ଆୱାର୍ଡ଼ ନେଇ ଆଜି ଫେରିବେ ନବୀନ

27

ଭୁବନେଶ୍ୱର: ଜୀବନ ବ୍ୟାପୀ ସାଧନା ଆୱାର୍ଡ଼ ନେଇ ମଙ୍ଗଳବାର ଓଡ଼ିଶା ଫେରୁଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜଧାନୀରେ ଭବ୍ୟ ସ୍ୱାଗତ କରାଯିବ । ବିଜେଡି ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ରାଜଧାନୀ ହେବ ଉତ୍ସବମୁଖର । ପାରମ୍ପରିକ ନୃତ୍ୟ ଓ ଗୀତରେ ବିମାନ ବନ୍ଦର ଜମି ଉଠିବ । ତେଣୁ ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ପୁରୁଣା ଗେଟ୍ ଦେଇ ବାହାରକୁ ଆସିବେ । ଅପେକ୍ଷାରତ ବିଜେଡିର ସାଂସଦ,ବିଧାୟକ ଓ ଅନ୍ୟନେତାମାନେ ତାଙ୍କୀ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେଇ ପାଛୋଟିବା ସହ ଏକ ସୁଜସଜ୍ଜିତ ସ୍ୱତନ୍ତ୍ର ବସ୍‌ରେ ପଟୁଆର କରି ତାଙ୍କୁ ନବୀନ ନିବାସ ଅଭିମୁଖେ ଆଣିବେ । ବିମାନବନ୍ଦର ପ୍ରବେଶପଥରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମାଲ୍ୟାର୍ପଣ କରିବା ପରେ ଉପସ୍ଥିତ ନେତା ଓ ସମର୍ଥକ ଓ ସାଧାରଣ ଜନତାଙ୍କୁ କିଛି ମନର କଥା କହିବେ । ପୁରୁଣା ବିମାନବନ୍ଦରରୁ ନବୀନ ନିବାସ ଯାଏ ନବୀନଙ୍କ ଫଟୋ ଥିବା ବିରାଟ ହୋର୍ଡିଂ ଓ ସଫଳ ଯୋଜନାର ପ୍ଲାକାର୍ଡ଼ ଛାଇ ହୋଇଯାଇଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ମଞ୍ଚ ବି ପ୍ରସ୍ତୁତ ହୋଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୋଡ଼ିଶଙ୍ଖ, ଢ଼େମସା, ସମ୍ବଲପୁରୀ ଓ ଗୋଟିପୁଅ ଭଳି ପାରମ୍ପରିକ ନୃତ୍ୟ ଓ ବାଦ୍ୟ ପରିବେଷଣ କରାଯିବା ପାଇଁ ବହୁ ଶିଳ୍ପୀ ଆସି ପହଞ୍ଚିସାରିଛନ୍ତି । ସ୍ୱାଗତଂ ପର୍ବରେ ସାରା ରାଜ୍ୟରୁ ୫୦ ହଜାର ସମର୍ଥକଙ୍କୁ ସାମିଲ ନେଇ ଯୋଜନା ପ୍ରସ୍ତୁତ ହୋଇଥିଲେ ହେଁ ସେଇ ସଂଖ୍ୟା ବଢ଼ିଯିବ ବୋଲି କୁହାଯାଉଛି । କାରଣ ରାଜ୍ୟର ସବୁ ଅଞ୍ଚଳରୁ କର୍ମୀ ଓ ସମର୍ଥକଙ୍କୁ ଭୁବନେଶ୍ୱର ଆଣିବା ପାଇଁ ବିଧାୟକମାନେ ଦାୟିତ୍ୱ ନେଇଛନ୍ତି । ତେବେ କର୍ମୀଙ୍କୁ ମଙ୍ଗଳବାର ସକାଳ ୭ଟା ସୁଦ୍ଧା ଭୁବନେଶ୍ୱର ପହଞ୍ଚିବା ପାଇଁ କୁହାଯାଇଛି । ପ୍ରାୟ ୧ ଘଣ୍ଟାର କାର୍ଯ୍ୟକ୍ରମ ଭିତରେ ଟ୍ରାଫିକ ସମସ୍ୟା କାରଣରୁ ବିମାନରେ ଆସୁଥିବା ଅନ୍ୟଯାତ୍ରୀଙ୍କର ଯେପରି କୌଣସି ସମସ୍ୟା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଦଳ ପକ୍ଷରୁ କହାଯାଇଛି ।
ବିଗତ ପ୍ରାୟ ଦୁଇ ବର୍ଷ ଧରି ବିଜେଡିର ସେମିତି କିଛି ବଡ଼ କାର୍ଯ୍ୟକ୍ରମ ହୋଇ ନଥିଲା । ଶେଷ ଥର ପାଇଁ ୨୦୧୮ ଜାନୁୟାରୀରେ ପୁଣେରୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ଭାବେ ସମ୍ବର୍ଦ୍ଧିତ ହେବା ପରେ ନବୀନଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏବେ ଅନୁରୂପ ଭାବେ ସ୍ୱାଗତ ଶୋଭଯୋତ୍ରା କରାଯିବ । ୨୦୨୪ ନିର୍ବାଚନ ପୂର୍ବର ଦଳର ଦବଦବାକୁ ଜାହୀର ପାଇଁ ଏଭଳି କରାଯାଉଥିବା କୁହାଯାଉଛି । ବିରୋଧୀ ଏହାକୁ ନାଟକବାଜି ବୋଲି କହୁଛନ୍ତି । ହେଲେ ବିଜେଡି ବିରୋଧୀଙ୍କ ସବୁ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ।
ଉଲ୍ଲେଖଯୋଗ୍ୟ ଯେ, ରବିବାର ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସ୍‌ନାଲ ସେଣ୍ଟର ଅଡ଼ିିଟୋରିୟମରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମନ୍ନା ଜୀବନବ୍ୟାପୀ ସାଧନା ଆୱାର୍ଡ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଜଷ୍ଟିସ ଏ.କେ ପଟ୍ଟନାୟକଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତି ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆୱାର୍ଡକୁ ରାଜ୍ୟର ସାଢ଼େ ୪ କୋଟି ଲୋକଙ୍କୁ ଉତ୍ସର୍ଗ କରିଛନ୍ତି । ଯେଉଁ ରାଜ୍ୟବାସୀ ତାଙ୍କୁ ନିରବଚ୍ଛିନ୍ନ ଭାବେ ୨୨ ବର୍ଷ ଧରି ଆଶୀର୍ବାଦ କରି ଆସିଛନ୍ତି, ସେମାନେ ଏହି ଆୱାର୍ଡ ପାଇଁ ହକ୍‌ଦାର ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ।

Comments are closed, but trackbacks and pingbacks are open.