ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ: ସୁପ୍ରିମକୋର୍ଟ ନିର୍ଦ୍ଦେଶ ଉଲ୍ଲଙ୍ଘନ ନେଇ ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସସିକୁ ତାଗିଦ କଲା ୟୁଜିସି

118

ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୦ ଉପରେ ସୁପ୍ରିମକୋର୍ଟ ୩ ମାସ ପାଇଁ ରହିତାଦେଶ ପ୍ରସଙ୍ଗରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ-ୟୁଜିସି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ଲୋକସେବା ଆୟୋଗ-ଓପିଏସସିକୁ ପତ୍ର ଲେଖିଛନ୍ତି। ଗତ ୨୦ ତାରିଖରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଥିଲେ ମଧ୍ୟ ରାଜ୍ୟ ଶିକ୍ଷା ବିଭାଗ ଓ ୟୁପିଏସସି ଏହାର ଉଲ୍ଲଙ୍ଘନ କରୁଥିବା ୟୁଜିସି ଦର୍ଶାଇଛି।

ୟୁଜିସି ପକ୍ଷରୁ ଉଚ୍ଚ ଶିକ୍ଷା ସଚିବ ଏବଂ ଓପିଏସସିକୁ ପୃଥକ ଭାବେ ଏ ନେଇ ଅବଗତ କରାଇଛନ୍ତି। ଏହି ପତ୍ରରେ ମେ’ ୨୩ରେ ଓଡ଼ିଶା ଲୋକସେବା ଆୟୋଗ ସମାଜ ବିଜ୍ଞାନର ଆସିଷ୍ଟାଂଟ ପ୍ରଫେସର ନିଯୁକ୍ତିର ଫଳାଫଳ ଏବଂ ମେ’ ୨୪ରେ ବାଣିଜ୍ୟ ବିଭାଗର ଆସିଷ୍ଟାଂଟ୍‍ ପ୍ରଫେସର ପଦବୀ ପାଇଁ ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସୁପ୍ରିମକୋର୍ଟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ନେଇ ସ୍ୱତନ୍ତ୍ର ଅନୁମତି ଆବେଦନ-ଏସଏଲପି ବିଚାରଧୀନ ରହିଥିବାରୁ ଓପିଏସସି ଦ୍ୱାରା ଶିକ୍ଷକ ନିଯୁକ୍ତି ଏବଂ ରାଜ୍ୟ ଚୟନ ବୋର୍ଡର ଅଣଶିକ୍ଷକଙ୍କ ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଙ୍ଘନ କରୁଛି।

ରାଜ୍ୟ ସରକାର ଏବଂ ଓଡ଼ିଶା ଲୋକସେବା ଆୟୋଗ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ଏହି ନିଯୁକ୍ତି ପ୍ରକ୍ରିୟାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ କୁହାଯାଇଛି। ଏହାର ଅବମାନନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟୁଜିସି ତାଗିଦ୍‍ କରିଛି।

Comments are closed, but trackbacks and pingbacks are open.