ଏଥର କିଏ ହାତେଇବ ବିଏମସି ମେୟର ପଦ,ତିନି ନେତ୍ରୀ ଙ୍କ ମଧ୍ୟରେ ଜୋରଦାର ହେବ ଲଢେଇ
ପୌର ନିର୍ବାଚନ ପାଇଁ ରାଜଧାନୀ ରାଜନୀତି ସରଗରମ I ବିଏମସି ପାଇଁ ତିନି ପ୍ରମୁଖ ଦଳର ମେୟର ପ୍ରାର୍ଥୀ ଘୋଷଣା ହୋଇ ସାରିଛନ୍ତି I ୭ ତାରିଖ ଦିନ ସମସ୍ତ ମେୟର ଙ୍କ ସହିତ କର୍ପୋରେଟର ମାନେ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି I ଏହା ପରଠାରୁ ପ୍ରଚାର ରେ କମ୍ପିବ ରାଜଧାନୀ I ତେବେ ଭୁବନେଶ୍ୱର ମହାନଗର ନିଗମର ନୂଆ ମେୟର, କିଏ ହେବ ତାକୁ ନେଇ ରଣନୀତି ପ୍ରସ୍ତୁତ ହେଇଗଲାଣି I ଏଥର ଦୁଇ ପ୍ରମୁଖ ମହାନଗର ଭୁବନେଶ୍ୱର ଏବଂ ବ୍ରହ୍ମପୁର ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି I ତେଣୁ ଭୁବନେଶ୍ୱର ପାଇଁ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଚେହେରା ସାମ୍ନାକୁ ଆସିଛି । ଭୁବନେଶ୍ୱର ପାଇଁ ମେୟର ପ୍ରାର୍ଥୀ ଭାବେ ସୁଲୋଚନା ଦାସଙ୍କ ନାଁ ଘୋଷଣା କରିଛି ବିଜୁ ଜନତା ଦଳ(ବିଜେଡି) । ସେହିପରି ଭାରତୀୟ ଜନତା ପାର୍ଟି(ବିଜେପି) ସୁନୀତି ମୁଣ୍ଡଙ୍କୁ ମୈଦାନକୁ ଓହ୍ଲାଇଥିବା ବେଳେ ସମାଜସେବୀ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ କରିଛି କଂଗ୍ରେସ ।
ସୁଲୋଚନା ଦାସ(ବିଜେଡି)
ସାମ୍ବାଦିକାରୁ ରାଜନେତା ବନିଥିବା ସୁଲୋଚନା ଦାସଙ୍କୁ ବଡ ଦାୟିତ୍ୱ ମିଳିଛି । ଭୁବନେଶ୍ୱରରୁ ଜିତି ଦଳର ସମ୍ମାନ ରକ୍ଷା କରିବା ହେବ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ୧୪ ବର୍ଷ ଧରି ସାମ୍ବାଦିକତା କରିବା ପରେ ରାଜନୀତିରେ ପାଦ ଦେଇଥିଲେ ସୁଲୋଚନା ଦାସ । ପ୍ରଥମେ କଂଗ୍ରେସରେ ସାମିଲ ହୋଇଥିବା ବେଳେ କଂଗ୍ରେସ ମୁଖପାତ୍ର ଭାବେ ସେ ନିଯୁକ୍ତ ହୋଇଥିଲେ । ଟିଭି ଡିବେଟରେ ବରିଷ୍ଠ ନେତା ଦାମ ରାଉତଙ୍କ ସହ ବିବାଦ ତାଙ୍କୁ ଚର୍ଚ୍ଚାକୁ ଆଣିଥିଲା । କଂଗ୍ରେସର ସାଧାରଣ ସମ୍ପାଦିକା ମଧ୍ୟ ଥିଲେ ସୁଲୋଚନା । ୨୦୧୭ରେ ବିଜେଡିରେ ସେ ସାମିଲ ହୋଇଥିଲେ । ବିଜେଡିର ମୁଖପାତ୍ର ଭାବେ ସୁଲୋଚନାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପରେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା ।
ମଧୁସ୍ମିତା ଆଚାର୍ଯ୍ୟ(କଂଗ୍ରେସ)
ସମାଜସେବୀ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ଭୁବନେଶ୍ୱରର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଧୁସ୍ମିତା ପୂର୍ବତନ କଂଗ୍ରେସ ବିଧାୟକ ସ୍ୱର୍ଗତ କାଙ୍ଗାଳି ପଣ୍ଡାଙ୍କ ବୋହୁ । ସେ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ । ଏଥିସହ ସେ ବିଭିନ୍ନ ସମାଜ ସେବା କାର୍ଯ୍ୟରେ ଜଡିତ ଥିଲେ । ଟିକେଟ ପାଇବା ପରେ ଦଳକୁ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଭୋଟ ଦେବାକୁ ଅପିଲ କରିଛନ୍ତି ମଧୁସ୍ମିତା ।
ସୁନୀତି ମୁଣ୍ଡ(ବିଜେପି)
ଶାସକ ଦଳକୁ କଡା ଟକର ଦେବାକୁ ନୂଆ ଚେହେରା ସାମ୍ନାକୁ ଆଣିଛି ବିଜେପି । ଡକ୍ଟର ସୁନୀତି ମୁଣ୍ଡଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ଜଣେ ଲେଖିକା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୁନୀତି । ନିଜ ଲେଖା ମାଧ୍ୟମରେ ସମାଜକୁ ପରିବର୍ତ୍ତନ କରିବାର ଉଦ୍ୟମ କରିଥିଲେ ସୁନୀତି । ଆଉ ଏବେ ରାଜନୀତି ମୈଦାନକୁ ଓହ୍ଲାଇ ସିଧାସଳଖ ଲୋକଙ୍କ ଭରସା ଜିତିବାକୁ ଆଶା ରଖିଛନ୍ତି ସୁନୀତି ମୁଣ୍ଡ ।
ତେବେ କିଏ ଜିତିବ ଭୁବନେଶ୍ୱରବାସୀଙ୍କ ଭରସା, ଆଉ ବନିବ ରାଜଧାନୀର ନୂଆ ମେୟର, ତା ଉପରେ ରହିଛି ସମସ୍ତଙ୍କ ନଜର । ପ୍ରଥମ ଥର ପାଇଁ ପ୍ରତ୍ୟେକ୍ଷ ଭାବେ ହେବାକୁ ଯାଉଛି ମେୟର ନିର୍ବାଚନ । ତେଣୁ କେଉଁ ରାଜନୀତି ଦଳ ଲୋକଙ୍କ ମନ ଜିଣିବାରେ ସକ୍ଷମ ହେଉଛି, ଏବେ ତାକୁ ହିଁ ଅପେକ୍ଷା । ଦେଖିବାକୁ ଗଲେ ତିନି ଜଣ ଯାକ ପ୍ରାର୍ଥୀ ହେଉଛନ୍ତି ଉଚ୍ଚଶିକ୍ଷିତା । ଯୋଗ୍ୟତା ଭିତ୍ତିରେ କିଏ କାହାଠାରୁ କମ୍ ନୁହନ୍ତି । ଯିଏ ବି ଜିତନ୍ତୁ, ରାଜଧାନୀବାସୀଙ୍କ ବିକାଶ ନିଶ୍ଚିତ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି I
Comments are closed, but trackbacks and pingbacks are open.