ଆଜି ଉପରାଷ୍ଟ୍ରପତି ନିର୍ବାଚନ : ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସଂସଦ ଭବନରେ ହେବ ଭୋଟ୍‍ ଗ୍ରହଣ

21

ଆଜି ଶନିବାର ହେଉଛି ଉପରାଷ୍ଟ୍ରପତି ନିର୍ବାଚନ I ସଂସଦ ଭବନ ଭିତରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ଭୋଟ୍‍ ଗ୍ରହଣ ହେବ। ଏହି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଜଣାପଡିଛି । ସାଂସଦମାନେ ନିର୍ବାଚିତ କରିବେ ଦେଶର ଷୋଡ଼ଶ ଉପରାଷ୍ଟ୍ରପତି । ଉପରାଷ୍ଟ୍ରପତି ପଦ ପାଇଁ ଏନ୍‍ଡିଏ ପକ୍ଷରୁ ଜଗଦୀପ ଧନଖର ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ଦଳ ପକ୍ଷରୁ ମାର୍ଗାରେଟ୍‍ ଆଲ୍‍ଭା ପ୍ରାର୍ଥୀ ହୋଇଛନ୍ତି।
ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ସାମିଲ ହେବେ । ଭୋଟିଂ ପରେ ସଙ୍ଗେ ସଙ୍ଗେ ଗଣତି କରାଯିବ। ଉଭୟ ଉପରାଷ୍ଟ୍ରପତି ପ୍ରାର୍ଥୀ ବୃତ୍ତିରେ ଓକିଲ ହୋଇଥିବା ବେଳେ ପୂର୍ବରୁ ଉଭୟ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଜଗଦୀପ ଧନକଡ଼ଙ୍କ ପ୍ରତି ଅଧିକ ଦଳର ସମର୍ଥନ ଥିଲେ ବି ନିର୍ବାଚନ କଡ଼ା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବା ଆଶା କରାଯାଉଛି । ନିର୍ବାଚନରେ ଧନଖଡଙ୍କ ପଲ୍ଲା ଭାରି ରହିଛି I ଆରପିଆଇଏ, ପିଏଏମକେ, ୟୁପିପିଏଲ୍, ଏଡିଏସ୍, ଏଜେଏସ୍ୟୁ ମଧ୍ୟ ଜଗଦୀପ ଧନକଡ଼ଙ୍କ ସମର୍ଥନରେ ରହିଛନ୍ତି। ଅନ୍ୟପଟେ ମାର୍ଗାରେଟ୍ ଆଲଭାଙ୍କ କଥା ଦେଖିଲେ କଂଗ୍ରେସ ସମେତ ୧୮ଟି ଦଳ ତାଙ୍କୁ ସମର୍ଥନ କରୁଛନ୍ତି । ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବ । ଅଗଷ୍ଟ ୧୧ରେ ନୂଆ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।

Comments are closed, but trackbacks and pingbacks are open.