ବୌଦ୍ଧ ରେ ଜୋର ଧରିଲା ବିଜେଡି ର ପୌର ନିର୍ବାଚନ ପ୍ରଚାର

35

ପୌର ନିର୍ବାଚନର ପ୍ରଚାର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ରବିବାର କନ୍ଧମାଳ ସାଂସଦ ଡା. ଅଚ୍ୟୁତାନନ୍ଦ ସାମନ୍ତ ଓ ବିଧାୟକ ପ୍ରଦୀପ କୁମାର ଅମାତ ସହରର ବିଭିନ୍ନ ୱାର୍ଡରେ ଦଳୀୟ ପ୍ରାର୍ଥୀମାନଙ୍କୁ ଜିତାଇବାକୁ ମାରାଥନ ପ୍ରଚାର କରିଛନ୍ତି । ବିଜେଡି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ବୁଟୁପାଲିଠାରୁ ସାଂସଦ ଡ. ସାମନ୍ତଙ୍କୁ ସ୍ୱାଗତ କରାଯିବା ସହିତ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା। ଦଳର ଯୁବ କର୍ମୀମାନେ ମଟର ସାଇକେଲ ନେଇ ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ପ୍ରତ୍ୟେକ ୱାର୍ଡରେ ମହିଳା କର୍ମୀମାନେ ଶୋଭାଯାତ୍ରାକୁ ସ୍ୱାଗତ କରିବା ସହିତ ପ୍ରଚାରରେ ସାମିଲ ହୋଇଥିଲେ। ଏହା ବ୍ୟତୀତ ଅଧ୍ୟକ୍ଷ ପ୍ରାର୍ଥୀ ଦୌଡରୁ ବାଦ୍ ପଡିଥିବା ଆଶାୟୀମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ନେଇ ସହରରେ ପ୍ରଚାର ଚାଲିଥିବାବେଳେ ଏହି ପ୍ରଚାର ଶୋଭାଯାତ୍ରାରେ ସମସ୍ତ ଆଶାୟୀଙ୍କୁ ମଧ୍ୟ ସାମିଲ କରାଯାଇ ଦଳ ପକ୍ଷରୁ ନିଜର ଶୃଙ୍ଖଳା ଓ ଦଳୀୟ କାର୍ଯ୍ୟ କର୍ତ୍ତାଙ୍କ ମଧ୍ୟରେ କୌଣସି ବାଦ ବିବାଦ ନଥିବା ବାର୍ତ୍ତା ଦିଆଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାତି ଅଧାରେ ଦଳୀୟ ଟୋପି ପିନ୍ଧି ସକାଳୁ ବିରୋଧୀ ଦଳର ଅଧ୍ୟକ୍ଷiପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କ ଉପରେ ବିଜେଡି ସାଂସଦ ଡ. ସାମନ୍ତଙ୍କ ଆଶୀର୍ବାଦ ଥିବା ନେଇ କରାଯାଉଥିବା ଅପପ୍ରଚାର ସଂପର୍କରେ ମଧ୍ୟ ଏହି ପ୍ରଚାର ସମୟରେ ଡ. ସାଂସଦ ପରୋକ୍ଷରେ ସୂଚନା ଦେଇଛନ୍ତି। ବିଜେଡିରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ୱାର୍ଡସଭ୍ୟ ପର୍ଯ୍ୟନ୍ତ ପାଞ୍ଚ ଆଙ୍ଗୁଠିକୁ ମିଶାଇ ଗୋଟିଏ ମୁଠି ବୋଲି ପ୍ରକାଶ କରିବା ସହିତ ଦଳୀୟ ଅଧ୍ୟକ୍ଷ ପ୍ରାର୍ଥୀ ମୃତ୍ୟୁଞ୍ଜୟ ମିଶ୍ରଙ୍କ ସମେତ ସମସ୍ତ ୱାର୍ଡସଭ୍ୟ ସଭ୍ୟାଙ୍କୁ ବିପୁଳ ଭୋଟରେ ଜିତାଇ ଜିଲାରେ ଜାରି ରହିଥିବା ବିକାଶର ଧାରା ବଜାୟ ରଖିବାକୁ ବୌଦ୍ଧର ସଚେତନ ନାଗରିକମାନଙ୍କୁ ସାଂସଦ ଡ. ସାମନ୍ତ ନିବେଦନ କରିଥିଲେ। ଏହି ପ୍ରଚାର ଶୋଭାଯାତ୍ରାରେ ସମସ୍ତ ୱାର୍ଡ ସଭ୍ୟସଭ୍ୟାଙ୍କ ସହ ସାଂସଦ ପ୍ରତିନିଧି ତାରେଣି ମହାପାତ୍ର, ବସନ୍ତ କୁମାର ସ୍ୱାଇଁ, ଡା. ଗିରିଜା ଶଙ୍କର ପାଢୀ, ଚନ୍ଦ୍ର ଶେଖର ପ୍ରଧାନ, ସୁମନ ଷଡଙ୍ଗୀ ଓ ଦଳୀୟ ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକଙ୍କ ସମେତ ଏକ ହଜାରରୁ ଅଧିକ ଦଳୀୟ କାର୍ଯ୍ୟକର୍ତ୍ତା ଓ ଦଳୀୟ କର୍ମୀ ସାମିଲ ହୋଇଥିଲେ। ଶୋଭାଯାତ୍ରା ଅବସରରେ ନୂଆସାହି ଓ ବାପୁଜିନଗରଠାରେ ପଥପ୍ରାନ୍ତ ସଭାରେ ସାଂସଦ ଡା. ସାମନ୍ତ ଓ ଅଧ୍ୟକ୍ଷ ପ୍ରାର୍ଥୀ ମୃତ୍ୟୁଞ୍ଜୟ ମିଶ୍ର ଭୋଟଦାନ ପାଇଁ iବସ୍ତିବାସୀନ୍ଦାମାନଙ୍କୁ ନିବେଦନ କରିଥିଲେ। ତେବେ ସାଂସଦ ଓ ବିଧାୟକଙ୍କ ଦ୍ୱାରା ମାରାଥନ ପ୍ରଚାର ପରେ ବିଜେଡିର ଦଳୀୟ କର୍ମୀଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି । ପ୍ରଚାର ଶୋଭାଯାତ୍ରାରେ ସହରର ବିଭିନ୍ନ ୱାର୍ଡରେ ସାଂସଦ ଓ ବିଧାୟକଙ୍କୁ ଦଳୀୟ କର୍ମୀମାନେ ସ୍ୱାଗତ କରିଥିଲେ । ଚଳିତ ପୌର ନିର୍ବାଚନରେ ମୂଳରୁ ହିଁ ଅନ୍ୟ ଦଳ ଅପେକ୍ଷା ବିଜେଡି ଦୃଢ ସ୍ଥିତିରେ ଥିବାବେଳେ ଭୋଟ ପ୍ରଚାରର ଶେଷ ପର୍ଯ୍ୟାୟରେ ବିଜେଡିର ଶକ୍ତି ପ୍ରଦର୍ଶନ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଲାଭଦାୟକ ହେବବୋଲି ଦଳୀୟ ନେତାମାନେ ଆଶାପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.