କୋଭିଡ୍‌ ଗାଇଡଲାଇନ୍‌ ଉଲ୍ଲଂଘନ କୁ ନେଇ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ପ୍ରିନ୍ସିପାଲଙ୍କୁ କାରଣ ଦର୍ଶାଅ ନୋଟିସ୍‌

69

କୋଭିଡ୍‌ ଗାଇଡଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ପ୍ରିନ୍ସିପାଲଙ୍କୁ ୨୪ ଘଣ୍ଟା ମଧ୍ୟରେ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟଙ୍କ ପକ୍ଷରୁ ଏହି ନୋଟିସ୍‌ ଜାରି ହୋଇଛି । ସ୍କୁଲ ଖୋଲିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ଜାରି କରିଥିଲେ ଗାଇଡଲାଇନ୍‌ । ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଆସିଥିଲା ନିର୍ଦ୍ଦେଶନାମା । ଯେଉଁଥିରେ ଅଫଲାଇନ୍‌ କିମ୍ବା ଅନଲାଇନ୍‌ ମୋଡରେ ପରୀକ୍ଷା ଦେବାକୁ ବିକଳ୍ପ ବ୍ୟବସ୍ଥା ପାଇଁ କୁହାଯାଇଥିଲା । କରୋନା ମହାମାର ପ୍ରଭାବ ଯୋଗୁ ଗତ ଦୁଇବର୍ଷ ଧରି ପିଲାମାନଙ୍କ ପାଠପଢ଼ା ବନ୍ଦ ଥିଲା । ମହାମାରୀ ପ୍ରଭାବ କମିବା ପରେ ଫେବୃୟାରୀ ୭ରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଛି । ୧୪ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଦୀର୍ଘଦିନ ଧରି ଅଫଲାଇନ୍ ପାଠପଢ଼ା ବନ୍ଦ ଥିବାରୁ କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଓ ଭାବନାତ୍ମକସ୍ତରରେ ଅନେକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ଫେବୃୟାରୀ ୩ତାରିଖରେ ସ୍କୁଲଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ଏଥିରେ ପିଲାମାନେ ତାଙ୍କ ଇଚ୍ଛା ଅନୁସାରେ ଅଫଲାଇନ, ଅନଲାଇନ୍ କିମ୍ବା ହାଇବ୍ରିଡ୍ ମୋଡରେ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା ।କିନ୍ତୁ ଚନ୍ଦ୍ରଶେଖରପୁର ଡିଏଭି କର୍ତ୍ତୃପକ୍ଷ ଆସନ୍ତା ୧୨ ତାରିଖରୁ ହେବାକୁ ଥିବା ପିରିଓଡିକ୍‌ ଆସେସମେଣ୍ଟକୁ ଅଫଲାଇନ୍‌ ମୋଡରେ କରିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନୋଟିସ୍‌ କରିଥିବା ଅଭିଯୋଗ ହୋଇଛି । ବହୁ ଦିନରୁ ସ୍କୁଲ ବନ୍ଦ ରହିଥିବାରୁ ଅଚାନକ ଅଫ୍‌ଲାଇନ୍‌ ପରୀକ୍ଷା ହେଲେ ଛାତ୍ରଛାତ୍ରୀ ଚାପର ବଶବର୍ତ୍ତୀ ହୋଇପାରନ୍ତି । ଅଫଲାଇନ୍‌ ପରୀକ୍ଷା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାର ଉଲ୍ଲଂଘନ ହୋଇଛି । ଏହାର ଜବାବ ଆସନ୍ତାକାଲି ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।

Leave A Reply

Your email address will not be published.