କ୍ରୀଡ଼ାରେ ସଫଳ କିସ୍‍: ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଛାତ୍ରଛାତ୍ରୀ

26

ଭୁବନେଶ୍ୱର, ୩୦ ।୮: କ୍ରୀଡ଼ା କ୍ଷେତ୍ରରେ ଯଥେଷ୍ଟ ସଫଳତା ହାସଲ କରିଛି କିସ୍‍ । ବିଭିନ୍ନ କ୍ରୀଡ଼ାରେ କିସ୍‍ର ଛାତ୍ରଛାତ୍ରୀମାନେ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ସଫଳତା ହାସଲ କରିଥିବାରୁ ଓଡ଼ିଶା ସରକାର ଏହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରିଛନ୍ତି । ଅଗଷ୍ଟ ୨୯ ତାରିଖ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିସ୍‍ର ୧୬ଜଣ ରଗ୍‍ବୀ ଖେଳାଳି ଓ କିଟ୍‍ର ୨ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସରକାରୀ ଚାକିରି ପ୍ରଦାନ କରିଛନ୍ତି । ଏହା ବ୍ୟତୀତ କିଟ୍‍ ଓ କିସ୍‍ର ୪୫ ସଫଳ କ୍ରୀଡ଼ାବିତ୍‍ଙ୍କୁ ମୁଖ୍ୟମନ୍ତ୍ରୀ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ସମଗ୍ର ରାଜ୍ୟରେ ମୋଟ ୫୩ଜଣଙ୍କୁ ସରକାରୀ ନିଯୁକ୍ତି ଓ ୨୯୧ଜଣ କ୍ରୀଡ଼ାବିତ୍‍ଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି । ସେଥିମଧ୍ୟରୁ କିସ୍‍ର ୧୬ଜଣ ଓ କିଟ୍‍ର ୨ଜଣ ଖେଳାଳିଙ୍କୁ ସରକାରୀ ନିଯୁକ୍ତି ମିଳିଥିବା ବେଳେ ୪୫ଜଣଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ରଗ୍‍ବୀରେ ସଫଳତା ଲାଭ କରିଥିବା ରାଜ୍ୟର ୧୯ଜଣ ଖେଳାଳିଙ୍କୁ ରାଜ୍ୟ ସରକାରୀ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଦେଇଥିବା ବେଳେ କେବଳ କିସ୍‍ର ୧୬ଜଣ ଛାତ୍ରଛାତ୍ରୀ ଏହି ସୁଯୋଗ ପାଇଛନ୍ତି । ୨୦୦୫ ମସିହାରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ କିସ୍‍ରେ ପ୍ରଥମ କରି ରଗ୍‍ବୀ ଆରମ୍ଭ କରାଯାଇଥିଲା । ବିଦେଶୀ କୋଚ୍‍ଙ୍କୁ ଆଣି ଶ୍ରୀ ସାମନ୍ତ ଏଠାରେ ପିଲାମାନଙ୍କୁ ଉପଯୁକ୍ତ ଯତ୍ନ ସହ ଉତ୍କୃଷ୍ଟ ତାଲିମ ଦେବାର ବ୍ୟବସ୍ଥା କରାଇଥିଲେ । ଫଳରେ ୨୦୦୭ରେ କିସ୍‍ ରଗ୍‍ବୀ ଦଳ ଦୁର୍ଦ୍ଧର୍ଷ ଦକ୍ଷିଣ ଆଫ୍ରିକା ଦଳକୁ ହରାଇ ପ୍ରଥମେ ବିଶ୍ୱ ଚାମ୍ପିଅନ୍‍ ହୋଇଥିଲା । ଏହା ପରଠାରୁ ବହୁ ଅନ୍ତର୍ଜାତୀୟ ରଗ୍‍ବୀ ପ୍ରତିଯୋଗିତାରେ କିସ୍‍ ରଗ୍‍ବୀ ଦଳ ସଫଳତା ପରେ ସଫଳତା ସାଉଁଟିଥିଲା । କିସ୍‍ର ଉଭୟ ବାଳକ ଓ ବାଳିକା ବର୍ଗରେ ରଗ୍‍ବୀ ଖେଳାଳିମାନେ ଭାରତୀୟ ରଗ୍‍ବୀ ଦଳରେ ସାମିଲ ହେଲେ । ଭାରତୀୟ ଦଳର ନେତୃତ୍ୱ ମଧ୍ୟ ନେଲେ । 

ରାଜ୍ୟ ସରକାର କିସ୍‍ର ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ସରକାରୀ ନିଯୁକ୍ତି ଓ ଆର୍ଥିକ ପୁରସ୍କାର ପ୍ରଦାନ କରି ପ୍ରୋତ୍ସାହିତ କରିଥିବାରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗୋଟିଏ ଶିକ୍ଷାନୁଷ୍ଠାନରୁ ଏତେ ସଂଖ୍ୟକ କ୍ରୀଡ଼ାବିତ୍‍ ବିଭିନ୍ନ କ୍ରୀଡ଼ାରେ ସଫଳତା ହାସଲ କରି ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ଓ ଆର୍ଥିକ ପୁରସ୍କାର ପାଇବା କିଟ୍‍ ଓ କିସ୍‍ ତଥା ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ଶ୍ରୀ ସାମନ୍ତ କହିଛନ୍ତି । 

Comments are closed, but trackbacks and pingbacks are open.