ଭାରତରେ ଗଡ଼ିବ ହାଇଡ୍ରୋଜେନ୍ ଟ୍ରେନ୍‌:ରେଳମନ୍ତ୍ରୀ

44

ଭୁବନେଶ୍ୱର: ଆସନ୍ତା ସ୍ୱାଧୀନତା ଦିବସ ଅବସରରେ ଭାରତରେ ଗଡ଼ିବ ପ୍ରଥମ ସ୍ୱଦେଶୀ ନିର୍ମିତ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ । ଏହି ଟ୍ରେନ୍‌ଟିକୁ ଭାରତରେ ହିଁ ପ୍ରସ୍ତୁତି, ନିର୍ମାଣ ଓ ରୂପ ଦିଆଯାଉଛି ବୋଲି ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ ଓ ସୂଚନା ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଭାରତ ବିଶ୍ୱର ସବୁଠାରୁୁ ଉତ୍କୃଷ୍ଟ ଧରଣର ଟ୍ରେନ୍ ନିର୍ମାଣ କରିବାରେ ସକ୍ଷମ ହୋଇପାରିଛି ଏବଂ ଆଗାମୀ ୨୦୨୩ ସ୍ୱାଧୀନତା ଦିବସରେ ହାଇଡ୍ରୋଜେନ୍ ଇନ୍ଧନ ଚାଳିତ ଟ୍ରେନ୍ ଭାରତରେ ଗଡ଼ିବା ଆଉ ଏକ ସଫଳ କାହାଣୀ ହେବାକୁ ଯାଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୨୦ ବର୍ଷର ନେତୃତ୍ୱକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ “ମୋଦୀ ଅ ୨୦ – ଡ୍ରିମ୍ସ ମିଟ୍ ଡେଲିଭରୀ’ରେ ସେ ଏହି ସୂଚନା ଦେଇଛନ୍ତି ।
ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ନିର୍ମିତ ଏକ ଟ୍ରେନ୍ ବିଶ୍ୱର ଶ୍ରେଷ୍ଠ ୫ଟି ଟ୍ରେନ୍ ମଧ୍ୟରୁ ଅନ୍ୟତମ ଏବଂ ଏହା ଘଣ୍ଟା ପ୍ରତି ୧୮୦ କିମି ବେଗରେ ଯାତ୍ରା କରିପାରିବ । ଏହି ଟ୍ରେନ୍‌ଟି ବିଭିନ୍ନ ମାପଦଣ୍ଡରେ ଅନ୍ୟ ଟ୍ରେନ୍‌ଗୁଡିକ ଠାରୁ ଉଚ୍ଚକୋଟୀର ବୋଲି ସେ କହିଛନ୍ତି ।
ସେହିପରି “ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଟ୍ରେନ୍ ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ ଏହି ଟ୍ରେନ୍‌ଟି ଶୂନରୁ ୧୦୦ କିମି ବେଗ ପହଞ୍ଚିବା ପାଇଁ ମାତ୍ର ୫୨ ସେକେଣ୍ଡ ନେଉଥିବା ବେଳେ ଜାପାନ୍‌ରେ ନିିର୍ମିତ ବୁଲେଟ୍ ଟ୍ରେନ୍ ଏଥି ପାଇଁ ୫୫ ସେକେଣ୍ଡ ନେଉଛି ।
ପ୍ରଧାନମନ୍ତ୍ରୀ ଦେଶର ଇଞ୍ଜିନିୟରମାନଙ୍କୁ ବିଶ୍ୱସ୍ତରୀୟ ଟ୍ରେନ୍ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ଟ୍ରେନ୍‌ଗୁଡ଼ିକ ସୁରକ୍ଷିତ ଓ ସ୍ଥିର ହେବା ସହ କମ୍ ଇନ୍ଧନ ବ୍ୟବହାର କରିବା ଆବଶ୍ୟକ ଓ ବେଗ ଖୁବ ଭଲ ହେବା ଦରକାର ବୋଲି ପରାମର୍ଶ ଦେଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଏହି ଟ୍ରେନ୍‌ର ନକ୍‌ସା ଓ ଆବଶ୍ୟକୀୟ ଉପକରଣ ବିକଶିତ ଦେଶଗୁଡ଼ିକରୁ ଆମଦାନୀ କରିବା ନେଇ ଇଞ୍ଜିନିୟରମାନେ ଚିନ୍ତା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ଟ୍ରେନ୍‌ଗୁଡ଼ିକ ଆମ ଦେଶରେ ହିଁ ନିର୍ମାଣ କରିବା ନେଇ ଜୋର ଦେଇଥିଲେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆର ପ୍ରଫେସର ବସନ୍ତ କୁମାର ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇଥିଲେ । ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Comments are closed, but trackbacks and pingbacks are open.