ପାଖେଇ ଆସୁଛି ଘୋଷଯାତ୍ରା,ରଥ ଚକ ନିର୍ମାଣରେ ବ୍ୟସ୍ତ ବିଶ୍ୱକର୍ମା

25

ଜୋରସୋରରେ ଚାଲିଛି ରଥନିର୍ମାଣ କାମ । ପବିତ୍ର ଅକ୍ଷୟ ତୃତୀୟା ତିଥିରୁ ଆରମ୍ଭ ହୋଇଛି ରଥକାମ । ସିଙ୍ଗଡ଼ାବାଡିଆ ମା ଚର୍ଚ୍ଚିକାଙ୍କୁ ପୂଜାର୍ଚ୍ଚନା ପରେ ଭୋଇ ସର୍ଦ୍ଦାର ସିଙ୍ଗଡ଼ାବାଡିଆ ଅନୁକୂଳ କରିଥିଲେ । ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ହୋଇଥିଲା । ସିଙ୍ଗଡ଼ା ବାଡିଆ ପାଇଁ ଭୋଇ ସେବକଙ୍କ ଦ୍ୱାରା ୪୦ ଫୁଟର ଜନ୍ତାଗାଡ ଖୋଳାଯାଇଥିଲା । ଏହାପରେ ରଥ ଚକ ନିର୍ମାଣ ପାଇଁ ଜୋର୍ସୋର ଲାଗିପଡ଼ିଥିଲେ ବିଶ୍ୱକର୍ମାମାନେ I ଗୋଟିଏ ପଟେ ଅର ସଂଯୋଗ ଓ ପହି ସଂଯୋଗ ଚାଲିଥିବାବେଳେ ଅନ୍ଯ ପଟେ କମାରଶାଳରେ ଚକ ପାଇ ଆବଶ୍ୟକ କଣ୍ଟା ଯୋଗାଯାଉଛି । ପବିତ୍ର ଭଉଁରୀ ଅବସରରେ ୩ ରଥର ୬ଟି ଚକ ଡେରାଯିବାକୁ ଥିବାରୁ ମହାରଣା ସେବକଙ୍କୁ ଭୋଇ ସେବକମାନେ ଅଖ କାଠ ଯୋଗାଇଛନ୍ତି ।

ସୂଚନା ଥାଉକି, ଆସନ୍ତା ୨୨ରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ବିଧି ଅନୁଯାୟୀ ତିନି ରଥର ୬ଟି ଚକ ସହ ୩ଟି ଅଖ ସଂଯୋଗ କରାଯାଇ ଡେରାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ୩ ଟି ଅଖ କାଠ ପକାଯାଇଛି । ଚକରେ ଲାଗି ହୋଇଥିବା ପହି ବାହାର ବିନ୍ଧରେ ଖୁସିଅର ଲାଗିଥିଲା। ଏହା ପହି ଓ ଅରକୁ କାମୁଡି ଧରେ। ଗୋଟିଏ ଚକରେ ୪ଟି ପହି ,୧୬ଟି ବିନ୍ଧ, ୧୬ଟି ଅର ଓ ୧୬ଟି ଖୁସିଅର ଲାଗିଥାଏ।

ଏହାପରେ ଚକର କଳସା ବା ପହି ବିନ୍ଧଣ କରାଯାଉଛି। ଜନ୍ତାଗାଡରେ ଭୋଇ ସେବକ ମାନେ ସିଙ୍ଗଡା ବାଡିଆ କାର୍ଯ୍ୟ କରୁଥିବା ବେଳେ ରଥଚାଳିରେ ଚକ ନିର୍ମାଣରେ ଲାଗିଛନ୍ତି ମୁଖ୍ୟ ବିଶ୍ଵକର୍ମା । ପୁରୀ ଏସପି କନୱର ବିଶାଳ ସିଂ ରଥଖଳା ଆସି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହ ନିର୍ମାଣକାରୀଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ।

Comments are closed, but trackbacks and pingbacks are open.