ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୪ଟି ଜିଲ୍ଲାରେ ବର୍ଷା ସମ୍ଭାବନା
ମୌସୁମୀ ହେଉଛି ଦୁର୍ବଳ I ରାଜ୍ୟରେ ବର୍ତ୍ତମାନ ଖରାର ପ୍ରକୋପ ସହିତ ଅସହ୍ୟ ଗୁଳୁଗୁଳି ଗରମ ଲାଗି ରହିଛି I ତଥାପି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୪ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ନ ହେଲେ ପାଗ ମୁଖ୍ୟତଃ ଶୁଖିଲା ରହିବ।
ସେହିପରି ଗୁରୁବାର ଓ ଶୁକ୍ରବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହ ବର୍ଷା ହୋଇପାରେ। ପରବର୍ତ୍ତୀ ତିନି ଦିନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଏହି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି ଯେ ମୌସୁମୀ ବର୍ଷା ସ୍ବାଭାବିକଠାରୁ ଅଧିକ ରହିଛି। ଜୁନ୍ ପହିଲାରୁ ଆଜି ସୁଦ୍ଧା ସ୍ବାଭାବିକ ଭାବେ ୯୧୪.୫ ମିମି ବର୍ଷା ହେବା କଥା। ମାତ୍ର ଏହି ସମୟ ମଧ୍ୟରେ ୯୮୮.୨ ମିମି ବର୍ଷା ହୋଇଛି। ୭ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ସେଗୁଡ଼ିକ ହେଲା ବୌଦ୍ଧ, କନ୍ଧମାଳ, ଦେବଗଡ଼, ଢେଙ୍କାନାଳ, କୋରାପୁଟ, ରାୟଗଡ଼ା, ନୟାଗଡ଼। ବାକି ସମସ୍ତ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି। କୌଣସି ସ୍ଥାନରେ ନିଅଣ୍ଟିଆ ବର୍ଷା ହୋଇନାହିଁ। ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର, ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
Comments are closed, but trackbacks and pingbacks are open.