IPL-୨୦୨୨: ବିସିସିଆଇ ବଦଳାଇଲା DRS ଓ ସୁପର ଓଭର ନିୟମ, ମ୍ୟାଚ୍ ଏହିପରି ଖେଳାଯିବ

24

ଚଳିତ ମାସ ୨୬ ରେ ଆଇପିଏଲ-୨୦୨୨ ଆରମ୍ଭ ହେବାକୁ ଯାଉଛି I ଉଦ୍ଘାଟନୀ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ଆଇପିଏଲ ମ୍ୟାଚର ପ୍ଲେଇଂ କଣ୍ଡିସନ୍ସରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଚଳିତ ଆଇପିଏଲରେ ଡିସେସନ ରିଭ୍ୟୁ ସିଷ୍ଟମ (ଡିଆରଏସ) ସଂଖ୍ୟା ବୃଦ୍ଧି କରାଯାଇଛି । ପୂର୍ବରୁ ଗୋଟିଏ ଡିଆରଏସ ଥିବାବେଳେ ଏବେ ଏହାକୁ ଦୁଇ ଅଙ୍କକୁ ବଢ଼ାଇ ଦିଆଯାଇଛି । ମେରିଲବୋନ କ୍ରିକେଟ କ୍ଲବ (ଏମସିସି) ଦ୍ୱାରା ଜାରି କରାଯାଇଥିବା ନୂଆ ନିୟମକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମର୍ଥନ କରିଛି । ଏଥିସହ ବିସିସିଆଇ ଚଳିତ ଆଇପିଏଲ ପାଇଁ କିଛି ନୂଆ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ରିପୋର୍ଟ ମୁତାବକ, କୋଭିଡ-୧୯ କାରଣରୁ ଯଦି କୌଣସି ଟିମ୍ ପ୍ଲେଇଂ-୧୧ ବାଛିବାରେ ଅସମର୍ଥ ହୁଏ, ତେବେ ବିସିସିଆଇ ଉକ୍ତ ମ୍ୟାଚର ପୁନର୍ବାର ଆୟୋଜନ କରିବ । କୋଭିଡ କାରଣରୁ ପୂର୍ବ ନିର୍ଦ୍ଧାରିତ ମ୍ୟାଚ ହୋଇ ନପାରିଲେ, ଉକ୍ତ ମାମଲା ବୈଷୟିକ କମିଟି ନିକଟକୁ ପଠାଯିବ । ଏହି କମିଟିର ନିଷ୍ପତ୍ତି ଚୂଡ଼ାନ୍ତ ଓ ବାଧ୍ୟତାମୂଳକ ହେବ । ଜଣେ ଖେଳାଳି କ୍ୟାଚ ଆଉଟ ହେବା ପରେ ନୂଆ ବ୍ୟାଟ୍ସମ୍ୟାନ ଷ୍ଟ୍ରାଇକରେ ରହିବ । ବ୍ୟାଟ୍ସମ୍ୟାନ କ୍ରିଜ ପାର କରିସାରିଥିଲେ କିମ୍ବା ଓଭରର ଅନ୍ତିମ ବଲ ହୋଇଥିଲେ ଏ କ୍ଷେତ୍ରରେ କୌଣସି ଫରକ ପଡ଼ିବନି । ପ୍ଲେ ଅଫ୍ / ଫାଇନାଲ ମ୍ୟାଚରେ ସୁପର ଓଭର ମାଧ୍ୟମରେ ଯଦି ଟାଇକୁ ରୋକିବା ସମ୍ଭବ ହେବନି, ତେବେ ତିନୋଟି ଲିଗ ମ୍ୟାଚରେ ଉଚ୍ଚ ସ୍ଥାନ ହାସଲ କରିଥିବା ଟିମକୁ ବିଜେତା ଘୋଷଣା କରାଯିବ

Comments are closed, but trackbacks and pingbacks are open.