ବିକ୍ରମ କେଶରୀ ଆରୁଖ ହେଲେ ଓଡିଶା ବିଧାନସଭାର ନୂଆ ବାଚସ୍ପତି

22

ଓଡିଶା ବିଧାନସଭାର ନୂତନ ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିକ୍ରମ କେଶରୀ ଆରୁଖ । ବାଚନିକ ଭୋଟ ପରେ ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି ଭାବେ ଘୋଷଣା କରିଛନ୍ତି ଉପବାଚସ୍ପତି ରଜନୀକାନ୍ତ ସିଂ। ବାଚସ୍ପତି ନିର୍ବାଚନ ପାଇଁ ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିଥିଲା। ବିକ୍ରମ ଆରୁଖଙ୍କ ନାଁ ପ୍ରସ୍ତାବ ଦେଇ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ସ୍ୱତନ୍ତ୍ର ଅଧିବେଶନରେ ନିଦ୍ୱର୍ନ୍ଦ୍ୱରେ ବିକ୍ରମ କେଶରୀ ଆରୁଖ ନିର୍ବାଚିତ ହୋଇଛନ୍ତି ।

ତେବେ ୧୦ ତାରିଖରେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଭରିଥିଲେ ବିକ୍ରମ ଆରୁଖ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକ୍ରମଙ୍କ ପ୍ରସ୍ତାବକ ରହିଛନ୍ତି । ଦଳର ବରିଷ୍ଠ ନେତା ଏବଂ ମନ୍ତ୍ରୀଙ୍କ ଗହଣରେ ଯାଇ ବିକ୍ରମ କେଶରୀ ଆରୁଖ ପ୍ରାର୍ଥିପତ୍ର ଦାଖଲ କରିଥିଲେ ।
ଗଞ୍ଜାମ ଜିଲ୍ଲାରୁ ବିକ୍ରମ ଆରୁଖ ଦୀର୍ଘ ୧୩ ବର୍ଷରୁ ଅଧିକ ସମୟ ହେଲା ମନ୍ତ୍ରୀ ପଦରେ ରହି ଆସୁଥିଲେ । ସେ ୧୯୯୫ରେ ପ୍ରଥମ ଥର ପାଇଁ ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରୁ ଲଗାତର ଭାବେ ବିଜେଡି ଟିକେଟ୍ ରୁ ସେ ଜିତି ଆସୁଛନ୍ତି ।

୨୦୦୯ରେ ଚତୁର୍ଥ ଥର ବିଧାୟକ ହେବା ପରେ ପ୍ରଥମ ଥର ପାଇଁ ତାଙ୍କୁ ମନ୍ତ୍ରୀପଦ ମିଳିଥିଲା । ପୂର୍ବରୁ ସେ ସରକାରୀ ଦଳ ମୁଖ୍ୟ ସଚେତକ ଥିଲେ। ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିସାରିଛନ୍ତି। ନିକଟରେ ସେ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ଗତ ମନ୍ତ୍ରିମଣ୍ଡଳ ଅଦଳବଦଳ ସମୟରେ ତାଙ୍କୁ ଆଉ ମନ୍ତ୍ରୀ ପଦ ମିଳି ନଥିଲା। ସେହି ସମୟରେ ଚର୍ଚ୍ଚା ହେଉଥିଲେ ଯେ ସେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସ୍ଥାନରେ ବାଚସ୍ପତି ହେବେ। ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥ ହେବା ପରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ବାଚସ୍ପତି ଆସନ ଖାଲି ପଡ଼ିଥିଲା ।

Comments are closed, but trackbacks and pingbacks are open.