IPL 2022: ଗାଏକଓ୍ଵାଡ ଙ୍କ ବିସ୍ଫୋରକ ବ୍ୟାଟିଂ,୨ ଓ୍ଵିକେଟ୍ ହରାଇ ୨୦୨ ରନ କଲା ଚେନ୍ନାଇ ସୁପର କିଙ୍ଗସ

21

ମହେନ୍ଦ୍ର ସିଂହ ଧୋନୀ ଅଧିନାୟକ ପଦ ଗ୍ରହଣ କରିବା ପରେ ଗର୍ଜି ଉଠିଛି ଚେନ୍ନାଇ ସୁପର କିଙ୍ଗ୍ସଙ୍କ ବ୍ୟାଟସମ୍ୟାନଙ୍କ ବ୍ୟାଟ୍। ଋତୁରାଜ ଗାଏକଓ୍ଵାଡ ଏବଂ ଡେଭନ କନଓ୍ଵେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ବିଶାଳ ସ୍କୋର କରିଛି। ଚଳିତ ଆଇପିଏଲର ୪୬ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୨ ଓ୍ଵିକେଟ୍ ହରାଇ ୨୦୨ ରନ କରିଛି। ଋତୁରାଜ ଗାଏକଓ୍ଵାଡ ବିସ୍ଫୋକର ୯୯ ରନର ଇନିଂସ ଖେଳିଥିବା ବେଳେ ଡେଭନ କନଓ୍ଵେ ଅପରାଜିତ ୮୫ ରନ କରିଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରହିଛି ୨୦୩ ରନର ବିଜୟ ଲକ୍ଷ୍ୟ। ଆଜିର ମୁକାବିଲାରେ ଚେନ୍ନାଇର ଦୁଇ ଓପନର ସନରାଇଜର୍ସ ହାଇଦ୍ରାବାଦ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇର ଦୁଇ ଓପନର ଋତୁରାଜ ଗାଏକଓ୍ଵାଡ ଏବଂ ଡେଭନ କନଓ୍ଵେ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ହାଇଦ୍ରାବାଦ ବୋଲରଙ୍କୁ ନିର୍ଧୁମ ପ୍ରହାର କରି କୌଣସି ସୁଯୋଗ ଦେଇନଥିଲେ। ଏହି କ୍ରମରେ ଉଭୟ ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ଓପନର ପ୍ରଥମ ଓ୍ଵିକେଟ୍‌ରେ ୧୭.୫ ଓଭରରେ ୧୮୨ ରନ ଯୋଡି ଚେନ୍ନାଇର ସ୍ଥିତି ମଜବୁତ କରିଥିଲେ। ଟି ନଟରାଜନ ଋତୁରାଜଙ୍କୁ ଆଉଟ୍ କରି ଶେଷରେ ଏହି ଯୋଡି ଭାଙ୍ଗିଥିଲେ। ଗାଏକଓ୍ଵାଡ ମାତ୍ର ଗୋଟିଏ ରନରୁ ଶତକରୁ ବଞ୍ଚିତ ହୋଇଥିଲେ। ସେ ୫୭ ବଲରୁ ୬ଟି ଲେଖାଏଁ ଚୌକା ଏବଂ ଛକା ଜରିଆରେ ୯୯ ରନ କରି ଆଉଟ୍ ହୋଇଥିଲେ। ମହେନ୍ଦ୍ର ସିଂହ ଧୋନୀ ୮ ରନ କରି ଆଉଟ୍ ହୋଇଥିଲେ। ଡେଭନ କନଓ୍ଵେ ୫୫ ବଲ୍‌ରୁ ୮ ଚୌକା ଏବଂ ୪ ଛକା ସହ ୮୫ ରନ କରି ଅପରାଜିତ ଥିଲେ।

ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ୪୦ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଭୁବନେଶ୍ଵର କୁମାରଙ୍କୁ ବାଦ୍ ଦେଲେ ବାକି ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଭୁବନେଶ୍ଵର ଓ୍ଵିକେଟ୍ ନେଇନଥିଲେ ବି ୪ ଓଭରରେ ମାତ୍ର ୨୨ ରନ ଦେଇଥିଲେ।

Comments are closed, but trackbacks and pingbacks are open.