ପଂଚାୟତ ନିର୍ବାଚନ ହିଂସାକୁ ନେଇ ମୁହାଁମୁହିଁ ହେଲେ ୩ ଦଳ ର ନେତା

21

ଗତ କାଲି ରାଜ୍ୟରେ ଆରମ୍ଭ ହୋଇଥିବା ପଂଚାୟତ ନିର୍ବାଚନ ର ପ୍ରଥମ ପର୍ଯାୟର ମତଦାନ ହୋଇଛି I ତେବେ ପଞ୍ଚାୟତ ନିର୍ବାଚନ ଆରମ୍ଭରୁ ଅନେକ ସ୍ଥାନରେ ଗଣ୍ଡଗୋଳ ଦେଖାଦେଇଛି Iକେଉଁଠି ଭୋଟ ବାକ୍ସ ହଡ଼ପ କରି ଲୋକେ ନେଇଗଲେ ତ କେଉଁଠି ଗୋଷ୍ଠୀ ସଂଘର୍ଷ ଘଟି ଗୁରୁତର ହେଲେଣି ଲୋକେ। ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଭୟାନକ ଚିତ୍ର ଦେଖିବାକୁ ମିଳିଥିବା ବେଳେ ଏଥିପାଇଁ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି।ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଗତକାଲି ସରିଛି। ଗତକାଲି ହୋଇଥିବା ନିର୍ବାଚନ ସମୟରେ ତଥା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟୁଥିବା ବେଳେ ଯେଉଁ ଚିତ୍ର ସାମନାକୁ ଆସୁଛି ତାହା ଖୁବ୍‌ ହୃଦୟ ବିଦାୟକ।
ଏହା ସହିତ ଦଳ ର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ସମୟରେ ରାଜନୈତିକ ହିଂସାକୁ ଦୃଢ଼ ନିନ୍ଦା କରିଛନ୍ତି ସେ ଟ୍ୱିଟ୍ କରି କହିଛନ୍ତି କି , ଏହା ଚିନ୍ତାଜନକ ଓ ଦୁଃଖଦାୟକ । ରାଜ୍ୟ ନିର୍ବାଚନ କମିଶନ,ଆଇନଶୃଙ୍ଖଳା ସ୍ଥିତି ଠିକ ନଥିବା ସେ କହିଛନ୍ତି । ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ପ୍ରାକ୍ ନିର୍ବାଚନୀ ହିଂସା ମଧ୍ୟ ଘଟିଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ କହିଛନ୍ତି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହିଂସାରେ ଶେଷ ହୋଇଛି । ଏପରିକି କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି ହିଂସାରୁ ବର୍ତ୍ତି ପାରିନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।ଗଣମାଧ୍ୟମ ଓ ନିର୍ବାଚନ ହୋଇଥିବା ଜିଲ୍ଲା ମାନଙ୍କରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁସାରେ ବହୁ ସ୍ଥାନରେ ବୁଥ ଜବରଦଖଲ, ହିଂସା, ନିର୍ମମ ଭାବେ ମାରପିଟ ହୋଇଥିବା ନଜରକୁ ଆସିଛି ।
ଖାଲି ସେତିକି ନୁହେଁ କର୍ତ୍ତବ୍ୟରତ ନ୍ୟୁଜ-୧୮ର ସାମ୍ବାଦିକ ସୁମନ୍ତ ସୁନ୍ଦରାୟ ଓ କ୍ୟାମେରାମ୍ୟାନ ଚେତନ ସ୍ୱାଇଁଙ୍କୁ ଏବଂ ନ୍ୟୁଜ-୭ର ସାମ୍ବାଦିକ ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ କରାଯାଇ ତାଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ କରିଛନ୍ତି ।ଯାହାକୁ ସେ ଦୃଢ଼ ନିନ୍ଦା କରୁଛନ୍ତି ବୋଲି କହିଛନ୍ତି I
ସେହିଭଳି ଦେଖିବାକୁ ଗଲେ ଗତ କାଲି ମତଦାନ ଗ୍ରହଣ ସମୟରେ ଅନେକ ସ୍ଥାନରେ ଶାସକ ଦଳର ପ୍ରାର୍ଥୀଙ୍କ ବିଜୟ ଲାଗି ପୁଲିଂ ବୁଥରେ ଭୋଟରଙ୍କୁ ଧମକ ଓ ଭୟଭୀତ କରାଇ ଭୋଟ୍ ଗ୍ରହଣ କେନ୍ଦ୍ରକୁ ନଆସିବା ଲାଗି ବାରଣ କରାଯାଉଛି ବୋଲି ନିରଞ୍ଜନ କହିଛନ୍ତି ।

ସେପଟେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି ବିଜେଡି ସବୁବେଳେ ଅହିଂସାରେ ବିଶ୍ୱାସ କରେ । ଶାନ୍ତିପୂର୍ଣ୍ଣ ନିର୍ବାଚନରେ ହିଁ ଗଣତନ୍ତ୍ର ସମ୍ଭବ । ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି ନିର୍ବାଚନ ହାରିବା ଭୟରେ ହିଂସା କରୁଛି । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସରକାରୀ କର୍ମଚାରୀଙ୍କୁ ଧମକାଉଥିବା ପ୍ରଣବ କହିଛନ୍ତି । ଏଥିସହିତ ଜୁଏଲ ଓରାମ ମହିଳାଙ୍କ ପ୍ରତି ଦେଖାଇଥିବା ଅଶୋଭନୀୟ ଆଚରଣ ଏବଂ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସରକାରୀ କର୍ମଚାରୀଙ୍କୁ ମାଡ ମାରିଥିବା କଥା ଉଲ୍ଲେଖ କରିଛନ୍ତି ।

Comments are closed, but trackbacks and pingbacks are open.