ବାରବାଟୀ ଟି-୨୦ ମ୍ୟାଚ : କ୍ଳାସେନ ଙ୍କ ଲଢୁଆ ୮୧ ରନ ବଳରେ ଦକ୍ଷିଣ ଆଫ୍ରିକାର ବିଜୟ

21

ବାରବାଟୀ ରେ ପୁଣି ନିରାଶ ହେଲେ କ୍ରିକେଟ ପ୍ରେମୀ । ଉଭୟ ବ୍ୟାଟିଂ ଓ ବୋଲିଂ ରେ ଭାରତ ର ନିରାଶ ଜନକ ପ୍ରଦର୍ଶନ ଫଳରେ ପୁଣି ବାଜି ମାରିଲା ଦକ୍ଷିଣ ଆଫ୍ରିକା I ଭୁବନେଶ୍ବର କୁମାରଙ୍କ ଚମତ୍କାର ବୋଲିଂ ସତ୍ତ୍ବେ ଦକ୍ଷିଣ ଆଫ୍ରିକା ୪ ୱିକେଟରେ ଭାରତକୁ ପରାସ୍ତ କରିଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୨-୦ରେ ଆଗୁଆ ରହିଛି।
ଆଜି ବାରବାଟୀରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ଆଉ ପ୍ରଥମେ ବ୍ୟାଟିଂ କରିବାକୁ ଭାରତ କୁ ଆମନ୍ତ୍ରଣ କରିଥିଲା । ଦଳ ଇଷାନ କିଷାନ, ଶ୍ରେୟାସ ଆୟର ଓ କାର୍ତ୍ତିକଙ୍କର ଉପଯୋଗୀ ରନ ବଳରେ ୨୦ ଓଭରରେ ୧୪୮ ରନ୍ କରିଥିଲା । ଆଉ ଦକ୍ଷିଣ ଆଫ୍ରିକା ପାଇଁ ୨୦ ଓଭରରେ ବିଜୟ ଲକ୍ଷ୍ୟ ରହିଥିଲା ୧୪୯ । ତେବେ ୧୦ଟି ବଲ ବାକିଥାଇ ଦକ୍ଷିଣ ଆଫ୍ରିକା ୪ ୱିକେଟ ରେ ବିଜୟ ହାସଲ କରିଥିଲା। କ୍ଲାସେନଙ୍କ ବିସ୍ଫେରକ ୮୧ ରନ ବଳରେ ଦକ୍ଷିଣ ଆଫ୍ରିକା ଏହି ସହଜ ବିଜୟ ହାସଲ କରିଛି।​
ଦକ୍ଷିଣ ଆଫ୍ରିକା ପକ୍ଷରୁ ରିଜା ହେଣ୍ଡରିକ୍ସ(୪) ଭୁବନେଶ୍ୱରଙ୍କ ବଲରେ ଆଉଟ୍ ହୋଇଥିଲେ । ଦଳୀୟ ସ୍କୋର ୧୩ ରନରେ ଡ୍ୱେନ ପ୍ରିଟୋରିୟସ(୪)ଙ୍କୁ ଆଉଟ୍ କରି ଭୁବନେଶ୍ୱର କୁମାର ଭାରତକୁ ଦ୍ୱିତୀୟ ସଫଳତା ଦେଇଥିଲେ । ରସି ଭାନ ଡର ଡସେନ(୧)ଙ୍କୁ ବୋଲ୍ଡ କରି ଭୁବନେଶ୍ୱର ଭ୍ରମଣକାରୀ ଦଳକୁ ତୃତୀୟ ଝଟକା ଦେଇଥିଲେ । ହେଲେ ସେ ପକାଇଥିବା ଚାପର ଫାଇଦା ଅନ୍ୟ ବୋଲର ଉଠାଇ ପାରିନଥିଲେ । ଅଧିନାୟକ ତେମ୍ବା ବାଭୁମା ଏବଂ ହେନରିଚ କ୍ଲାସେନ ଦମଦାର ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ । ଉଭୟ ଚତୁର୍ଥ ୱିକେଟରେ ୬୪ ରନ ଯୋଡିଥିଲେ । ବାଭୁମା(୩୫)ଙ୍କୁ ବୋଲ୍ଡ କରି ଚହଲ ଭାରତୀୟ ଶିବିରରେ କିଛିଟା ଆଶା ସଞ୍ଚାର କରିଥିଲେ । ହେଲେ ଅନ୍ୟପଟେ କ୍ଲାସେନ ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିବା ସହ ଦଳର ବିଜୟ ସୁନିଶ୍ଚିତ କରିଥିଲେ ।

କ୍ଲାସେନ ଏବଂ ଡେଭିଡ୍ ମିଲର ପଞ୍ଚମ ୱିକେଟରେ ୫୧ ରନ ଯୋଡି ଦଳର ସ୍କୋର ୧୪୪ ରନରେ ପହଞ୍ଚା ଦଳର ବିଜୟ ସୁନିଶ୍ଚିତ କରିଥିଲେ। କ୍ଲାସେନ ୪୬ ବଲରୁ ୭ ଚୌକା ଏବଂ ୫ ଛକା ସହ ୮୧ ରନ ଇନିଂସ ଖେଳି ଦଳକୁ ବିଜୟୀ କରାଇଛନ୍ତି । ଭୁବନେଶ୍ୱର କୁମାର ୱେନ ପାର୍ନେଲଙ୍କୁ ଆଉଟ୍ କରି ବ୍ୟକ୍ତିଗତ ଚତୁର୍ଥ ସଫଳତା ହାସଲ କରିଥିଲେ । ଶେଷରେ ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୬ ୱିକେଟ୍ ହରାଇ ବିଜୟ ହାସଲ କରିଛି । ଡେଭିଡ୍ ମିଲର ୨୦ ରନ ଏବଂ କାଗିସୋ ରାବଡା(୦) ଅପରାଜିତ ଥିଲେ ।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪ ଓଭରରେ ମାତ୍ର ୧୩ ରନ ଦେଇ ୪ଟି ସଫଲତା ପାଇଛନ୍ତି । ୟୁଜବେନ୍ଦ୍ର ଚହଲ ଗୋଟିଏ ୱିକେଟ୍ ନେଇଥିଲେ ହେଁ ୪୯ ରନ ଦେଇଛନ୍ତି । ହର୍ଷଲ ପଟେଲ୍ ୧୭ ରନ ଦେଇ ଗୋଟିଏ ସଫଲତା ପାଇଥିବା ବେଳେ ଅକ୍ଷର ପଟେଲ୍ ଗୋଟିଏ ଓଭରରେ ୧୯ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

Comments are closed, but trackbacks and pingbacks are open.