କଥା ସିନା କହିପାରୁନି, ହେଲେ ମନର ଭାବନାକୁ ପରିପ୍ରକାଶ କଲା: ନିଜେ ଚାଲି ଚାଲି ଆସିଲା ହସ୍ପିଟାଲ, ଡାକ୍ତରଙ୍କୁ ଦେଖାଇଲା ହାତ

20

ସୋଆ ସହରାଞ୍ଚଳ ପଶୁ ଚିକିତ୍ସାଳୟରେ ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହୋଇଛି ହନୁ ମାଙ୍କଡ଼ଟିଏ । ଏ ମାଙ୍କଡ଼କୁ କେହି ଆଣିନଥିଲେ । ସେ ନିଜେ ହିଁ ଚାଲି ଆସିଥିଲା ହସ୍ପିଟାଲକୁ । ଖାଇବାକୁ ଦେଲେ ଖାଉନଥିଲା କି ଘଉଡ଼ାଇଲେ ଯାଉନଥିଲା । ଡାକ୍ତରଙ୍କୁ ଦେଖି ହାତ ଧରି ନେଇଥିଲା । କିଛି କହିନପାରିଲେ ବି ଯେମିତି ଅନେକ କିଛି କହିବାକୁ ଚାହୁଁଥିଲା ।

ଡାକ୍ତରଙ୍କୁ କଲବଲ ହୋଇ ଚାହୁଁଥିଲା । ଯେମିତି କିଛି କହିବାକୁ ଚାହୁଁଥିଲା । ବିସ୍କୁଟ, କଦଳୀ ଯାହା ଦେଲେ ବି ଖାଇଲାନି । ଫିଙ୍ଗି ଦେଲା । କେହି କିଛି ବୁଝିପାରିଲେନି । କେହି କେହି କହୁଥିଲେ, ହନୁକୁ ଘଉଡ଼ାଇ ଦେବା କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ । ନହେଲେ ଅଘଟଣ ଘଟିପାରେ । ହେଲେ ମାଙ୍କଡ଼ଟି କାହାର କିଛି ନ କରି ଚୁପଚାପ ବସିଥାଏ । ହନୁଟିଏର ଏଭଳି ଗତିବିଧି ବେଶ୍‌ ଆଶ୍ଚର୍ଯ୍ୟ କରିଥିଲା ସଭିଙ୍କୁ ।

ସମସ୍ତେ ଅପେକ୍ଷା କରିଥିଲେ କୃଷି ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ବାଟକୁ । ମନ୍ତ୍ରୀ ଆସିଲେ ଫିତା କଟା ହେବ । ଉଦ୍‌ଘାଟନ ହେବ ସୋଆ ସହରାଞ୍ଚଳ ପଶୁ ଚିକିତ୍ସାଳୟ । ଏତିକିବେଳେ ଅଚାନକ ପାଖ ଗଛରୁ ଡେଇଁ ଚାଲି ଆସିଲା ହନୁ ମାଙ୍କଡ଼ଟିଏ । ପ୍ରଥମେ ପଦାରେ ବସିଲା । କିଛି ସମୟ ପରେ ଭିତରକୁ ପଶି ଆସିଲା । ଡରିଗଲେ ସମସ୍ତେ । କାଳେ ଗୋଡ଼ାଇବ… କାମୁଡ଼ିବ… ।

ହେଲେ ସେ ଚୁପଚାପ ଆସି ବସିଗଲା ଗୋଟିଏ ଚେୟାର ଉପରେ । ଯାହାକୁ ଦେଖିଲା, କଲବଲ ହୋଇ ଚାହୁଁଥିଲା । ମଝିରେ ଖେଁ ଖେଁ ହେଉଥିଲା । ପ୍ରଥମେ ଡରରେ କେହି ପାଖକୁ ଗଲେନି । ହେଲେ ଯେତେବେଳେ ଡାକ୍ତର ତା’ ପାଖକୁ ଗଲେ ସେତେବେଳେ ବିକଳରେ ହନୁଟିଏ ତାଙ୍କ ହାତକୁ ଧରିନେଲା । ନା ଆକ୍ରମଣ କଲା ନା କିଛି କ୍ଷତି ପହଞ୍ଚାଇଲା । କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ ମହାପାତ୍ରଙ୍କ ହାତକୁ କିଛି ସମୟ ଧରି ବସିଲା ହନୁଟି । ପରେ ପଶୁ ଚିକିତ୍ସିକ ତା’ ପାଖରେ ପହଞ୍ଚିବାରୁ ତାଙ୍କ ହାତ ବି ଧରିଲା ।

ଶେଷରେ ପଶୁ ଚିକିତ୍ସକ ଟିମ୍‌ ତା’ର ଶରୀରକୁ ଅନୁଧ୍ୟାନ କରିବାରୁ ହନୁର ଲିଙ୍ଗରେ କିଛି ସମସ୍ୟା ଥିବା ଜାଣିବାକୁ ପାଇଲେ । ଏଥିପାଇଁ ହିଁ ମାଙ୍କଡ଼ ଯନ୍ତ୍ରଣା ପାଉଥିବା ଜଣାପଡ଼ିଲା । ଇତି ମଧ୍ୟରେ ମନ୍ତ୍ରୀ ଡ. ସାହୁ ଓ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜ ରଞ୍ଜନ ନାୟକ ପ୍ରମୁଖ ଆସି ପହଞ୍ଚିଥିଲେ । ଉଭୟ ଏହି ମାଙ୍କଡ଼ ବିଷୟରେ ଜାଣିବା ପରେ ତୁରନ୍ତ ତା’ର ଚିକିତ୍ସା କରାଇବାକୁ କହିଲେ । ଉଦଘାଟନ ସହ ହନୁର ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହେଲା । ପ୍ରଥମେ ଟ୍ରାଙ୍କୁଲାଇଜ କରାଗଲା । ପରେ ତା’ର ଅସ୍ତ୍ରୋପଚାର ହେଲା । ସୁସ୍ଥ ହେବା ପରେ ହନୁଟି ହସ୍ପିଟାଲରୁ ଆପେ ଆପେ ପଳାଇଥିଲା ।

ଘଟଣାଟି ଛୋଟିଆ ହୋଇପାରେ । ମାତ୍ର ସଭିଙ୍କୁ ଆଶ୍ଚର୍ଯ୍ୟ କରିଥିଲା ଏ ପଶୁ ଚିକିତ୍ସାଳୟକୁ ହନୁର ଆଗମନ ନେଇ । ହନୁଟି ଶରୀରରେ ଅସୁସ୍ଥତା ଯୋଗୁ ଛଟପଟ ହୋଇ କେମିତି ଏ ନୂଆ ପଶୁ ଚିକିତ୍ସାଳୟକୁ ଆସିଲା? ସତେ ଯେମିତି କେହି ତାକୁ ବତାଇ ଦେଇଥିଲା, ଏଇ ଜାଗାକୁ ଗଲେ ହିଁ ତା’ର ସବୁ ଯନ୍ତ୍ରଣା ଦୂର ହୋଇଯିବ ।

Comments are closed, but trackbacks and pingbacks are open.