ଅଗଷ୍ଟ ୭ ତାରିଖରେ ଓଡ଼ିଶା ଉପକୂଳରେ ଲଘୁଚାପ ସମ୍ଭାବନା: ସିଇସି

27

ଭୁବନେଶ୍ୱର ,୩୦/୦୭: ବଙ୍ଗୋପ ସାଗର ଏବଂ ତତ୍‌ସଂଲଗ୍ନ ଓଡ଼ିଶା ଉପକୂଳରେ ଅଗଷ୍ଟ ୪ କିମ୍ବା ୫
ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଅଗଷ୍ଟ ୭ ତାରିଖ ସୁଦ୍ଧା ଏହା ଲଘୁଚାପରେ
ପରିଣତ ହେବାର ସମ୍ଭାବନା ଅଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ
କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।
ସିଇସି ପକ୍ଷରୁ ଜାରୀ ହୋଇଥିବା ଏକ ବୁଲେଟିନ୍ ଅନୁଯାୟୀ ଅଗଷ୍ଟ ୯ ତାରିଖ ବେଳକୁ ଏହା ଗଭୀର
ଅବପାତ ଅର୍ଥାତ୍ ଡିପ୍ ଡିପ୍ରେସନ୍‌ରେ ପରିଣତ ହୋଇପାରେ ।
ଅଗଷ୍ଟ ୭ ତାରିଖରୁ ୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ
ବର୍ଷା ହେବାର ସମ୍ଭାବନା ଥିବା ବେଳେ ପରବର୍ତୀ ସମୟରେ ଆଭ୍ୟନ୍ତରୀଣ ଏବଂ ଉତର ଓଡ଼ିଶା ଜିଲ୍ଲାଗୁଡ଼ିକରେ
ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି ପକ୍ଷରୁ କୁହାଯାଇଛି ।
ବର୍ତମାନ ଜାରୀ ରହିଥିବା ଶୁଖିଲା ପାଗ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ରହିବାର ସୂଚନା ଥିବା ବେଳେ ଏହା
ପରେ କେଉଁଠି କେଉଁଠି ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଅଗଷ୍ଟ ୩ ତାରିଖରୁ
ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସିଇସି ସୂଚନା ଦେଇଛି ।
ପ୍ରବଳ ବର୍ଷା ସମୟରେ କୃଷକମାନେ ଧାନ ରୋପଣ କରିପାରିବେ ବୋଲି ସିଇସି ବୁଲେଟିନ୍‌ରେ
କୁହାଯାଇଛି ।

Comments are closed, but trackbacks and pingbacks are open.