ୟାକୁ ରୋକିବା ଲାଗି ପୋଲାରାଇଜ୍‍ଡ ଆଣ୍ଟି ଗ୍ଲେୟର୍‍ ସନ୍‍ଗ୍ଲାସେଜ୍‍ ବହୁ ଉପଯୋଗୀ ହୋଇପାରିଛି । ଏହା ଆଖିକୁ ଆରାମ ପ୍ରଦାନ କରିବା ସାଙ୍ଗକୁ ଆଲୋକ ଛିଟାକୁ ରୋକିପାରିଥାଏ । ଏହାର ଫଟୋକ୍ରୋମିକ୍‍ ଲେନ୍ସରେ ସିଲ୍‍ଭର୍‍ କ୍ଲୋରାଇଡ଼୍‍ ଅଥବା ସିଲ୍‍ଭର୍‍ ହୈଲାଇଡ଼ ସଂଯୁକ୍ତ କରାଯାଇଥାଏ । ଯେତେବେଳେ ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମି ଉକ୍ତ ଚଷମା କାଚକୁ ସ୍ପର୍ଷ କରେ ସେଠାରେ ଏକ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି ହୋଇ ଚଷମା କାଚର ରଙ୍ଗକୁ ବଦଳାଇ ଆଖିକୁ ସୁରକ୍ଷା ଯୋଗାଇଥାଏ ।
ଷ୍ଟାଇଲ୍‍ ଦୃଷ୍ଟିରୁ ପତଳା ଝିଅମାନେ ଛୋଟ ସାଇଜ୍‍ର ଚଷମା ପିନ୍ଧିବା ଭଲ । ସେହିପରି ମୋଟି ଝିଅମାନେ ବଡ଼ ଓ ଓସାରିଆ ଫ୍ରେମ୍‍ ଥିବା ଚଷମା ଲଗାଇପାରିବେ । ମେଟାଲ୍‍ ଅପେକ୍ଷା ପ୍ଲାଷ୍ଟିକ୍‍ ପ୍ରସ୍ତୁତ ଫ୍ରେମ୍‍ ସାଙ୍ଗକୁ ଫାଇବର୍‍ ଲେନ୍ସ ଥିବା ଚଷମା ଲଗାଇବା ଭଲ । କାରଣ ଏଭଳି ଧରଣର ଚଷମା ପିନ୍ଧିବା ଲାଗି ହାଲ୍‍କା ଓ ଆରାମ ଲାଗିଥାଏ ଏବଂ ନାକର ଦୁଇ ପାଶ୍ୱର୍ରେ ଦାଗ ପଡ଼ିନଥାଏ । ଅପର ପକ୍ଷରେ କାଚ ଲେନ୍ସ ଓ ମେଟାଲ୍‍ ଫ୍ରେମ୍‍ର ଚଷମା ପିନ୍ଧିବା ଦ୍ୱାରା ଆଖିକୁ ଭାରି ଲାଗିବା ସାଙ୍ଗକୁ ନାକର ଦୁଇ ପାଶ୍ୱର୍ରେ ଦାଗ ପଡ଼ିଯାଏ । ଅନେକ ସମୟରେ କାଚ ଲେନ୍ସ ଥିବା ଚଷମା ଆକଷ୍ମିକ ଭାବେ ତଳେ ପଡ଼ିଯିବା ଦ୍ୱାରା ଭାଙ୍ଗିଯାଇଥାଏ । ଫାଇବର୍‍ ଲେନ୍ସ ସଂଯୁକ୍ତ ହୋଇଥିବା ଚଷମା ତଳେ ପଡ଼ିଗଲେ ସ୍କାର୍ଚ ହୋଇଯାଏ । ତେଣୁ ଚଷମା ବ୍ୟବହାର କରିବା ବେଳେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।

Comments are closed, but trackbacks and pingbacks are open.