୮ବର୍ଷ ଧରି ଗଡୁଛି ମାମଲା, ସରକାରଙ୍କ ଉତ୍ତର ନାହିଁ

32

ଭୁବନେଶ୍ୱର: ଯୋଗ୍ୟତା ଓ ମେଧା ତାଲିକାରେ ଢ଼େର୍‍ ଉପରେ ଥିବା ପ୍ରାର୍ଥୀଙ୍କୁ ନିଯୁକ୍ତି ନ ଦେଇ ସେମାନଙ୍କଠାରୁ କମ୍‍ ଯୋଗ୍ୟତା ସଂପନ୍ନ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବା ପରେ ନ୍ୟାୟ ପାଇଁ ବାରମ୍ବାର ସରକାରୀ କଳ ନିକଟରେ ଗୁହାରି କରି ବ୍ୟର୍ଥ ହେବା ପରେ ତ୍ୱରିତ ନ୍ୟାୟ ଲାଗି କିଛି ଡିପ୍ଲୋମା ଇଞ୍ଜିନିୟର ଯୁବକ ଆଇନ ଅଦାଲତର ଆଶ୍ରୟ ନେଇଛନ୍ତି ୨୦୧୪ ମସିହାରୁ । ଇତିମଧ୍ୟରେ ୮ବର୍ଷ ବିତିଯାଇଥିଲେ ମଧ୍ୟ ସ୍ୟାଟ୍‍ କିମ୍ବା ହାଇକୋର୍ଟରେ କର୍ତ୍ତୃପକ୍ଷ ଉତ୍ତର ଦାଖଲ କରୁନଥିବାରୁ ମାମଲା ଫଏସଲାରେ ଅହେତୁକ ବିଳମ୍ବ ଘଟୁଛି । ଏ ପ୍ରସଙ୍ଗରେ ଗତ ମାସରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶେଷ ସୁଯୋଗ ଭାବେ ମାସେ ସମୟ ପ୍ରଦାନ କରିଥିଲେ ମଧ୍ୟ କର୍ତ୍ତୃପକ୍ଷ ଉତ୍ତର ଦାଖଲ କରିନଥିବାରୁ ଆଜି ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ ସରକାରୀ ଓକିଲଙ୍କ ଅନୁରୋଧ କ୍ରମେ ଶେଷଥର ଲାଗି ଆଉ ମାସେ ସମୟ ପ୍ରଦାନ କରିଛନ୍ତି ।
ମାମଲା ଫଏସଲା କ୍ଷେତ୍ରରେ ସରକାରୀ କଳର ନିଷ୍କ୍ରିୟତା ଏଥିରୁ ବାରିହୋଇ ପଡୁଥିବା ବେଳେ ୮ବର୍ଷ ଧରି କୋର୍ଟ କଚେରୀ ଦୌଡି ଇତିମଧ୍ୟରେ ଆବେଦନକାରୀଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମାମଲାର ବିବରଣୀରୁ ପ୍ରକାଶ ଯେ ପଛୁଆବର୍ଗଙ୍କ ପାଇଁ ଥିବା ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଆଇନକୁ ଆଇନ ଅଦାଲତ ଖାରଜ କରିଦେଇଥିବା ବେଳେ ନୂଆ ବ୍ୟବସ୍ଥା ଗ୍ରହଣ ନ କରି ରାଜ୍ୟ ସରକାର ଡିପ୍ଲୋମା ଇଞ୍ଜିନିୟର୍ସ ପ୍ୟାନେଲରୁ କନିଷ୍ଠ ଯନ୍ତ୍ରୀ ପଦବୀ ପୂରଣ ପାଇଁ ୨୦୧୩ରେ ପ୍ରକ୍ରିୟା ଆରମ୍ଭ କରିଥିଲେ । ଏଥିରେ କେଉଁ ବିଭାଗ ପଛୁଆବର୍ଗଙ୍କ ପାଇଁ କେତେ ପ୍ରତିଶତ ସଂରକ୍ଷଣ ରଖିଲେ ସେଥିମଧ୍ୟରେ କିଛି ସାମଞ୍ଜସ୍ୟ ନଥିଲା । ଏହି ବର୍ଗଙ୍କ ପାଇଁ ସଂରକ୍ଷଣ ଆଇନ ବାତିଲ୍‍ ହୋଇଥିବା ବେଳେ ପ୍ୟାନେଲରୁ ବିଭିନ୍ନ ବର୍ଗର ଏସସି, ବିସି ବିଭିନ୍ନ ବର୍ଗର ଅନେକ ପ୍ରାର୍ଥୀଙ୍କ ନାମ ପଞ୍ଚାୟତିରାଜ ବିଭାଗର ଚାହିଦା ମୁତାବକ ପଠାଯାଇଥିଲା । ତେବେ ବିଭାଗୀୟ କର୍ତ୍ତୃପକ୍ଷ ଅଧିକ ନମ୍ବର ରଖିଥିବା ପ୍ୟାନେଲର ଏସ୍‍ସି, ବିସି ପ୍ରାର୍ଥୀଙ୍କ ମଧ୍ୟରୁ ଶତାଧିକଙ୍କୁ ନିଯୁକ୍ତି ନ ଦେଇ ସେମାନଙ୍କଠାରୁ ଢ଼େର୍‍ କମ୍‍ ନମ୍ବର ରଖିଥିବା ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇଥିଲେ ।
ରାଜ୍ୟ ସରକାରଙ୍କ ନିଜସ୍ୱ ନିୟମ ଏବଂ ସୁପ୍ରିମକୋର୍ଟଙ୍କ ମତ ଅନୁଯାୟୀ ଅଣସଂରକ୍ଷିତ ଆସନ ସବୁ ସଂରକ୍ଷିତ ବର୍ଗଙ୍କ ସମେତ ସମସ୍ତ ପ୍ରାର୍ଥୀଙ୍କ ଲାଗି ଖୋଲା ଥାଏ । ଯିଏ ଯୋଗ୍ୟତା ତାଲିକାରେ ଅଧିକ ନମ୍ବର ରଖିଥାଏ ତାହାଙ୍କୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆଗେ ଅଣସଂରକ୍ଷିତ ପ୍ରାର୍ଥୀ ଭାବେ ନିଯୁକ୍ତି ଦିଆଯିବା ପରେ କମ୍‍ ନମ୍ବର ରଖିଥିବା ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବା କଥା । ତେବେ ଏ କ୍ଷେତ୍ରରେ ପଞ୍ଚାୟତିରାଜ ବିଭାଗ ଆଇନ ବ୍ୟବସ୍ଥାର ଉଲ୍ଲଂଘନ କରିଥିବା ଦର୍ଶାଇ ଚାକିରିରୁ ବଞ୍ôଚତ ହୋଇଥିବା କେତେକ ଏସସି, ବିସି ପ୍ରାର୍ଥୀ ୨୦୧୪ ମସିହାରେ ସ୍ୟାଟରେ ମାମଲା ରୁଜୁ କରିଥିଲେ । ଆଇନଗତ ବ୍ୟବସ୍ଥା ମୁତାବକ ନୋଟିସ୍‍ ପାଇବାର ମାସକ ମଧ୍ୟରେ ସରକାରୀ କର୍ତ୍ତୃପକ୍ଷ ଉତ୍ତର ଦାଖଲ କରିବା କଥା । କିନ୍ତୁ ଇତିମଧ୍ୟରେ ୨୦୧୯ ମସିହାରେ ସ୍ୟାଟ୍‍ ଉଚ୍ଛେଦ ହେବା ପରେ ମାମଲା ସବୁ ହାଇକୋର୍ଟରେ ବିଚାର ଚାଲିଥିଲେ ମଧ୍ୟ ଅଦାଲତଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ ଉତ୍ତର ଦାଖଲ କରୁନଥିବାରୁ ମାମଲା ଫଏସଲାରେ ବିଳମ୍ବ ଘଟୁଛି ।
ଏଭଳି କେତୋଟି ସମ୍ବେଦନଶୀଳ ମାମଲା ଆଜି ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଇଜିଲାସରେ ବିଚାର ପାଇଁ ଆସିଥିଲା । ଏହା ବିଚାରପତିଙ୍କ ଦୃଷ୍ଟିକୁ ଆସିବା ପରେ ସେ ଅସନ୍ତୋଷ ବ୍ୟକ୍ତ କରିବାରୁ ମାମଲା ପରିଚାଳନା କରୁଥିବା ସରକାରୀ ପକ୍ଷର ଓକିଲ ଆଉ ମାସେ ସମୟ ପାଇଁ ଅନୁରୋଧ କରିଥିଲେ । ପୂର୍ବରୁ ଏଭଳି ଘଟଣାରେ ବିଚାରପତି ଶ୍ରୀ ପାଣିଗ୍ରାହୀଙ୍କ ଅଦାଲତରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ହାଜର ହେବାକୁ ପଡିଥିଲା । ରାଜ୍ୟ ସରକାରଙ୍କ ମାମଲା ନୀତି ଅନୁଯାୟୀ ସରକାରୀ କର୍ତ୍ତୃପକ୍ଷ ଠିକଣା ସମୟରେ ସଠିକ୍‍ ତଥ୍ୟ ଦେଇ ଉତ୍ତର ଦାଖଲ କରିବା କଥା । କିନ୍ତୁ ପଞ୍ଚାୟତିରାଜ ବିଭାଗ ୮ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଉତ୍ତର ଦାଖଲ ନ କରି ଚାକିରି ପାଇଁ ମାମଲା ରୁଜୁ କରିଥିବା ପ୍ରାର୍ଥୀଙ୍କୁ ଅଯଥାରେ ହଇରାଣ ହରକତ କରୁଥିବା ଅଭିଯୋଗ ହେଉଛି ।

Comments are closed, but trackbacks and pingbacks are open.