ସଂସ୍କୃତ କହୁଥିବା ଭାରତର ଶେଷ ଗାଁ

40

ଭାରତୀୟ ଆଞ୍ଚଳିକ ଭାଷା ଗୁଡ଼ିକ ଯେତେବେଳେ ନିଜର ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛନ୍ତି ସେତେବେଳେ ଦକ୍ଷିଣ ଭାରତର ଏକ ଛୋଟ ଗାଁରେ ସଭିଏ ସଂସ୍କୃତ ଭାଷାରେ କଥାବାର୍ତ୍ତା ହେଉଛନ୍ତି। ଅନେକ ଲୋକ ଏହି ଭାଷାକୁ ମାତୃଭାଷା କହୁଥିବା ବେଳେ କର୍ଣ୍ଣାଟକ ସିମାଗୋ ଜିଲାର ‘ମାତୁର’ ଗାଁରେ ସଂସ୍କୃତ ଭାଷା ସାଧାରଣ ଲୋକଙ୍କ କଥିତ ଭାଷା ଭାବେ ତିଷ୍ଠି ରହିଛି। ତୁଙ୍ଗାନଦୀର କୂଳରେ ଗଢ଼ିଉଠିଥିବା ଏହି ଗାଁରେ ଶିଶୁ, କିଶୋର, ଯୁବକ ଓ ବ୍‌ଦ୍ଧ ସମସ୍ତେ ସଂସ୍କ୍‌ତରେ ବିଦ୍ବାନ। ଏଭଳି ହେବା ପଛରେ ରହିଛି ଗାଁରେ ସ୍ଥାପିତ ସଂସ୍କାର ଭାରତୀୟ ସ୍କୁଲର ଯୋଗଦାନ। ସ୍କୁଲରୁ ପାଖାପାଖି ୫ ହଜାର ଲୋକ ସଂସ୍କୃତ ଭାଷା ଶିକ୍ଷା କରିଛନ୍ତି। ପ୍ରାଚୀନ ଭାରତୀୟ ଭାଷାର ସଂରକ୍ଷଣ କରିବା ସେମାନଙ୍କ ମୂଳ ଲକ୍ଷ୍ୟ ହୋଇଥିବାରୁ ସେମାନେ ସଂସ୍କୃତରେ କଥା ହେଉଥିବା ଦର୍ଶାନ୍ତି।

ଏଠାରେ ପିଲାମାନେ ୧୦ ବର୍ଷ ବୟସରୁ ବେଦପାଠ କରନ୍ତି ଏବଂ ପ୍ରତ୍ୟେକ ଶିଶୁ ଦ୍ରୁତ ଓ ଶୁଦ୍ଧ ଭାବରେ ସଂସ୍କୃତ କହିପାରନ୍ତି। ଲୋକେ ପରସ୍ପରକୁ ଭେଟିବା ବେଳେ କଥମ ଅସ୍ତି (କିପରି ଅଛ), ଅହମ ଗଚ୍ଛାମି (ମୁଁ ଯାଉଛି) ଏବଂ ଶୁଭମ ଭବତୁ (ମଙ୍ଗଳ ହେଉ) ବୋଲି କହିଥାନ୍ତି। କେବଳ ଏହି ଗ୍ରାମବାସୀ ନୁହନ୍ତି, ଦେଶର ବିଭିନ୍ନ ରାଜ୍ୟରୁ ଓ ବିଦେଶରୁ ଏଠାରୁ ବହୁ ବ୍ୟକ୍ତି ସଂସ୍କୃତ ଭାଷା ଶିକ୍ଷାଲାଭ ପାଇଁ ଆସିଥାନ୍ତି। ଗାଁରେ ବିରାଟକାୟ ବୃକ୍ଷ ମୂଳରେ ତିଆରି ହୋଇଥିବା ମଣ୍ଡପରୁ ଦୈନିକ ପ୍ରାତଃ ସମୟରେ ବେଦଧ୍ବନି ଉଚ୍ଚାରିତ ହୁଏ। ସନ୍ଧ୍ୟାରେ ଆଳତି କରାଯିବା ସହିତ ନାନା ପ୍ରକାର ଶ୍ଲୋକ ଆବ୍‌ତ୍ତି ପରିବେଶକୁ ମୁଖରିତ ଓ ଆଧ୍ୟାତ୍ମିକମୟ କରି ଗଢ଼ିତୋଳିଥାଏ। ଧୋତି ଓ କୁର୍ତ୍ତା ଅଧିକାଂଶ ଲୋକଙ୍କ ମୁଖ୍ୟ ପରିଧାନ। ପ୍ରାଚୀନ ଭାଷାରେ ଲୋକେ କଥାବାର୍ତ୍ତା କରନ୍ତି ଓ ପାରମ୍ପରିକ ପୋଷାକ ପରିଧାନ କରୁଥିଲେ ହେଁ ସେମାନଙ୍କ ଭିତରେ ଆଧୁନିକତା ରହିଛି। ଘରେ ଘରେ କମ୍ପ୍ୟୁଟର, ମୋବାଇଲ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଗ୍ୟାଜେଟ ଦେଖିବାକୁ ମିଳେ। ଯଦି ଆପଣ ସଂସ୍କୃତ ଶିଖିବାକୁ ସତରେ ଆଗ୍ରହୀ ଓ ଏଥିପାଇଁ ପରିଶ୍ରମ କରିବାକୁ ପ୍ରସ୍ତୁତ, ତେବେ ଆପଣ କର୍ଣ୍ଣାଟକର ଏହି ଗାଁକୁ ଆସିପାରିବେ। ଏଠାରେ ହୋଟେଲ ରେସ୍ତୋରାଁ କିମ୍ବା ଅତିଥି ନିବାସ ନାହିଁ। କିନ୍ତୁ ଅତିଥିମାନଙ୍କୁ ନିଜ ଘରେ ଆତିଥେୟତା ଦେବାକୁ ପ୍ରତ୍ୟେକ ଘର ପ୍ରସ୍ତୁତ। ଏଠାରେ ନିଃଶୁଳକ ଭାବେ ସଂସ୍କୃତ ଶିକ୍ଷା ପ୍ରଦାନ କରାଯାଏ ଏବଂ ଜଣେ ଚାହିଲେ ୧୫ ଦିନ ଭିତରେ ସଂସ୍କୃତ ଭାଷାକୁ ଆୟତ୍ତ କରିପାରିବ ବୋଲି କହନ୍ତି ସ୍ଥାନୀୟ ଜଣେ ଶିକ୍ଷକ।

ସଂସ୍କୃତକୁ ଦେବବାଣୀ ବା ଦେବଭାଷା କୁହାଯାଏ। ଭାରତୀୟମାନଙ୍କ ବିଶ୍ବାସ, ରାମାୟଣ, ମହାଭାରତ କାଳରେ ଲୋକେ ଏହି ଭାଷାରେ ହିଁ ଭାବ ବିନିମୟ କରୁଥିଲେ। ଖ୍ରୀ:ପୂ: ୧୫୦୦ରୁ ବୈଦିକ ସଂସ୍କୃତ ପ୍ରଚଳିତ ଥିବା କୁହାଯାଏ। ପିଢ଼ି ପରେ ପିଢ଼ି ଏହି ଭାଷା ସଂଚରିତ ହୋଇ ଆସିଥିବା ବେଳେ ଅବଲୀଳାକ୍ରମେ ବିଲୁପ୍ତିର ଦ୍ବାରଦେଶରେ ପହଞ୍ଚିଛି। ମଠ, ମନ୍ଦିର ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ଯଜ୍ଞ, ହୋମ, ପୂଜାପାଠ ତିଷ୍ଠିଥିବା ଯାଏ ଏହି ଭାଷା ତିଷ୍ଠି ରହିବ ବୋଲି କୁହାଯାଇଛି। କେତେକ ଲୋକ ଏହାକୁ ବ୍ରାହ୍ମଣର ଭାଷା କହି ବିରୋଧ କରିବାରୁ ସଂସ୍କୃତର ଅପମ୍‌ତ୍ୟୁ ଘଟିଥିବା କୁହାଯାଉଛି।

ଆଧୁନିକ ଭାରତର କର୍ଣ୍ଣାଟକର ମାତୁର ଗାଁ ଭଳି ମଧ୍ୟ ପ୍ରଦେଶର ଝିରି, ମଧ୍ୟ ପ୍ରଦେଶର ବାଘୁୱାର, ରାଜସ୍ଥାନର ଗାନକାଡ଼ା, ମଧ୍ୟ ପ୍ରଦେଶର ମହଡ଼ ଓ କର୍ଣ୍ଣାଟକର ହରହୋଲି ଗାଁରେ ଲୋକେ ସଂସ୍କୃତରେ କଥାବାର୍ତ୍ତା କରନ୍ତି। କେରଳର କମଣା ଗାଁରେ ଗୋଟିଏ ଚା’ ଦୋକାନ ତାର ମେନୁ ଲିଷ୍ଟ ସଂସ୍କୃତ ଭାଷାରେ ଲେଖି ସର୍ବସାଧାରଣରେ ପ୍ରକାଶ କରାଇଛି। ଏହାକୁ ଦେଖି ଯଦି କେହି ସଂସ୍କୃତରେ ଅର୍ଡର ଦିଅନ୍ତି, ତେବେ ଦୋକାନୀ ଜଣକ ଗ୍ରାହକଙ୍କୁ ରିହାତି ପ୍ରଦାନ କରିଥାନ୍ତି। ଦୋକାନୀ କହନ୍ତି, ଏଭଳି କରିବା ଦ୍ବାରା ତାଙ୍କ ଦୋକାନରେ ଗ୍ରାହକଙ୍କ ସଂଖ୍ୟା ଦୁଇଗୁଣା ବଢ଼ିଯାଇଛି। କେରଳରେ ଯଦି କିଏ ସଂସ୍କୃତ ଶିକ୍ଷା ପାଇଁ ଆଗ୍ରହୀ ହୁଅନ୍ତି, ତେବେ ଏହି ଗାଁରୁ ସଂସ୍କୃତ ଶିକ୍ଷକଙ୍କ ସହାୟତା ନେଇଥାନ୍ତି।

Comments are closed, but trackbacks and pingbacks are open.