ବିଲ୍‌କିସ୍ ବାନୋ ଦୁଷ୍କର୍ମକାରୀଙ୍କୁ ଖଲାସ ପ୍ରସଙ୍ଗ: ୯ରେ ସୁପ୍ରିମକୋର୍ଟ ଶୁଣାଣି

15

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ବିଲ୍‌କିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ୧୧ ଦୋଷୀଙ୍କୁ ଗତ ଅଗଷ୍ଟ ୧୫ରେ ଗୁଜରାଟ ସରକାର ଖଲାସ କରିଦେଇଛନ୍ତି । ଏହାର ପ୍ରତିବାଦରେ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର କରାଯାଇଛି । ଆସନ୍ତା ୯ରେ ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ ବି.ଭି.ନାଗରତ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହାର ଶୁଣାଣି ହେବ ବୋଲି ଜଣାପଡିଛି । ଅଗଷ୍ଟ ୨୫ରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ପୀଠ ଏହାର ପ୍ରଥମ ଶୁଣାଣି କରି ଖଲାସ ହୋଇଥିବା ୧୧ ଦୋଷୀଙ୍କୁ ପକ୍ଷଭୁକ୍ତ କରିବା ସହ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିଥିଲେ । ସୂଚନାଯୋଗ୍ୟ ୨୦୦୨ ଫେବୃଆରୀ ୨୭ରେ ଗୁଜରାଟର ଗୋଧ୍ରା ଟ୍ରେନ୍ ପୋଡି ଘଟଣାର ପ୍ରତିଶୋଧ ନେବାକୁ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ପ୍ରାୟ ୨୦-୩୦ ଅଭିଯୁକ୍ତ ବିଲ୍‌କିସ୍‌ଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହାବ୍ୟତୀତ ଦୁର୍ବୃତ୍ତମାନେ ୭ ଜଣଙ୍କୁ ହତ୍ୟା ମଧ୍ୟ କରିଥିଲେ । ସୁପ୍ରିମକୋର୍ଟ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ୨୦୦୪ରେ ସବୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଅହମ୍ମଦାବାଦରେ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ବିଲ୍‌କିସ୍‌ଙ୍କ ଅନୁରୋଧକ୍ରମେ ମାମଲାର ତଦନ୍ତ ପ୍ରକ୍ରିୟା ମୁମ୍ବାଇକୁ ସ୍ଥାନାନ୍ତର କରାଯାଇଥିଲା । ୨୦୦୮ ଜାନୁଆରୀ ୨୧ରେ ସିବିଆଇ କୋର୍ଟ ୭ ଜଣଙ୍କୁ ଦୋଷୀସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିବାବେଳେ ଅନ୍ୟ ୭ ଜଣଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଥିଲେ । ଅପରପକ୍ଷରେ ବିଲ୍‌କିସ୍‌ଙ୍କୁ ବାସଗୃହ, ଚାକିରୀ ଓ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ୨୦୧୯ରେ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Comments are closed, but trackbacks and pingbacks are open.