IPL 2022 : ଟସ୍‌ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

31

ଏଯାଏ ଚଳିତ ଆଇପିଏଲରେ ଅପରାଜେୟ ଥିବା ରାଜସ୍ଥାନ ରୟାଲ୍ସର ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ମୈଦାନକୁ ଓହ୍ଲାଇଛି। ମୁମ୍ବାଇର ୱାଙ୍ଖଡେରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଆରସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍‌ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ସଞ୍ଜୁ ସାମସନଙ୍କ ରାଜସ୍ଥାନ ପୁଣିଥରେ ଆଗ ବ୍ୟାଟିଂ କରିବ।

ରାଜସ୍ଥାନ ରୟାଲ୍ସ ପ୍ରଥମ ୨ଟି ମ୍ୟାଚ୍‌ ଜିତି ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ଉଭୟ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂର ନମୂନା ପ୍ରଦର୍ଶନ କରି ରୟାଲ୍ସ ଦଳ ବିଜୟୀ ହୋଇଛି । ସନରାଇଜର୍ସ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ରୟାଲ୍ସ ଦଳ ୨୧୦ ଓ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ୧୯୩ ରନ୍‌ ସଂଗ୍ରହ କରିଥିଲା । ଦଳର ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି । ଜୋସ ବଟଲର ସିଜନର ପ୍ରଥମ ଶତକ (ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ) ଅର୍ଜନ କରିଛନ୍ତି । ଦେବଦତ୍ତ ପାଡ଼ିକଲ, ସଞ୍ଜୁ ସାମସନ, ସିମରନ ହେଟମାୟର ପ୍ରମୁଖ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଛନ୍ତି । ଦଳର ବୋଲିଂ ବିଭାଗ ମଧ୍ୟ ବେଶ୍‌ ସନ୍ତୁଳିତ । ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା, ଆର ଅଶ୍ୱିନ ଓ ୟୁଝବେନ୍ଦ୍ର ଚହଲଙ୍କୁ ନେଇ ଗଠିତ ବୋଲିଂ ବିଭାଗ ଘାତକ ସାବ୍ୟସ୍ତ ହୋଇଛନ୍ତି ।

ଚଳିତ ସିଜନରେ ରୟାଲ୍ସ ଦଳକୁ ହରାଇବା ବଡ଼ ସଫଳତା ହେବ ବୋଲି ଅନୁମାନ କରାଯାଉଛି । ରୟାଲ ଚ୍ୟାଲେଞ୍ଜର୍ସ ଦଳ ନିକଟରେ ରାଜସ୍ଥାନକୁ ହରାଇବା ପାଇଁ ଯଥେଷ୍ଟ କ୍ଷମତା ରହିଛି । ୨ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ହାସଲ କରିସାରିଥିବା ରୟାଲ ଚ୍ୟାଲେଞ୍ଜର୍ସ ଦଳରେ ଡୁ ପ୍ଲେସି, କୋହଲି, ଦିନେଶ କାର୍ତ୍ତିକଙ୍କ ଭଳି ବ୍ୟାଟର ରହିଛନ୍ତି । ବଟଲରଙ୍କୁ ଅଟକାଇବା ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ସ୍ୱତନ୍ତ୍ର ରଣନୀତି ଆପଣେଇବାକୁ ପଡ଼ିବ । ମୁଖ୍ୟତଃ ମହମ୍ମଦ ସିରାଜଙ୍କ ଉପରେ ଦଳ ନିର୍ଭର କରିବ ।

ରୟାଲ ଚ୍ୟାଲେଞ୍ଜର୍ସ: ଫାଫ ଡୁ ପ୍ଲେସି (ଅଧିନାୟକ), ଅନୁଜ ରାୱତ, ବିରାଟ କୋହଲି, ଦିନେଶ କାର୍ତ୍ତିକ, ସେରଫାନ ରଦରଫୋର୍ଡ, ସାହବାଜ ଅହମ୍ମଦ, ୱାନିଣ୍ଡୁ ହସରଙ୍ଗା, ହର୍ଷଲ ପଟେଲ, ଡେଭିଡ ୱିଲି, ମହମ୍ମଦ ସିରାଜ, ଆକାଶ ଦୀପ ।

ରାଜସ୍ଥାନ ରୟାଲ୍ସ: ଜୋସ ବଟଲର, ଯଶସ୍ୱୀ ଜୈଶ୍ଵାଲ, ଦେବଦତ୍ତ ପାଡ଼ିକଲ, ସଞ୍ଜୁ ସାମସନ(ଅଧିନାୟକ), ସିମରନ ହେତମେୟର, ରିୟାନ ପରାଗ, ଆର ଅଶ୍ୱିନ, ନବଦୀପ ସାଇନି, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା, ୟୁଝବେନ୍ଦ୍ର ଚହଲ ।

Comments are closed, but trackbacks and pingbacks are open.