ଆଜି ରାଜସ୍ଥାନ ରୟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ୨ୟ କ୍ୱାଲିଫାୟର

36

ଆଇପିଏଲ୍ ୨୦୨୨ ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ଆଜି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ I ଆଜିର ମ୍ୟାଚ୍ ଅହମ୍ମଦାବାଦ ର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଉଭୟ ଦଳ ଫାଇନାଲରେ ପ୍ରବେଶ କରିବା ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ I ଆଜି ର କର ବା ମର ମ୍ୟାଚ୍ ରେ ରାଜସ୍ଥାନ ଏବଂ ବାଙ୍ଗାଲୋର ମଧ୍ୟରେ କଡ଼ା ପ୍ରତିଯୋଗିତା ହେବ I ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ସଞ୍ଜୁ ସାମସନଙ୍କ ଦଳ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ହାରି ଯାଇଥିଲା। ସେହିଭଳି ଫାଫ୍ ଡୁ ପ୍ଲେସିସ୍ ଦଳ ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ପରାସ୍ତ କରିଥିଲେ I ଡୁ ପ୍ଲେସି ବାହିନୀକୁ ଫାଇନାଲ୍‌ରେ ପ୍ରବେଶ କରିବାକୁ ହେଲେ ଶୁକ୍ରବାର ଆଉ ଏକ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିବାକୁ ହେବ ।

ଏଲିମିନେଟର ମୁକାବିଲା ଜିତିବା ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସର ମନୋବଳ ଶିଖର ଛୁଇଁଛି । କେବଳ ୩ଷ୍ଟାର୍‌ ଖେଳାଳି ବିରାଟ କୋହଲି, ଫାଫ ଡୁ ପ୍ଲେସି ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ପ୍ରଦର୍ଶନରେ ଉନ୍ନତି ଆବଶ୍ୟକ ରହିଛି । ତଥାପି ନୂଆ ତାରକା ରୂପେ ଆବିର୍ଭାବ ହୋଇଥିବା ରଜତ ପତିଦର ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ସୁପରଜାଏଣ୍ଟ୍‌ସ ବିପକ୍ଷରେ ତାଙ୍କ ଶତକୀୟ ଇନିଂସକୁ ହୁଏତ ଆଇପିଏଲ୍‌ ଇତିହାସର ଅନ୍ୟତମ ଶ୍ରେଷ୍ଠ ଇନିଂସ ଭାବେ ବିବେଚନା କରାଯିବ ।

ଏଲମିନେଟର ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସର ପ୍ରଦର୍ଶନକୁ ଦେଖିବା ପରେ ରାଜସ୍ଥାନ ରୟାଲ୍ସର ଚିନ୍ତା ବଢିବା ସ୍ୱାଭାବିକ । ରୟାଲ୍‌ ଚ୍ୟାଲେଞ୍ଜର୍ସର ବୋଲିଂ ବିଭାଗ ବେଶ ଶକ୍ତିଶାଳୀ ରହିଛି । ଜୋସ ହାଜେଲଉଡ୍‌, ମହମ୍ମଦ ସିରାଜ, ହର୍ଷଲ ପଟେଲ ଓ ୱାନିଣ୍ଡୁ ହସରଙ୍ଗା ଘାତକ ସାବ୍ୟସ୍ତ ହେବେ । ଅବଶ୍ୟ ରୟାଲ୍ସ ନିକଟରେ ଯଥେଷ୍ଟ ଦୁର୍ଦ୍ଦର୍ଷ ବ୍ୟାଟର ରହିଛନ୍ତି । ଜୋସ ବଟଲର ସର୍ବାଧିକ ରନ୍‌ ସଂଗ୍ରହ କରିସାରିଛନ୍ତି । ସଞ୍ଜୁ ସାମସନ, ଯସଶ୍ୱୀ ଜୈସ୍ୱାଲ୍‌ ଓ ସିମରନ ହେତମେୟର ଫର୍ମରେ ରହିଛନ୍ତି । ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ ରହିଛି ।

ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ । ପ୍ରଥମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୪ ୱିକେଟ୍‌ରେ ବିଜୟୀ ହୋଇଥିଲା। ଦ୍ୱିତୀୟ ମୁକାବିଲାରେ ରୟାଲ୍ସ ୨୯ ରନ୍‌ରେ ଜିତିଥିଲା । ତେବେ ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ବୋଲରମାନେ ମ୍ୟାଚ୍‌ ଫଳାଫଳ ନିର୍ଣ୍ଣୟ କରିବା ଆଶା କରାଯାଉଛି । ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିବା ଦଳ ଫାଇନାଲ୍‌ରେ ପ୍ରବେଶ କରିବ ।

Comments are closed, but trackbacks and pingbacks are open.