ଗୁଜରାଟ ଲୁଣ ଫ୍ୟାକ୍ଟ୍ରି କାନ୍ଥ ଭୁଶୁଡ଼ି ୧୨ ମୃତ

18

ଗୁଜରାଟ ଲୁଣ ଫ୍ୟାକ୍ଟ୍ରିରେ ବଡ଼ ଧାରଣ ର ଅଘଟଣ। କାନ୍ଥ ପଡି ଚାଲିଗଲା ୧୨ଜଣ ଶ୍ରମିକଙ୍କ ମୃତ୍ୟୁ ହେବା ସହିତ ୨୦ରୁ ଅଧିକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ସୂଚନାନୁସାରେ ଗୁଜରାଟ ମୋରବି ସ୍ଥିତ ଏକ ଲୁଣ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଛି। ହଲବଡ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳ ସ୍ଥିତ ସାଗର ଲୁଣ ଫ୍ୟାକ୍ଟ୍ରିରେ ଆଜି ମଧ୍ୟାହ୍ଣରେ ଏକ କାନ୍ଥ ଭୁଶୁଡି ପଡିଥିଲା ସାଗର ସଲ୍ଟ ନାମକ ଲୁଣ କାରଖାନାର କାନ୍ଥ ଭୁଶୁଡ଼ି ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହିତ ୨୦ ରୁ ଊର୍ଦ୍ଧ୍ବ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, କାନ୍ଥ ଭୁଶୁଡ଼ିବା କାରଣରୁ ପ୍ରାୟ ୩୦ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିଲେ। ମୃତକ ଓ ଆହତମାନଙ୍କୁ ଜେସିବି ମେସିନ ସାହାଯ୍ୟରେ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ସହରର ଭିନ୍ନ ଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି, ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି।

କାନ୍ଥ ଭୁଶୁଡ଼ିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଦିନ ପ୍ରାୟ ୧୨ ସମୟରେ ଘଟିଛି ଏହି ଅଘଟଣ। ଘଟଣା ପରେ ସ୍ଥାନୀୟ ବିଧାୟକ ପରସୋତ୍ତମ ସବରିୟା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ କାନ୍ଥ ଭୁଶୁଡ଼ିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

ସ୍ଥାନୀୟ ଜିଲ୍ଲାପାଳଙ୍କ କହିବା ମୁତାବକ, ଫ୍ୟାକ୍ଟ୍ରିରେ ଅଖା ଭିତରେ ଲୁଣ ଭର୍ତ୍ତି କରିବା କାମ ଚାଲିଥିବା ବେଳେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ ଭୁଶୁଡି ପଡିଥିବା କାନ୍ଥ ତଳେ ୨୦ ରୁ ୩୦ଜଣ ଶ୍ରମିକ ପୋତି ହୋଇଯାଇଥିବା ଭୟ ଥିଲା। ସେଥିମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।

ସେପଟେ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିସହ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ରାଜ୍ୟ ଶ୍ରମ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବ୍ରିଜେଶ ମୋରଜା ଦୁଃଖ ପ୍ରକାଶ କରିଛନ୍ତି। ମୃତକ ଓ ଆହତଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି।

Comments are closed, but trackbacks and pingbacks are open.