୨୭ରୁ କିଟରେ ଦକ୍ଷିଣ ଏସିଆ ମହିଳା ସମ୍ମିଳନୀ

22

ଭୁବନେଶ୍ୱର, ୨୬ ।୫: କିଟ୍‍ ବିଶ୍ୱବିଦ୍ୟାଳୟରେ ମେ୨୭ ଓ ୨୮ ଦୁଇଦିନ ଧରି ଦକ୍ଷିଣ ଏସିଆ ମହିଳା ସମ୍ମିଳନୀ ଅନୁଷ୍ଠିତ ହେଉଛି। କିଟ୍‍ ବିଶ୍ୱବିଦ୍ୟାଳୟ, କିସ୍‍ ବିଶ୍ୱବିଦ୍ୟାଳୟ ଏବଂ ହାଇଦ୍ରାବାଦ୍‍ ସ୍ଥିତ ୟୁଏସ୍‍ କନସୁଲେଟ୍‍ ଜେନେରାଲର ମିଳିତ ସହଯୋଗରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ସମ୍ମିଳନୀର ବିଷୟବସ୍ତୁ ‘ସମାନ, ଅନ୍ତର୍ଭୁକ୍ତିକରଣ ଏବଂ ଶତତ ବିଶ୍ୱ ଲକ୍ଷ୍ୟରେ’ ରହିଥିବା ବେଳେ ୟୁଏନ୍‍ଏଫ୍‍ପିଏ, ଡବ୍ଲୁଏଫପି, ୟୁନେସକୋ, ୟୁଏନ୍‍ ଭଲ୍ୟୁଣ୍ଟିୟର୍ସ ଏବଂ ୟୁଏନ୍‍ ୱିମେନ ଭଳି ଜାତିସଂଘର ବିଭିନ୍ନ ସଂସ୍ଥାର ବୈଷୟିକ ସହଯୋଗରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି। ଦକ୍ଷିଣ ଏସିଆର ମହିଳା ଓ ବାଳିକାମାନଙ୍କ ପାଇଁ ସହଯୋଗର ଏକ ନେଟ୍‍ୱାର୍କ ତିଆରି କରିବା ଏବଂ ପରିବର୍ତ୍ତନ ନିମନ୍ତେ ମହିଳା ନେତୃତ୍ୱ ଉପରେ ଆଲୋଚନା ଓ ସମାଧାନ ହେଉଛି ଏହି ସମ୍ମିଳନୀର ଲକ୍ଷ୍ୟ। ପ୍ରମୁଖ ମହିଳା ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ବିଭିନ୍ନ ପ୍ରକାର ସର୍ଜନଶୀଳ ପନ୍ଥା ବିକଶିତ କରିବା ପାଇଁ ଏହି ସମ୍ମିଳନୀରେ କର୍ମଶାଳା, କ୍ଷୁଦ୍ର ଗୋଷ୍ଠୀ ଆଲୋଚନା ଚକ୍ର ଆଦି ଅନୁଷ୍ଠିତ ହେବ। ଏହି ସମ୍ମିଳନୀ ମାଧ୍ୟମରେ ଦକ୍ଷିଣ ଏସିଆରେ ମହିଳାମାନଙ୍କ ପାଇଁ ସାମାଜିକ, ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ ସୁଯୋଗ ବୃଦ୍ଧି କ୍ଷେତ୍ରରେ ମହିଳା ନେତୃତ୍ୱଙ୍କୁ ପ୍ରୋତ୍ସାହିତ କରାଯିବ। ମହିଳା ସଶକ୍ତିକରଣ ପାଇଁ ଜାତିସଂଘର ଶତତ ବିକାଶ ଲକ୍ଷ୍ୟ ୨୦୩୦ ଉପରେ ଏହି ସମ୍ମିଳନୀ ପର୍ଯ୍ୟବେସିତ। ଏହି ସମ୍ମିଳନୀରେ ଦକ୍ଷିଣ ଏସିଆରେ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ, ଲିଙ୍ଗଗତ ହିଂସାର ମୂଳୋତ୍ପାଟନ, ମହିଳାଙ୍କ ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ସୁଯୋଗ ଓ ସମସ୍ୟା, ଶତତ ବିଶ୍ୱ ଗଠନ ଦିଗରେ ମହିଳାଙ୍କ ଅନ୍ତର୍ଭୁକ୍ତିକରଣ ଏବଂ ଦୁର୍ବିପାକ ସମୟରେ ମହିଳାଙ୍କ ଭୂମିକା ଉପରେ ଆଲୋଚନା କରାଯିବ। ଏହି ସମ୍ମିଳନୀରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସମାଜସେବୀ ନନ୍ଦିତା ଦାସ, ଅଭିନେତା ତଥା ସମାଜସେବୀ ରାହୁଲ ବୋଷ ଜାତିସଂଘର ପୂର୍ବତନ ସହକାରୀ ମହାସଚିବ ଲକ୍ଷ୍ମୀ ପୁରୀ, ତ୍ରିନିଦାଦ୍‍ ଏବଂ ଟୋବାଗୋରେ ଅବସ୍ଥାପିତ ଭାରତୀୟ ହାଇକମିଶନର ଅରୁଣ ସାହୁ, ଭାରତ ପାଇଁ ଜାତିସଂଘ ଆବାସିକ ସଂଯୋଜକ ସୋମ୍ବି ସାରପ୍‍, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଓଡ଼ିଶା ମୁଖ୍ୟ ହିମାଂଶୁ ବଳ, ୟୁଏନ୍‍ଡ଼ିପିର ଓଡ଼ିଶା ମୁଖ୍ୟ ଆଭା ମିଶ୍ର, ମାଦ୍‍ଗାସକର ଦୂତାବାସର ଚାର୍ଜ ଡ଼ି ଆଫେୟାରସ୍‍ ତାହିନା ରାସାମୋଏଲିନା, କୋଲକତା ସ୍ଥିତ ଥାଇଲ୍ୟାଣ୍ଡ୍‍ କନସୋଲେଟ୍‍ ଜେନେରାଲର କନସୁଲ୍‍ ଜେନେରାଲ ଆଚାରାପନ ୟାଭାପ୍ରାପସ୍‍, ହାଇଦ୍ରାବାଦ୍‍ ସ୍ଥିତ ୟୁଏସ୍‍ କନ୍‍ସୁଲେଟ୍‍ ଜେନେରାଲ୍‍ର କାର୍ଯ୍ୟକାରୀ ପବ୍ଲିକ୍‍ ଆଫେୟାର୍ସ ଅଫିସର ଫ୍ରାଙ୍କି ଷ୍ଟର୍ମ, ପ୍ରଜ୍ଜ୍ୱାଳାର ଯୁଗ୍ମ ପ୍ରତିଷ୍ଠାତା ସୁନୀତା କ୍ରିଷ୍ଣନ୍‍, ଦକ୍ଷିଣ ଏସିଆ ପାଇଁ ବାଣିଜ୍ୟ କମିଶନର ତଥା ପଶ୍ଚିମ ଭାରତ ପାଇଁ ବ୍ରିିଟିଶ୍‍ ଡ଼େପୁଟି ହାଇକମିଶନର ଆଲାନ୍‍ ଗ୍ୟାନେଲ ପ୍ରମୁଖ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସର୍ବଦା ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ଵ ଦେଇ ଆସିଛନ୍ତି। କିଟରେ ଏଭଳି ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ହେବାରେ ଯଥେଷ୍ଟ ଗୁରୁତ୍ଵ ବହନ କରୁଛି, କାରଣ କିଟ ସର୍ବଦା ସମାନତା ପ୍ରତି ସଚେତନ ରହି କାର୍ଯ୍ୟ କରି ଆସିଛି। 

Comments are closed, but trackbacks and pingbacks are open.