ବର୍ଷାରେ ବେହାଲ୍ ବେଙ୍ଗାଲୁରୁ

29

ବେଙ୍ଗାଲୁରୁ: ଗତ ଏକ ସପ୍ତାହ ଧରି ଭୀଷଣ ବର୍ଷା ଲାଗିରହିବା କାରଣରୁ ବେଙ୍ଗାଲୁରୁ ସହରରେ ବନ୍ୟା ପରି ସ୍ଥିତି ସୃଷ୍ଟି ହୋଇଛି । ସହରର କେତେକ ଅଞ୍ଚଳରେ ଏତେ ପାଣି ଭରି ରହିଛି ଯେ, ଲୋକଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଡଙ୍ଗାର ସାହାଯ୍ୟ ନେବାକୁ ପଡ଼ୁଛୁ । ଉପନଗରୀ ବାର୍ଥୁରରେ ସଡ଼କରେ ଡଙ୍ଗା ଚାଲୁଛି । ବର୍ଷା ଯୋଗୁଁ ବେଙ୍ଗାଦୁର୍‌, ସରଜାପୁରା ରୋଡ୍‌, ହ୍ୱାଇଟ୍‌ଫିଲ୍ଡ, ଆଉଟର୍ ରିଙ୍ଗ୍‌ରୋଡ୍ ଏବଂ ବିଇଏମ୍‌ଏଲ୍ ଲେ-ଆଉଟ୍ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏହା ପୂର୍ବରୁ ଅଗଷ୍ଟ ୩୦ରେ ହୋଇଥିବା ବର୍ଷାରେ ମଧ୍ୟ ସହରରେ ଏଭଳି ଅବସ୍ଥା ଦେଖିବାକୁ ମିଳିଥିଲା । ମରାଠାହଲ୍ଲୀର ସ୍ପାଇସ୍ ଗାର୍ଡେନ୍ ଅଞ୍ଚଳରେ ଦୁଇଚକିଆ ଯାନ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ସ୍ପାଇସ୍ ଗାର୍ଡେନ୍‌ରୁ ହ୍ୱାଇଟ୍‌ଫିଲ୍ଡ ପର୍ଯ୍ୟନ୍ତ ବର୍ଷାଜଳ ଭରିଯିବାରୁ ସଡ଼କ ବନ୍ଦ କରିବାକୁ ପଡ଼ିଛି । ସହରର ପୋଶ୍ ଅଞ୍ଚଳରେ ବର୍ଷାଜଳ ଭରିଯିବା ଏହା ପ୍ରଥମ ଘଟଣା । ଏଠାକାର କେତେକ ବାସିନ୍ଦା ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ସହାୟତା ମାଗିଛନ୍ତି ।
ସେହିପରି ସହରର କେତେକ ଅଞ୍ଚଳରେ ଥିବା ସ୍କୁଲ୍‌ଗୁଡ଼ିକରେ ପାଣି ପଶିଯାଇଛି । ସାମ୍ନାକୁ ଆସିଥିବା ଏକ ଭିଡିଓରେ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ଓ ବହିଖାତା ପାଣିରେ ଭାସୁଥିବା ବେଳେ ଛାତ୍ରଛାତ୍ରୀ କ୍ଲାସ୍‌ରୁମ୍‌ରୁ ପାଣି ବାହାର କରିବାକୁ ଉଦ୍ୟମ ଚଳାଇଥିବା ଦେଖିବାକୁ ମିଳିଛି । ସେହିପରି ସ୍କୁଲ୍‌ର ଶିକ୍ଷକ ଏବଂ କର୍ମଚାରୀମାନେ ମଧ୍ୟ ସାମଗ୍ରୀଗୁଡ଼ିକୁ ପାଣିରୁ ବାହାର କରିବାରେ ଲାଗି ପଡ଼ିଛନ୍ତି । ଭୀଷଣ ବର୍ଷର ପ୍ରଭାବ ବେଙ୍ଗାଲୁରୁ ବିମାନ ବନ୍ଦର ଉପରେ ପଡ଼ିଛି । ବିମାନବନ୍ଦରର ମୁଖ୍ୟ ଫାଟକ ପାଣିରେ ଭରିରହିଛି । ସେହିପରି ୱାଟରଫିଲ୍ଡର ମୁଖ୍ୟ ସଡ଼ରେ ବିଏମ୍‌ସିର ଏକ ବସ୍ ଫସି ଯାଇଥିବା ବେଳେ ଲୋକମାନେ ରଶି ସାହାଯ୍ୟରେ ତାକୁ ବାହାର କରିଥିଲେ । ସହରର କେତେକ ବ୍ୟକ୍ତି ଟ୍ୱିଟ୍‌କରି ମୁଖ୍ୟମନ୍ତ୍ରୀ ବୋମାଇଙ୍କୁ ଟାର୍ଗେଟ୍ କରିଛନ୍ତି । ସେମାନେ କହିଛନ୍ତି ବେଙ୍ଗାଲୁରୁ ଏବେ ୟୁରୋପୀୟ ସ୍ତରର ସହର ହୋଇଯାଇଛି । ଏଠାକାର ଅଞ୍ଚଳ ଭେନସ୍ ସହର ପରି ଦେଖାଯାଉଛି । ଅନ୍ୟପକ୍ଷରେ କର୍ଣ୍ଣାଟକରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଭୀଷଣ ବର୍ଷା ଲାଗିରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.