ଦେବଶିଳ୍ପୀ ବିଶ୍ୱକର୍ମା

23

ଭଗବାନ ବିଶ୍ୱକର୍ମାଙ୍କ କୃପାରୁ ପୂରା ବିଶ୍ୱର ସୃଷ୍ଟି । ତାଙ୍କରି ହାତରେ ପୂରା ବ୍ରହ୍ମାଣ୍ଡ ନିର୍ମାଣ ହୋଇଛି । ପୌରାଣିକ କଥା ଅନୁସାରେ, ବିଶ୍ୱକର୍ମା ଦେବତାଙ୍କ ପାଇଁ ମହଲ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲେ । ସେଥିପାଇଁ ତାଙ୍କୁ ଶିଳ୍ପୀମାନଙ୍କର ଦେବତା ବୋଲି କୁହାଯାଏ । ସେହିପରି ସବୁଠୁ ବଡ଼ ଇଞ୍ଜିନିୟର ଭାବେ ସେ ପରିଚିତ । ସେ ସୁନାର ଲଙ୍କା, ପୁଷ୍ପକ ବିମାନ, ଦ୍ୱାରିକା ନଗରୀ, ମହାଦେବଙ୍କ ତ୍ରିଶୁଳ, ଇନ୍ଦ୍ରପୁରୀ, ହସ୍ତିନାପୁର ଆଦି ନିର୍ମାଣ କରିଥିଲେ । ଏପରିିକି ସ୍ୱର୍ଗର ଅମରାବତୀ ତାଙ୍କ ନିର୍ମାଣର ଶ୍ରେଷ୍ଠ ନିଦର୍ଶନ ।
ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳ ଦେବତା । ପବିତ୍ର ବିଶ୍ୱକର୍ମା ପୂଜା କଳାକାର, କାରିଗର ଏବଂ ବ୍ୟବସାୟୀଙ୍କ ଲାଗି ଖୁବ୍ ଗୁରୁତ୍ୱ ବହନ କରେ । ତାଙ୍କର ପୂଜା ଅର୍ଚ୍ଚନା ତଥା ଯଜ୍ଞ ବିଧି ପୂର୍ବକ କରାଯାଏ । ଏହି ଦିନ ତାଙ୍କର ପୂଜା କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହୁଏ । ତା’ସହ ସୁଖ ଓ ସମୃଦ୍ଧି ବଜାୟ ରହେ । ବିଶ୍ୱକର୍ମା ପୂଜା ଦିନ ଶିଳ୍ପ ତଥା କାରଖାନାରେ ପୂଜାର୍ଚ୍ଚନା କରାଯାଏ । କୁହାଯାଏ, ଏହିଦିନ ମେସିନ, ଯନ୍ତ୍ରପାତି ଆଦିକୁ ପୂଜା କରିବା ଦ୍ୱାରା ସେସବୁ ଶୀଘ୍ର ଖରାପ ହୋଇ ନ ଥାଏ । ତା’ସହ ବିଶ୍ୱକର୍ମାଙ୍କ କୃପା ଯୋଗୁଁ ସେସବୁ ଭଲ ଚାଲେ ।
ତେବେ ଶାସ୍ତ୍ରରେ ବିଶ୍ୱକର୍ମାଙ୍କ ଅନେକ ରୂପ ବିଷୟରେ ବର୍ଣ୍ଣନା କରାଯାଇଛି । ତାଙ୍କର ପାଂଚଟି ଅବତାର ହେଉଛି, ବିଶ୍ୱକର୍ମା, ଧର୍ମବଂଶୀ ବିଶ୍ୱକର୍ମା, ଅଗ୍ନିବଂଶୀ ବିଶ୍ୱକର୍ମା, ସୁଧନା ବିଶ୍ୱକର୍ମା ଏବଂ ଭୃଗୁବଂଶୀ ବିଶ୍ୱକର୍ମା । ସ୍କନ୍ଦ ପୁରାଣ ଅନୁସାରେ ବ୍ରହ୍ମା ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କ ପଞ୍ଚ ମୁଖ ।

Comments are closed, but trackbacks and pingbacks are open.