ଏସ୍‌ଆଇ ଆତ୍ମହତ୍ୟା ଘଟଣା : ଆଇଆଇସିଙ୍କ ନାଁରେ ଏତଲା ଦେଲେ ପରିବାର ଲୋକେ

28

କନ୍ଧମାଳ ଜି ଉଦୟଗିରି ଥାନା ମହିଳା ଏସଆଇଙ୍କ ଆତ୍ମହତ୍ୟା । ଗତକାଲି ତାଙ୍କ ସରକାରୀ କ୍ୱାଟର୍ସରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା ସ୍ୱାଗତିକା ବେହେରାଙ୍କ ମୃତଦେହ। ତେବେ ଏହି ଘଟଣାରେ ସ୍ୱାଗତିକା ଙ୍କ ଆତ୍ମହତ୍ୟା ର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ପରିବାର ପକ୍ଷରୁ ଥାନା ଆଇଆଇସି ରେବତୀ ଶବରଙ୍କୁ ଦାୟୀ କରି ଥାନାରେ ଏତଲା ଦିଆ ଯାଇଛି I ଗତକାଲି ରାତିରେ ସ୍ୱାଗତିକାଙ୍କ ମା’ ଓ ଭାଇ ଜି. ଉଦୟଗିରି ଏସ୍‌ଡିପିଓଙ୍କୁ ଭେଟି ଥିଲେ। ଆଇଆଇସି ରେବତୀ ଶବର ସେମାନଙ୍କ ଝିଅକୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ସେମାନେ ଅଭିଯୋଗ କରିବା ସହିତ ଏତଲା ଦେଇଥିଲେ।

ମୃତ ଏସଆଇ ସ୍ୱାଗତିକାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ। କିନ୍ତୁ କେଉଁ ପରିସ୍ଥିତି ପାଇଁ ସ୍ୱାଗତିକା ଏତେ ବଡ଼ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ। ପରିବାର ଲୋକେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ସ୍ୱାଗତିକା ୨୦୧୯ରୁ ଜି. ଉଦୟଗିରି ଥାନାରେ ଏସ୍‌ଆଇ ଭାବେ କାର୍ଯ୍ୟରତ ଥିଲେ। ସେ ଏଠାରେ କାର୍ଯ୍ୟରେ ଯୋଗ ଦେବା ଦିନ ଠାରୁ ମାନସିକ ନିର୍ଯାତନା ପାଉଥିଲେ। ଆଇଆଇସି ରେବତୀ ଶବର ସବୁବେଳେ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲେ। ସ୍ୱାଗତିକା ଯେତେବେଳେ ବି ଘରକୁ ଫୋନ୍ କରୁଥିଲେ ସବୁବେଳେ ଆଇଆଇସିଙ୍କ ଅତ୍ୟାଚାର କଥା କହୁଥିଲେ। ଆଇଆଇସିଙ୍କ ନିର୍ଯାତନା ସହି ହେଉ ନଥିବାରୁ ସେ ଚାକିରି ଛାଡ଼ି ଦେବେ ବୋଲି ମଧ୍ୟ କହୁଥିଲେ।

ଘଟଣାର ତଦନ୍ତ କରି ଆଇଆଇସି ରେବତୀ ଶବରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାଗତିକାଙ୍କ ପରିବାର ଲୋକେ ଦାବି କରିଛନ୍ତି।ଜି. ଉଦୟଗିରି ଏସ୍‌ଡିପିଓ ଡି. ତିରୁପତି ରାଓ କହିଛନ୍ତି ଯେ ଆଇଆଇସିଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତ କରାଯିବ। ଅନ୍ୟପକ୍ଷରେ ଏହି ଘଟଣା ସଂପର୍କରେ ଆଇଆଇସି ରେବତୀ ଶବରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Comments are closed, but trackbacks and pingbacks are open.