+୨ ବିଜ୍ଞାନ ଓ ବାଣିଜ୍ୟରେ ପରୀକ୍ଷାରେ କିସ୍‍ର ଶତ ପ୍ରତିଶତ ସଫଳତା, ବିଜ୍ଞାନରେ ମୀନାକ୍ଷୀ ମଲ୍ଲିକ ଓ ବାଣିଜ୍ଯରେ ପୀତବାସ ଟିଆକା ହେଲେ ଟପ୍ପର

26

ଭୁବନେଶ୍ୱର : +୨ ବିଜ୍ଞାନ ଓ ବାଣିଜ୍ୟରେ କିସ୍‌ର ଶତ ପ୍ରତିଶତ ସଫଳତା। କନ୍ଧମାଳ ଝିଅ ମୀନାକ୍ଷୀ ସ୍କୁଲ୍‌ ଟପ୍ପର। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ବାଣିଜ୍ୟ ପରୀକ୍ଷାରେ ଭୁବନେଶ୍ୱର କିସ୍‌ ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ରାଜ୍ୟର ପାସ୍‌ ହାର ବିଜ୍ଞାନରେ ୯୪ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୮୯ ପ୍ରତିଶତ ରହିଛି। କିସରେ ଉଭୟ ବିଜ୍ଞାନ ଓ ବାଣିଜ୍ୟରେ ପାସ୍‌ ହାର ଶତ ପ୍ରତିଶତ ରହିଛି। ବାଣିଜ୍ୟରେ ୬୦% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ୫୫ ପ୍ରତିଶତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।କନ୍ଧମାଳର ଝିଅ ମୀନାକ୍ଷୀ ମଲ୍ଲିକ ବିଜ୍ଞାନରେ ସର୍ବାଧିକ ୮୮ ପ୍ରତିଶତ ନମ୍ବର ରଖି ସ୍କୁଲ୍‌ ଟପ୍ପର ହୋଇଛନ୍ତି।

ସେହିପରି ବାଣିଜ୍ଯରେ ପୀତବାସ ଟିଆକା ୮୦ ପ୍ରତିଶତ ନମ୍ବର ରଖିଛନ୍ତି। ଚଳିତବର୍ଷ କିସରେ ବିଜ୍ଞାନରେ ୩୧ ଆଦିମ ଜନଜାତି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ୧୮ ଜଣ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ସେହିପରି ବାଣିଜ୍ଯରେ ୧୮ ଆଦିମ ଜନଜାତି ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୧ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କୋଭିଡ୍‌ ମହାମାରୀ ସମୟରେ ବହୁ ଅସୁବିଧା ମଧ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପରିଶ୍ରମ ଯୋଗୁଁ ଏହି ସଫଳତା ମିଳିପାରିଛି।

ସୂଚନା ଯୋଗ୍ଯ, ମୀନାକ୍ଷୀ ମାଟ୍ରିକ୍‌ ପରୀକ୍ଷାରେ ୯୨ ପ୍ରତିଶତ ନମ୍ବର ରଖି କନ୍ଧମାଳ ଜିଲ୍ଲା ଟପ୍ପର ହୋଇଥିଲେ। ବାଲିଗୁଡ଼ାର ଏକ ଅତ୍ୟନ୍ତ ଗରିବ ପରିବାରରୁ ଆସିଥିବା ମୀନାକ୍ଷୀଙ୍କ ପ୍ରତିଭା ଦେଖି ଜିଲ୍ଲାର ସମସ୍ତ ବୁଦ୍ଧିଜୀବି ଓ ଜିଲ୍ଲା ପ୍ରଶାସନ ମୀନାକ୍ଷୀଙ୍କୁ କିସରେ ପାଇବା ସହ ଉଚ୍ଚଶିକ୍ଷା ପ୍ରଦାନରେ ସହଯୋଗ କରିବା ପାଇଁ କନ୍ଧମାଳ ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ଯୁତ ସାମନ୍ତଙ୍କୁ ଅନୁରୋଧ କରିଥିଲେ। ମେଧାବୀ ମୀନାକ୍ଷୀଙ୍କ ମେଧାଶକ୍ତିକୁ ଉପଯୁକ୍ତ ଶୈକ୍ଷିକ ଭିତ୍ତିଭୂମି ଯୋଗାଇ ଦେବା ପାଇଁ କିସରେ ତାଙ୍କ ନାମ ଲେଖାଯାଇଥିଲା। ଭବିଷ୍ଯତରେ ଡାକ୍ତର ହେବା ଲକ୍ଷ୍ୟ ରଖିଥିବା ମୀନାକ୍ଷୀ ଚଳିତବର୍ଷ ନିଟ୍‌ ପରୀକ୍ଷା ମଧ୍ୟ ଦେଇଛନ୍ତି। +୨ ବିଜ୍ଞାନରେ ଭଲ ପ୍ରଦର୍ଶନ କଲେ ତାଙ୍କ ଇଚ୍ଛା ମୁତାବକ ବିନାଦେୟରେ କିଟ୍‌ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇପାରିବେ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ। ମୀନାକ୍ଷୀ ଯୁକ୍ତ ଦୁଇ ବିଜ୍ଞାନରେ ସ୍କୁଲ୍‌ ଟପ୍ପର ହୋଇଥିବାରୁ ଶ୍ରୀ ସାମନ୍ତ ସନ୍ତୋଷ ବ୍ଯକ୍ତ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୀନାକ୍ଷୀ ତାଙ୍କର ଦୃ ନିଷ୍ଠା ଓ ଅଧ୍ୟବସାୟ ବଳରେ ଏହି ସଫଳତା ପାଇ ପାରିଛନ୍ତି ବୋଲି ଶ୍ରୀ ସାମନ୍ତ କହିଛନ୍ତି। କେବଳ ମୀନାକ୍ଷୀ ନୁହନ୍ତି, ତାଙ୍କ ଭଳି ଅନେକ ଗରିବ ଛାତ୍ରଛାତ୍ରୀ କିସରେ ସଫଳତା ହାସଲ କରିଛନ୍ତି। ଏହି ଅବସରରେ ଶ୍ରୀ ସାମନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ କିସ୍ର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିୟମିତ ମାର୍ଗଦର୍ଶନ ଓ ଛାତ୍ରଛାତ୍ରୀଙ୍କ ପରିଶ୍ରମ ସେମାନଙ୍କୁ ସଫଳତା ଆଣି ଦେଇଛି ବୋଲି କହିଛନ୍ତି।

Comments are closed, but trackbacks and pingbacks are open.