SRH ବନାମ RR: ହାଇଦ୍ରାବାଦକୁ ୬୧ ରନ ରେ ପରାସ୍ତ କଲା ରାଜସ୍ଥାନ

23

ଚଳିତ ଆଇପିଏଲ ର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ନିଜର ଦମଦାର ବିଜୟ ହାସଲ କରିନେଇଛି I ଆଇପିଏଲ ର ୫ମ ଲିଗ ରାଜସ୍ଥାନ ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମ ରେ ରାଜସ୍ଥାନ ରୟାଲସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁ ମୁହିଁ ହୋଇଥିଲେ I ପ୍ରଥମେ ଟସ ଜିତି ହାଇଦ୍ରାବାଦ ,ରାଜସ୍ଥାନ କୁ ବ୍ୟାଟିଂ କରି ବାକୁ ଆମନ୍ତ୍ରଣ କରିଥିଲା I ରାଜସ୍ଥାନ ପକ୍ଷରୁ ଅଧିନାୟକ ସଞ୍ଜୁ ସାମସନ ୫୫ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଦେବଦତ୍ତ ପାଡିକଲ ବିସ୍ଫୋରକ ୪୧ ରନ କରିଥିଲେ । ଏହାପରେ ରାଜସ୍ଥାନ ୬ ୱିକେଟ ହରାଇ ବିଶାଳ ୨୧୦ ରନ୍ କରି ନିଜର ପାଳି ସମାପ୍ତ କରି ବିପକ୍ଷ ଦଳ ସନରାଇଜର୍ସ ହାଇଦ୍ରାବାଦ କୁ ୨୧୧ ର ଲକ୍ଷ ଦେଇଥିଲା I


୨ୟ ଇନିଂସରେ ହାଇଦ୍ରାବାଦ ବ୍ୟାଟିଂ କରିବାକୁ ଆସି ପ୍ରଥମ ଓଭର ରେ ବିପର୍ଯୟ ର ସାମ୍ନା କରିଥିଲା I ହାଇଦ୍ରାବାଦକୁ ମାତ୍ର ୧୪୯ ରନରେ ସୀମିତ ରଖିବା ସହିତ ମ୍ୟାଚକୁ ଅନାୟାସରେ ୬୧ ରନରେ ଜିତି ନେଇଥିଲା ରାଜସ୍ଥାନ । ଏଡେନ୍ ମାର୍କରାମ୍ ଅପରାଜିତ ୫୬ ରନ କରିଥିବା ବେଳେ ୱାଶିଂଟନ୍ ସୁନ୍ଦର ଧୂଆଁଧାର ୪୦ ରନ୍ କରିଥିଲେ । ତେବେ ଦଳର ଟପ୍-୫ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ସ୍କୋର ଛୁଇଁ ନପାରିବା ଦଳକୁ ସଙ୍କଟରେ ପକାଇଥିଲା । ଟ୍ରେଣ୍ଟ ବୋଲ୍ଟ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଘାତକ ବୋଲିଂ ଫଳରେ ହାଇଦ୍ରାବାଦ ମାତ୍ର ୯ ରନରେ ୩ଟି ଓ ୨୯ ରନରେ ୪ଟି ୱିକେଟ ହରାଇଥିଲା । ମାର୍କରାମ ଗୋଟିଏ ପଟୁ ଇନିଂସ ସମ୍ଭାଳୁଥିବା ବେଳେ ଅନ୍ୟପଟୁ ୱିକେଟ ପଡି ଚାଲିଥିଲା । ରୋମାରିଓ ସେଫର୍ଡ(୨୪) ଏବଂ ସୁନ୍ଦର(୪୦)ଙ୍କୁ ସାଥୀକରି ମାର୍କରାମ ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିବା ବେଳେ ପରାଜୟ ବ୍ୟବଧାନ କମ କରିଥିଲେ । ମାର୍କରାମ ୪୧ ବଲ ଖେଳି ୫ଚୌକା ଓ ୨ ଛକା ମାରିଥିଲେ । ସମାନ ସଂଖ୍ୟକ ବାଉଣ୍ଡ୍ରି ମାରିଥିବା ସୁନ୍ଦର ମାତ୍ର ୧୪ ବଲ ଖେଳି ୪୦ ରନ କରିଥିଲେ । ରୟାଲ୍ସ ପକ୍ଷରୁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ବୋଲ୍ଟ ଓ ପ୍ରସିଦ୍ଧ ୨ଟି ଲେଖାଏଁ ୱିକେଟ ନେଇ ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ ।
ସେହିପରି ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ(୨୦) ଏବଂ ଜୋସ ବଟଲର(୩୫) ୫୮ ରନ ଯୋଡିଥିଲେ । ବଟଲରଙ୍କ ଇନିଂସରେ ୩ଟି ଲେଖାଏଁ ଛକା ଓ ଚୌକା ସାମିଲ ଥିଲା । ଜୟସ୍ୱାଲଙ୍କ ୱିକେଟ ପତନ ପରେ କମାଣ ସମ୍ଭାଳିଥିଲେ ସଞ୍ଜୁ ସାମସନ । ସମ୍ମୁଖ ଭାଗରୁ ଆକ୍ରମଣ କରିବା ସହିତ ପଡିଆର ଚତୁର୍ଦିଗକୁ ସଟମାନ ମାରିଥିଲେ । ଦେବଦତ୍ତ ପାଡିକଲ(୪୧)ଙ୍କ ସହିତ ୭୩ ରନର ପାର୍ଟନରଶିପ୍ କରିଥିଲେ ସାମସନ୍ । ପାଡିକଲ ୨୯ଟି ବଲ୍ ଖେଳି ୪ଚୌକା ଓ ୨ ଛକା ସହିତ ୪୧ ରନ କରିଥିଲେ । ସାମସନ୍ ମାତ୍ର ୨୭ ବଲ ଖେଳି ୩ ଚୌକା ଓ ୫ ଛକା ସହିତ ୫୫ ରନ କରିଥିଲେ । ଶେଷ ଆଡକୁ ସିମରନ୍ ହିଟମେୟର ୧୩ ବଲରୁ ୩୨ ରନ କରିବାରୁ ଦଳ ୨୦୦ ରନ ପାର କରିଥିଲା । ହାଇଦ୍ରାବାଦ ପକ୍ଷରୁ ଟି ନଟରାଜନ ଓ ଉମ୍ରାନ ମଲିକ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର କୁମାର ଓ ରୋମାରିଓ ଶେଫର୍ଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Comments are closed, but trackbacks and pingbacks are open.