‘ସଞ୍ଜୟ ମୋର ସାନ ଭାଇ, ସେ ମୁଣ୍ଡ ନଇଁବ ନାହିଁ’-ଉଦ୍ଧବ ଠାକରେ

18

ମୁମ୍ବାଇର ପାତ୍ର ଚୋଲ ଘୋଟାଲା ରେ ଶିବସେନା ନେତା ସଞ୍ଜୟ ରାଉତ ଇଡି ଦ୍ୱାରା ଗିରଫ ହୋଇଛନ୍ତି I ୧୦ ଘଣ୍ଟାରୁ ଅଧିକ ପଚରାଉଚରା ପରେ (ଇଡି) ବ୍ୟାପକ ଅର୍ଥ ତୋଷରପାତ ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିଛି। ରବିବାର ଦିନ ପ୍ରାୟ ୭ ଟା ବେଳେ ତାଙ୍କ ପଚରାଉଚରା ଆରମ୍ଭ ହୋଇଥିଲା ଏବଂ ଏହା ପରେ ତାଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟକୁ ନିଆଯାଇଥିଲା। ଏହା ପରେ ସୋମବାର ସକାଳେ ରାଉତଙ୍କୁ ଗିରଫ କରାଯାଇଥିଲା। ତେବେ ସଂସଦର ଉଭୟ ଗୃହରେ ଶିବସେନା ସାଂସଦଙ୍କ ଗିରଫଦାରୀକୁ ନେଇ ବିବାଦ ଦେଖାଦେଇଥିଲା ଏବଂ ବିରୋଧୀ ସାଂସଦଙ୍କ ବିରୋଧ ଯୋଗୁଁ ଗୃହ କାର୍ଯ୍ୟ ବ୍ୟାହତ ହୋଇଥିଲା।

ଅନ୍ୟପକ୍ଷରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସଞ୍ଜୟ ରାଉତଙ୍କ ଗିରଫଦାରୀକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ଉଦ୍ଧବ ଠାକରେ ବିଜେପିକୁ ଟାର୍ଗେଟ କରିବା ସହ ସେ କହିଛନ୍ତି, ଅତି ନିମ୍ନସ୍ତରର ରାଜନୀତି କରୁଛି ବିଜେପି । ଯିଏ ବିଜେପି ବିପକ୍ଷରେ ସ୍ୱର ଉଠାଉଛି ତାକୁ ଦବାଇଦେବାକୁ ଚେଷ୍ଟା କରାଯାଉଛି । ଏପରିକି ଜେଲ ପଠାଇବାକୁ ମଧ୍ୟ ପଛାଉ ନାହାନ୍ତି । ଲୋକତନ୍ତ୍ର ଉପରେ ବିଜେପିର ଭରସା ନାହିଁ । ଦେଶର ସମ୍ବିଧାନକୁ ଅପବ୍ୟବହାର କରାଯାଉଛି । ଏହାସହ ଉଦ୍ଧବ ଚେତାବନୀ ଦେଇ କହିଛନ୍ତି, ସମୟ ସବୁବେଳେ ବଦଳିଥାଏ । ଯେତେବେଳେ ଆମର ସମୟ ଆସିବ ସେତେବେଳେ ଭାବ କଣ ହେବ ? ସଞ୍ଜୟ ରାଉତ ହେଉଛନ୍ତି ଅସଲି ଶିବସୈନିକ । ସଞ୍ଜୟଙ୍କ ପାଇଁ ମୁଁ ଗର୍ବିତ । ସେ ମୋର ସାନ ଭାଇ ,ତାଙ୍କୁ ଜାଣିଶୁଣି ଗିରଫ କରାଯାଇଛି । ଅସଲି ଶିବସୈନିକ ମରିଯିବେ ପଛେ ନଇଁବେ ନାହିଁ । ଯିଏ ଏବେ ମୋ ସହ ଅଛନ୍ତି ସେମାନେ କେବେ ବିଶ୍ୱାସଘାତକତା କରିବେନି । ମରି ଯିବାକୁ ପସନ୍ଦ କରିବୁ ପଛେ କିନ୍ତୁ କାହା ଶରଣକୁ ଯିବିନାହିଁ । କିଛି ଏଭଳି ଢଙ୍ଗରେ ବିଜେପି ଉପରେ ବର୍ଷିଛନ୍ତି ଉଦ୍ଧବ ଠାକରେ I

ଏହାପୂର୍ବରୁ ଉଦ୍ଧବ ଠାକରେ ସଞ୍ଜୟ ରାଉତଙ୍କ ଘରେ ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଉଦ୍ଧବ ଭଣ୍ଡୁପ ସ୍ଥିତ ରାଉତଙ୍କ ବାସଭବନରେ ପହଞ୍ଚି ସେଠାରେ ରାଉତଙ୍କ ମାଆଙ୍କୁ ଆଲିଙ୍ଗନ କରି ସାନ୍ତ୍ୱନା ଦେଇଥିଲେ। ଶିବସେନା ନେତା ରାଉତଙ୍କୁ ଉଦ୍ଧବ ଠାକୁରଙ୍କ ନିକଟତମ ବିବେଚନା କରାଯାଏ ଏବଂ ଏହି କାରଣରୁ ସମଗ୍ର ଦଳ ରାଉତଙ୍କ ସମର୍ଥନରେ ଛିଡା ହୋଇଛନ୍ତି ।

Comments are closed, but trackbacks and pingbacks are open.