ମାହାଙ୍ଗା ଗଣହତ୍ୟା ମାମଲା, ବ୍ୟବଚ୍ଛେଦ ରିପୋର୍ଟ ରେ ବିଷକ୍ରିୟାର ସୂଚନା ନାହିଁ

37

କଟକ ମାହାଙ୍ଗା କୁସୁପୁର ଲୋମହର୍ଷଣକାରୀ ଗଣହତ୍ୟା ମାମଲା ରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି I ରିପୋର୍ଟ ଅନୁସାରେ ମୃତକ ମାନଙ୍କ ଶରୀରରେ ବିଷକ୍ରିୟା ଜନିତ କୌଣସି ସୂଚନା ନାହିଁ । କେବଳ ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ସମସ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ,ମୃତ୍ୟୁ ପୂର୍ବରୁ ହତ୍ୟାକାରୀ ସହିତ ଧସ୍ତIଧସ୍ତି ରେ ମୃତକ ମାନଙ୍କ ଶରୀରରେ କ୍ଷତ ହୋଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି I ଏନେଇ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି ଯୁଗଳ କିଶୋର ବନୋଥ ।ତେବେ ଜଣେ ବ୍ୟକ୍ତି କିପରି ୫ ଜଣଙ୍କୁ ଅତି ବିଭତ୍ସ ଭାବରେ ହାଣି ମୃତ୍ୟୁ ମୁଖକୁ ଠେଲି ଦେଲା ତାହା ଏବେ ଏକ ବିରାଟ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି।
ସୂଚନାନୁସାରେ ମାହାଙ୍ଗା କୁସୁପୁର ଗାଁରେ ଦୀର୍ଘ ବର୍ଷ ଧରି ଦୁଇ ଭାଇ ଅଲେଖ ସାହୁ ଏବଂ ଶିବ ସାହୁ ଙ୍କ ମଧ୍ୟରେ ଜମି ଜମା ବିବାଦ ଯୋଗୁଁ ଉଭୟ ଙ୍କ ର ତିକ୍ତ ସମ୍ପର୍କ ରହି ଆସିଥିଲା । ଗତ ୧୧ ତାରିଖ ବିଳମ୍ୱିତ ରାତିରେ ଏହା ଉଗ୍ର ରୂପ ଧାରଣ କରିଥିଲା I ଫଳରେ ସେହିଦିନ ରାତିରେ ସାନଭାଇ ଶିବ ସାହୁ ନରପିଶାଚ ସାଜି ବଡ଼ ଭାଇ ପରିବାରକୁ ସମ୍ପୂର୍ଣ୍ଣ ରୂପେ ସଂହାର କରିଥିଲା । ଏଥିରେ ବଡ଼ଭାଇ ଅଲେଖ ସାହୁ, ତାଙ୍କ ପତ୍ନୀ ରଶ୍ମିରେଖା ସାହୁ, ଦୁଇ ପୁଅ ସ୍ମୃତି ସୌରଭ ଓ ସ୍ମୃତି ସାଇ ଏବଂ ୧୯ ବର୍ଷର ଝିଅ ସ୍ମୃତିସନ୍ଧ୍ୟାକୁ ଅତି ବୀଭାତ୍ସ ଭାବେ ହତ୍ୟା କରିଥିଲା । ଭାତ୍ରୁ ବିବାଦରୁ ଏକା ସଙ୍ଗେ ଗଡ଼ିଥିଲା ପାଞ୍ଚ, ପାଞ୍ଚଟି ମୁଣ୍ଡ । ଏଇଭଳି ନରସଂହାର ଦେଖି ସେଦିନ ପୁରା ଗାଁ ସ୍ତବ୍ଧ ହୋଇଯାଇଥିଲା I ଏତିକିରେ ମଧ୍ୟ ନରପିଶାଚ ଶିବ ସାହୁ ସନ୍ତୁଷ୍ଟ ହୋଇ ନ ଥିଲା ,ଏହା ସହ ହତ୍ୟାକାଣ୍ତ ସମୟରେ ଶିବ ଉଲଗ୍ନ ଥିଲା। ପରେ ଘରର ଶୌଚାଳୟକୁ ଯାଇ ଦେହରେ ଲାଗିଥିବା ରକ୍ତଛିଟାକୁ ପାଣିରେ ଧୋଇ ଦେଇଥିଲା। କିଛି ସମୟ ପରେ ଲୁଗା ପିନ୍ଧି ଛାତ ଉପରେ ବୁଲି ପବନ ଖାଇଥିଲା। କାଳେ ସେମାନେ ବଂଚିଥିବେ ପ୍ରମାଣ ନଷ୍ଟ ପାଇଁ ପୁର୍ନବାର ତଳକୁ ଆସି ଚମାର କଟୁରି ସାହାଯ୍ୟରେ ସମସ୍ତଙ୍କ ହାତର ଶିରା ଓ ଗୋଡ଼ ଗୋଛିକୁ କାଟିଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ଲୁଗାପଟାରେ ଲାଗିଥିବା ରକ୍ତଛିଟାକୁ ଧୋଇ ଶୌଚ ହୋଇଥିଲା। ଭୋର୍‌ ସମୟରେ ଘରର ମୁଖ୍ୟ ଫାଟକରେ ତାଲା ପକାଇ ଭଡ଼ାଘରକୁ ପଳାଇ ଆସିଥିଲା। ସକାଳ ୧୦ଟା ପର୍ଯ୍ୟନ୍ତ ଗାଁରେ ବୁଲା ବୁଲି କରିବା ସହ ଏକ ଦୋକାନରୁ ଇଟିଲି ଖାଇ ଚା’ ପିଇଥିଲା। ଏହାପରେ ଭଡ଼ାଘର ନିକଟରେ ଥିବା ଏକ ବିଲକୁ ଯାଇ ଖଜୁରି ଗଛ ନିକଟରେ ନିଜର ଦୋଷ ସ୍ବୀକାର କରି ଭିଡିଓ ଭାଇରାଲ୍‌ କଲା ପରେ ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଥିଲା।
ନିଜେ ହିଁ ଏହି ନରସଂହାର ଘଟାଇଥିବା ଶିବ ମାନିଯିବା ସହ ଆଇନ୍ ଯାହା ଶାସ୍ତି ଦେବ ତାକୁ ଗ୍ରହଣ କରିବ ବୋଲି ମଧ୍ୟ କହି ସାରିଛି। ହେଲେ ଶିବର ପତ୍ନୀଙ୍କ ଭୂମିକାକୁ ଉଠିଛି ପ୍ରଶ୍ନବାଚୀ। ସେପଟେ ଅଭିଯୁକ୍ତ ଶିବ ସାହୁକୁ ୩ ଦିନର ରିମାଣ୍ଡରେ ନେଇଥିଲା ମାହାଙ୍ଗା ପୋଲିସ । ରିମାଣ୍ଡ ସମୟରେ ଅଭିଯୁକ୍ତ ଶିବଠାରୁ ଅନେକ ତଥ୍ୟ ଓଗାଳିଛି ପୋଲିସ । ଏଥିସହିତ ଅଭିଯୁକ୍ତ ଶିବକୁ କ୍ରାଇମ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ପୋଲିସ । କିନ୍ତୁ ମୃତ ଅଲେଖ ସାହୁଙ୍କ ଶ୍ବଶୁର ଘର ଲୋକ ପୋଲିସର ତଦନ୍ତରେ ସନ୍ତୁଷ୍ଟ ନଥିବା କହିଛନ୍ତି । ସେପଟେ ମାମଲାର ତଦନ୍ତ ଚାଲିଥିବା ବେଳେ ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ଅଧିକ ରିମାଣ୍ଡରେ ନେଇପାରେ ବୋଲି ମାହାଙ୍ଗା ଥାନା ଅଧିକାରୀ କହିଛନ୍ତି ।

Comments are closed, but trackbacks and pingbacks are open.