ପୁଣି ନିର୍ବାଚନୀ ହିଂସା : ବାରଙ୍ଗରେ ଭୋଟ୍ ବାକ୍ସ ଲୁଟ୍, ଯାଜପୁରରେ ପୋଖରୀରେ ଫିଙ୍ଗିଲେ,

27

ଶାନ୍ତିଶୃଙ୍ଖଳା ଓ ଅବାଧରେ ପଂଚାୟତ ନିର୍ବାଚନର ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକ ସମ୍ପନ୍ନ କରିବା ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଙ୍କ ସମୀକ୍ଷା ବୈଠକ ଓ ପୁଲିସ ଡିଜିଙ୍କ ଆଶ୍ୱାସନାକୁ ୨୪ଘଣ୍ଟା ନପୁରୁଣୁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ବ୍ୟାପକ ହିଂସାକାଣ୍ଡ ହୋଇଛି । କେଉଁଠି ଦୁର୍ବୃତ୍ତମାନେ ବାଲାଟ ପେପର ଛଡ଼ାଇ ନେଇଛନ୍ତି ତ ଆଉ କେଉଁଠି ଜୋରଜବରଦସ୍ତ ବାଲାଟ ପେପରରେ ମୋହର ମାରି ଭୋଟ୍ ବାକ୍ସରେ ପକାଇଛନ୍ତି। ସେହିପରି କିଛି ସ୍ଥାନରେ ଦୁର୍ବୃତ୍ତମାନେ ଭୋଟ୍ ବାକ୍ସ ମଧ୍ୟ ଲୁଟି ନେଇଛନ୍ତି।
କଟକ ଜିଲ୍ଲା ବାରଙ୍ଗ ବ୍ଲକ୍ କୁରାଙ୍ଗପ୍ରଧାନ ପଞ୍ଚାୟତ କୁରୁଣ୍ଡିର ୧୧ନଂ ବୁଥ୍ରୁ ଭୋଟ୍ ବାକ୍ସ ଲୁଟି ନେଇଛନ୍ତି କିଛି ଦୁର୍ବୃତ୍ତ। ସେଠାରେ ଉପସ୍ଥିତ ଜଣେ ସରପଞ୍ଚ ପ୍ରାର୍ଥୀ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ସେମାନେ ମାରଣାସ୍ତ୍ରରେ ଧମକାଇ ସେଠାରୁ ପଳାଇଥିଲେ। ସଂପୃକ୍ତ ସରପଞ୍ଚ ପ୍ରାର୍ଥୀ ଏହି ଘଟଣା ନେଇ ଥାନାରେ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ଭୋଟ୍ ବାକ୍ସ ଲୁଟ୍ ପରେ ଉକ୍ତ ବୁଥ୍ ରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଧାରଣା ମଧ୍ୟ ଦେଇଛନ୍ତି।
ସେହିପରି ଯାଜପୁରରେ ମଧ୍ୟ ଏଭଳି ଏକ ଘଟଣା ଘଟିଛି। ଦଶରଥପୁର ବ୍ଳକ୍ ୯ ନମ୍ବର ବୁଥ୍ର ଭୋଟ୍ ବାକ୍ସକୁ କିଛି ଦୁର୍ବୃତ୍ତ ଛଡ଼ାଇ ନେଇ ପୋଖରୀରେ ଫିଙ୍ଗି ଦେଇଛନ୍ତି। ମତଦାନ ଶେଷ ହେବା ପରେ ପୋଲିଂ ଅଫିସରମାନେ ଭୋଟ୍ ବାକ୍ସକୁ ସିଲ୍ କରୁଥିବା ବେଳେ ୨ରୁ ୪ ଜଣ ଦୁର୍ବୃତ୍ତ ଆସି ସେମାନଙ୍କ ଠାରୁ ବାକ୍ସଟିକୁ ନେଇ ଯାଇଥିଲେ। ଦୁର୍ବୃତ୍ତମାନେ ଭୋଟ୍ ବାକ୍ସଟିକୁ ନିକଟସ୍ଥ ପୋଖରୀରେ ଫିଙ୍ଗି ଦେଇଥିଲେ।
ଏହି ବୁଥ୍ଟି ବ୍ଲକ୍ ଓ ତହସିଲ ଅଫିସ ନିକଟରେ ହୋଇଥିଲା ଏବଂ ସେଠାରେ ସୁରକ୍ଷା କର୍ମଚାରୀ ମଧ୍ୟ ନିୟୋଜିତ ହୋଇଥିଲେ। କିନ୍ତୁ ଏହା ସତ୍ତ୍ୱେ ଦୁର୍ବୃତ୍ତମାନେ ଭୋଟ୍ ବାକ୍ସ ଛଡ଼ାଇ ପୋଖରୀରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଯେଉଁ ଦୁର୍ବୃତ୍ତମାନେ ଏହି କାଣ୍ଡ ଭିଆଇଛନ୍ତି ସେମାନଙ୍କୁ ପୁଲିସ୍ ଖୋଜୁଛି। ସେହି ଭଳି ବଡ଼ଚଣା ବ୍ଲକ ଚମ୍ପାପୁର ପଞ୍ଚାୟତର ଏକ ଵାଲାଟ ବକ୍ସରେ ବେଆଇନ ଭାବେ ବାଲାଟ ପେପର ପୁରାଇଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିକୁ କାବୁ କରିଛନ୍ତି ଲୋକେ । ତେବେ ପ୍ରଶ୍ନ ଉଠୁଛି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେହି ବ୍ୟକ୍ତି ଜଣକ ସିଲ ଥିବା ଵାଲାଟ ବାକ୍ସ ଖୋଲିଥିଲେ କିପରି ଏବଂ ଵାଲାଟ ପେପର ପୁରାଇବାକୁ ସାହସ କଲେ କିପରି ।

ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଅମର ନାୟକ ଘଟଣାସ୍ଥଳରେ ପହଞ୍ଚି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତୁରନ୍ତ ବିହିତ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିବା ସହିତ ଷ୍ଟ୍ରଙ୍ଗ ରୁମରେ ବାଲାଟ ବକ୍ସ କିଭଳି ସୁରକ୍ଷିତ ରହିବ ସେ ନେଇ ପ୍ରଶ୍ନ କରିଛନ୍ତି । ତେବେ ଚକ୍ରାନ୍ତ କରି ବକ୍ସ ଭିତରେ ବାଲାଟ ପେପର ପୁରାଉଥିବା ବ୍ୟକ୍ତିକୁ କାବୁ କରିବା ସହ ପୋଲିସ ଜିମା ଦିଆଯାଇଛି ।

Comments are closed, but trackbacks and pingbacks are open.