ନିର୍ବାଚନ ସମୟରେ ମାଓବାଦୀଙ୍କ ବର୍ବର କାଣ୍ଡ

18

ନିର୍ବାଚନ ସମୟରେ ସକ୍ରିୟ ମାଓବାଦୀ । ଭିଆଉଛନ୍ତି ବର୍ବର କାଣ୍ଡ I ବ୍ୟାନର ତଳେ ବିଛାଉଛନ୍ତି ମୃତ୍ୟୁର ଫାଶ । ନିର୍ବାଚନକୁ ବିରୋଧ କରି ଆସୁଥିବା ମାଓବାଦୀ ସଂଗଠନ ନିର୍ବାଚନ ସମୟରେ ପୁଣି ଥରେ ସକ୍ରିୟ ହୋଇଛନ୍ତି । କିନ୍ତୁ ଏଥର ଠିକଣା ବଦଳାଇ ନୂଆ ଠିକଣା ବାଛିଛନ୍ତି । ମାଲକାନଗିରି ବଦଳରେ ଏଥର କନ୍ଧମାଳ ଓ କଳାହାଣ୍ଡି ପାଲଟିଛି ନୂଆ ଠିକଣା । ନିଜର ଉପସ୍ଥିତି ଜାହିର କରିବା ପାଇଁ ଗତ ୫ ତାରିଖରେ କଳାହାଣ୍ଡି ମଦନପୁର-ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଗାଁରେ ମାଓବାଦୀମାନେ ପୋଷ୍ଟର ତଳେ ଖଞ୍ଜି ଥିବା ପ୍ରେସର ବୋମା ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ୱାଳ ପ୍ରାଣ ହରାଇଥିଲେ । ଆଉ ଏହି ଘଟଣାର ଠିକ ୩ ଦିନ ପରେ କନ୍ଧମାଳ କିଆମୁଣ୍ଡାଠାରେ ଦୁଇଟି ଜେସିବି ପୋଡିବା ପରେ ସେଠାରେ ବ୍ୟାନର ପୋଷ୍ଟର ତଳେ ମୃତ୍ୟୁର ଫାଶ ପକାଇଥିଲେ ମାଓବାଦୀ । ସେଠାରେ ମଧ୍ୟ ପୋଷ୍ଟର ଦେଖିବାକୁ ଯାଇ ବୋମା ବିସ୍ଫୋରଣର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି ଜଣେ ୨୦ ବର୍ଷିୟ ଯୁବକ ପ୍ରଣୟ ରଞ୍ଜନ କଅଁର ।
କନ୍ଧମାଳ କଳାହାଣ୍ଡି ଅଞ୍ଚଳରେ ମୁଣ୍ଡ ଟେକୁଛି କେକେବିଏନ୍ ଡିଭିଜନ୍ । ଭୌଗଳିକ ସ୍ଥିତିକୁ ଦେଖିଲେ କନ୍ଧମାଳ ସୀମାରେ ରହିଛି କଳାହାଣ୍ଡି ଏମ. ରାମପୁର ବ୍ଲକର ମୋହନଗିରି ଗାଁ । ଆଉ କନ୍ଧମାଳ, କଳାହାଣ୍ଡି ବୌଦ୍ଧ ନୟାଗଡକୁ ନେଇ ମାଓବାଦୀମାନେ କେକେବିଏନ୍ ଡିଭିଜନ ଗଠନ କରି ଏହାକୁ ଏକ ନୂତନ କରିଡର ଭାବେ ବ୍ୟବହାର କରୁଥିବାବେଳେ ଓଡିଶାର କୁଖ୍ୟାତ ମାଓନେତା ନିଖିଲ ଏହି ସଙ୍ଗଠନର ନେତୃତ୍ୱ ନେଉଛନ୍ତି । ସେହିପରି କନ୍ଧମାଳ, କଳାହାଣ୍ଡି, ନୟାଗଡ, ବୌଦ୍ଧ ପରି ଅନେକ ଛୋଟ ଛୋଟ ଆଞ୍ଚଳିକ କମିଟି ଗଠନ କରି ଏହାର ମଙ୍ଗ ଧରିଛନ୍ତି ଛତିଶଗଡ କ୍ୟାଡରର ମାଓନେତା ପ୍ରଦୀପ, ଦାସରୁ ଓ ମମତା ପ୍ରମୁଖ । ତେବେ ନିର୍ବାଚନକୁ ଭଣ୍ଡୁର କରିବା ଲାଗି ଏସବୁ କରୁଥିବା କହିଛନ୍ତି କନ୍ଧମାଳ ଏସପି ସରବଣା ବିବେକ ।
ସେପଟେ ମାଲକାନଗିରି, କୋରାପୁଟ ଅଞ୍ଚଳରେ ସକ୍ରିୟ ଥିବା ଆନ୍ଧ୍ର ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟି ଏବେ ଏକ ପ୍ରକାର ଲୋପ ପାଇବାକୁ ବସିଛି । ମାଓବାଦୀଙ୍କ ଲାଲସ୍ତମ୍ଭରେ ଏବେ ନାଲି ପତାକା ବଦଳରେ ପ୍ରାର୍ଥୀଙ୍କ ନିର୍ବାଚନୀ ବ୍ୟାନର ପୋଷ୍ଟର ଲାଗିଛି ।

Leave A Reply

Your email address will not be published.