କୋଟିଆରେ ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବାକୁ ଆନ୍ଧ୍ରର ଷଡ଼ଯନ୍ତ୍ର :ପ୍ରାର୍ଥୀଙ୍କୁ ମାଗିଲା ଭୋଟର ତାଲିକା

18

ଓଡ଼ିଶା ସୀମାନ୍ତ କୋଟିଆ ଅଞ୍ଚଳରେ ଆନ୍ଧ୍ରର ପୁଣି ଦାଦା ଗିରି ଦେଖିବାକୁ ମିଳିଛି I ଓଡ଼ିଶାରେ ହେବାକୁଥିବା ପଂଚାୟତ ନିର୍ବାଚନକୁ ନେଇ ଆନ୍ଧ୍ର ର ମୁଣ୍ଡବିନ୍ଧା ଆରମ୍ଭ ହେଇଯାଇଛି I ତେଣୁ ନିର୍ବାଚନ କୁ ଭଂଡୁର କରିବା ପାଇଁ ଆନ୍ଧ୍ର ପ୍ରଶାସନ ଓ ପୁଲିସ ଧସେଇ ପଶି କୋଟିଆ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ତାଲିକା ମାଗିଛି । କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୧ ଖଣ୍ଡ ଗ୍ରାମପୁଞ୍ଜ ବିବାଦ ଘେରେର ରହିଛି। କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ରାଜ୍ୟ ସରକାର, ରାଜ୍ୟର ସର୍ବଦଳୀୟ ନେତାଙ୍କ ଅହରହ ଉଦ୍ୟମର କାଣିଚାଏ ପ୍ରଭାବ ପଡୋଶୀ ଆନ୍ଧ୍ର ସରକାର ତଥା ସେଠାକାର ଜିଲା ପ୍ରଶାସନ ଉପରେ ପଡୁ ନଥିବା ନଜରକୁ ଆସୁଛି। ଆନ୍ଧ୍ର ପ୍ରଶାସନ ବାରମ୍ବାର କୋଟିଆ ଗ୍ରାମପୁଞ୍ଜକୁ ଅନାଧିକାର ପ୍ରବେଶ କରୁଛି। ଓଡ଼ିଶା ସରକାର କୋଟିଆର ବିକାଶ କରୁଛନ୍ତି। ସ୍ବତନ୍ତ୍ର ଅନୁଦାନ ମାଧ୍ୟମରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରାଯାଉଛି। ସୀମାନ୍ତର କିଛି ଅଧିବାସୀ ଉଭୟ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ହାତେଇ ବିବାଦକୁ ଜଟିଳ କରିବାରେ ପଛାଉ ନାହାନ୍ତି। କିଛି ଦଲାଲ ସୀମା ବିବାଦକୁ ଆଳ କରି ନିରୀହ ଗରିବ ଲୋକଙ୍କୁ ବିଭିନ୍ନ ପ୍ରକାରର ମିଥ୍ୟା ପ୍ରଲୋଭନ ଦେଖାଇ ଓଡ଼ିଶା ବିରୋଧରେ ଚକ୍ରାନ୍ତ କରୁଛନ୍ତି। ସୀମାନ୍ତରେ ଓଡ଼ିଶା ସରକାରଙ୍କ ସମସ୍ତ ସହଯୋଗ ଓ ସୁବିଧା ଆନ୍ଧ୍ର ସରକାରଙ୍କ ତୁଳନାରେ ଯଥେଷ୍ଟ ନୁହେଁ ବୋଲି କହି ଆନ୍ଧ୍ର ସରକାରଙ୍କ ବିଜୟନଗରମ ଜିଲା ପ୍ରଶାସନ ଓ ସେମାନଙ୍କ ଦ୍ବାରା ନିୟୋଜିତ ଦଲାଲମାନେ ଲୋକଙ୍କୁ ମନରେ ବିଷ ଭରୁଛନ୍ତି।
ଚଳିତ ଥର ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ଆନ୍ଧ୍ର ଷଡ଼ଯନ୍ତ୍ର ଚଳାଇଛି। ସେଥିପାଇଁ କୋଟିଆର ବିବାଦୀୟ ଗ୍ରାମପୁଞ୍ଜରେ ଆନ୍ଧ୍ର ପକ୍ଷରୁ ୫୩୨ ଜଣ ହିତାଧିକାରୀଙ୍କୁ ମାଗଣା ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ତେନ୍ତୁଳିକୁ ଉଚିତ ବଜାର ଦରରେ ବିକ୍ରି କରିବାକୁ ପ୍ରଶିକ୍ଷଣ, ନିର୍ବାଚନରେ ପ୍ରତିଦ୍ବଦ୍ବିତା କରୁଥିବା ପ୍ରାର୍ଥୀଙ୍କୁ ପରୋକ୍ଷ ଧମକ ସାଙ୍ଗକୁ ଭୋଟ ବର୍ଜନ ପାଇଁ ମତାଯାଉଛି। ଅନ୍ୟପକ୍ଷରେ ଗତକାଲି ସାଲୁର ମଣ୍ଡଳ ପକ୍ଷରୁ କୋଟିଆ ପାଇଁ ନିୟୋଜିତ ପୁଲିସ ସର୍କଲ ଇନ୍ସପେକ୍ଟର ରୋହିନ ପାଥିଙ୍କ ନେତୃତ୍ବରେ ଏକ ପୁଲିସ ଦଳ ପଟାଙ୍ଗି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟ ସାର୍ଥକ ମିଶ୍ରଙ୍କୁ କାର୍ଯ୍ୟାଳୟରେ ଭେଟି କୋଟିଆ ପଞ୍ଚାୟତର ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ନାମ ତାଲିକା ମାଗୁଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମିଶ୍ର ସେ ସମସ୍ତ ନଥିପତ୍ର ଜିଲା ପ୍ରଶାସନ ନିକଟକୁ ପଠାଇ ଦେଇଥିବା କହି ଫେରାଇ ଦେଇଥିଲେ। ପଟାଙ୍ଗି ବ୍ଲକ କାର୍ଯ୍ୟାଳୟକୁ ଆସି ଆନ୍ଧ୍ର ପୁଲିସ ବିବାଦୀୟ କୋଟିଆ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ସଂକ୍ରାନ୍ତରେ ଖୋଲାଖୋଲି ଭାବେ ତଥ୍ୟ ସଂଗ୍ରହ କରିବା ସମସ୍ତଙ୍କୁ ଚକିତ କରିଛି। ଏଭଳି ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋକ୍ ଲଗାଯାଇପାରୁନି। ସୀମାନ୍ତ ପ୍ରଶାସନିକ ଅଧିକାରୀଙ୍କ ଦୁର୍ବଳ ଶାସନ ପାଇଁ ଆନ୍ଧ୍ର ନିଜର ଟାଣପଣ ବଢ଼ାଇ ଅନୁପ୍ରବେଶ ବୃଦ୍ଧି କରି ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି।

Leave A Reply

Your email address will not be published.