ଇଣ୍ଡୋନେସିଆ ଓ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ

28

ବାଲି: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଣ୍ଡୋନେସିଆ ଗସ୍ତର ଅନ୍ତିମ ଦିନରେ ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀ ଏବଂ ଅଷ୍ଟ୍ରେଲିଆର ଶୈଶବାବସ୍ଥା ଶିକ୍ଷା ଓ ଯୁବ ମନ୍ତ୍ରୀଙ୍କ ସହ ପୃଥକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇ ଉଭୟ ଦେଶର ଶିକ୍ଷା, ଗବେଷଣା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ଭାଗିଦାରୀତାକୁ ଅଧିକ ମଜଭୂତ୍ କରିବା ଦିଗରେ ଆଲୋଚନା କରିଛନ୍ତି । ଉଭୟ ରାଷ୍ଟ୍ର ସହ ବିଶେଷ ଭାବରେ ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ଶୈଶବାବସ୍ଥା ଶିକ୍ଷା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀ ନାଦିମ୍ ଅନୁୱର ମକାରିନଙ୍କ ସହ ଶିକ୍ଷା, ଦକ୍ଷତା ବିକାଶ, ଭାଗିଦାରୀତାକୁ ବିକଶିତ କରିବା ସହ ରଣନୈତିକ ସମ୍ପର୍କକୁ ଆହୁରି ଆଗକୁ ନେବା ପାଇଁ ଆଲୋଚନା ହୋଇଛି । ଶିକ୍ଷା, ଦକ୍ଷତା ବିକାଶ, ବିଶେଷ ଭାବରେ ପାଠ୍ୟକ୍ରମ ପ୍ରସ୍ତୁତି, ଛାତ୍ରଛାତ୍ରୀ ବିନିମୟ ଏବଂ ଗବେଷଣା ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ବୃଦ୍ଧି କରିବାକୁ ବୈଠକରେ ଆଲୋଚନା ହୋଇଛି । ଭାରତର ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ର ସହ ସହଯୋଗୀ ହେବା ପାଇଁ ଇଣ୍ଡୋନେସିଆ ଇଚ୍ଛାପ୍ରକାଶ କରିଛି । ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀଙ୍କୁ ଭାରତ ଆସିବା ପାଇଁ କେନ୍ଦ୍ରମନ୍ତ୍ରୀ ନିମନ୍ତ୍ରଣ ଦେଇଛନ୍ତି । ଏହାବ୍ୟତିତ ଅଷ୍ଟ୍ରେଲିଆର ଶିଶୁ ଶିକ୍ଷା ଓ ଯୁବ ମନ୍ତ୍ରୀ ଡା. ଆନି ଏଲିଙ୍କ ସହ ପ୍ରାରମ୍ଭିକ ଶୈଶବ ଏବଂ ସ୍କୁଲ ଶିକ୍ଷା କ୍ଷେତ୍ରରେ ସହଯୋଗକୁ ଅଧିକ ମଜବୁତ୍ କରିବା ଦିଗରେ ଆଲୋଚନା ହୋଇଛି । ଶିଶୁର ବିକାଶରେ ବାଲ୍ୟାବସ୍ଥା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏ ଦୃଷ୍ଟିରୁ ଶିଶୁଙ୍କ ବାଲ୍ୟବସ୍ଥା ଶିକ୍ଷାକୁ ଉନ୍ନତମାନର କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଉଚ୍ଚ ଶିକ୍ଷା, ଗବେଷଣା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ସହ ଅଷ୍ଟ୍ରେଲିଆର ଉତ୍ତମ ବୁଝାମଣା ରହିଛି । ପ୍ରାରମ୍ଭିକ ଶୈଶବାବସ୍ଥା ଓ ସ୍କୁଲ ଶିକ୍ଷାରେ ଉଭୟ ଦେଶ ପରସ୍ପର ସହଯୋଗୀ ହେଲେ ଭାରତ ଅଷ୍ଟ୍ରେଲିଆରେ ଥିବା ଛୋଟ ପିଲାମାନଙ୍କୁ ବିଭିନ୍ନ ପଦ୍ଧତିରେ ଶିକ୍ଷା ପ୍ରଦାନ କରିବାର ଏକ ମୂଳଦୁଆ ପଡ଼ିପାରିବ । ଭାରତ ଅଷ୍ଟ୍ରେଲିଆର ଦୀର୍ଘକାଳୀନ ଦ୍ୱିପାକ୍ଷିକ ସମ୍ପର୍କକୁ ଜ୍ଞାନ ମାଧ୍ୟମରେ ଅଧିକ ମଜଭୂତ କରିବା ଦିଗରେ ଆଲୋଚନା ହୋଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ବାଲି ଠାରେ ୟୁନେସ୍କୋର ଏଡ଼ିଜି ଷ୍ଟେଫିନିଆ ଗ୍ୟାନିନୀଙ୍କ ସହ ଶିକ୍ଷା ୨୦୩୦ ଏଜେଣ୍ଡା ଉପରେ ଆଲୋଚନା କରିଥିଲେ । ଭାଷା ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦେବା ସହ ଆଗାମୀ ଦିନରେ ଭାରତ ଅଧ୍ୟକ୍ଷତାରେ ଅୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀକୁ ସମର୍ଥନ କରିବା ଉପରେ ବିଚାମବିମର୍ଷ ହୋଇଥିଲା । ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅଗଷ୍ଟ ୩୦ରୁ ୪ ଦିନିଆ ଇଣ୍ଡୋନେସିଆ ଗସ୍ତ ସାରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

Leave A Reply

Your email address will not be published.