ଖୁବ୍ ଶୀଘ୍ର ଦେଶରେ ଖୋଲିବ ସ୍କୁଲ : କେନ୍ଦ୍ର ସରକାର ଜାରିକରିବେ ଗାଇଡଲାଇନ

23

ବିଦ୍ୟାଳୟଗୁଡ଼ିକୁ ଖୋଲିବା ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ ଗାଇଡଲାଇନ ଜାରି କରିପାରନ୍ତି। କୋଭିଡ କଟକଣା କୁ ଅନୁସରଣ କରି ଅଫଲାଇନ ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିବାର ଏକ ମଡେଲ ଉପରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି।
କରୋନା ମହାମାରୀ ପାଇଁ ୨୦୨୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପିଲାମାନେ ୨ ବର୍ଷରୁ ଅଧିକ ସମୟ ହରାଇ ସାରିଲେଣି । ଅନେକ ପିଲା ଆଦୌ ପାଠ ପଢ଼ି ପାରିନାହାନ୍ତି । କରୋନାର ଦ୍ୱିତୀୟ ଲହର ଯିବା ପରେ ସାରା ଦେଶରେ ବିଦ୍ୟାଳୟ ଖୋଲି ଯାଇଥିଲା । ହେଲେ ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆସିବା ଦ୍ୱାରା ପୁଣିଥରେ ସ୍କୁଲରେ ତାଲା ପଡ଼ିଗଲା । ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ମଡେଲ୍‌ ତିଆରି କରୁଛନ୍ତି ।
ସୂଚନାନୁସାରେ, ଅଭିଭାବକମାନେ ବିଦ୍ୟାଳୟ ଖୋଲିବାକୁ ଦାବି କରୁଥିବାରୁ କେନ୍ଦ୍ର ସରକାର କୋଭିଡ ସହ ଜଡିତ ସମସ୍ତ ପ୍ରୋଟୋକଲ ଅନୁସରଣ କରି ବିଦ୍ୟାଳୟ ଖୋଲିବା ପାଇଁ ଏକ ମଡେଲ ଉପରେ କାର୍ଯ୍ୟ କରୁଛନ୍ତି। ଏହି ମଡେଲ୍‌ ପ୍ରଚଳନ ହେଲେ ଶିକ୍ଷା ବ୍ୟବସ୍ଥା ପୁଣି ଟ୍ରାକ୍‌କୁ ଧୀରେ ଧୀରେ ଫେରିବ । ଆଉ ଅନ୍‌ଲାଇନ୍‌ ଶିକ୍ଷାଦାନର ଅସୁବିଧା ହେବନି । ବିଶେଷ କରି ୨ବର୍ଷରୁ ଅଧିକ ଦିନ ଧରି ଘରେ ରହିଥିବା ପ୍ରାଥମିକ ପିଲାମାନେ ସ୍କୁଲକୁ ଆସି ପଢ଼ିବେ । ଶିକ୍ଷାଗ୍ରହଣର କୋର୍ସ ଠିକ୍‌ ସମୟରେ ସରିବ ଆଉ ପରୀକ୍ଷା ହେବ ।ବର୍ତ୍ତମାନ କରୋନା ସଂକ୍ରମଣ ତଳମୁହାଁ ହେଉଥିବାେଳେ ସ୍କୁଲ ବନ୍ଦ କରିଥିବା ଅନେକ ରାଜ୍ୟ ପୁଣିଥରେ ସ୍କୁଲ ଖୋଲିଛନ୍ତି । ଆଉ କିଛି ଆଗକୁ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି ।

ଗତ ୨୪ ତାରିଖରୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାର ମହାରାଷ୍ଟ୍ରରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଯାଇଛି । ଆସନ୍ତା ୧ ଫେବ୍ରୁଆରିଠୁ ଦଶମରୁ ଦ୍ୱାଦଶ ଶ୍ରେଣୀ ଯାଏ ଖୋଲିବାକୁ ହରିୟାଣା ସରକାର ଘୋଷଣା କରିଛନ୍ତି । ଉତ୍ତରାଖଣ୍ଡରେ ୧୦ମରୁ ଦ୍ୱାଦଶ ଯାଏ ଅଫ୍‌ଲାଇନ୍‌ରେ ପିଲାଙ୍କୁ ଶିକ୍ଷା ଦିଆଯାଉଛି । ସେହିପରି କେରଳରେ ଦଶମରୁ ଦ୍ୱାଦଶ ଶ୍ରେଣୀରେ ଟିକା ନେଇଥିବା ପିଲାମାନେ ଅଫ୍‌ଲାଇନ୍‌ରେ କ୍ଲାସ୍‌ କରିବାକୁ ଅନୁମତି ଦିଆଯାଇଛି ।
ଉଲ୍ଲେଖନୀୟ ବିଷୟ ହେଉଛି, ଅନ୍ୟ କେତେକ ରାଜ୍ୟରେ ମଧ୍ୟ ସ୍କୁଲ ଖୋଲିବାକୁ ଦାବି ହେଉଥିବାବେଳେ,କରୋନା ସମ୍ପୂର୍ଣ୍ଣ ଭାବରେ କମି ନ ଥିବାରୁ ପୁଣି ସଂକ୍ରମଣ ବଢିବା ଆଶଙ୍କା କରି କେତେକ ଅଭିଵାବକ ବିଭାଗ ଅନଲାଇନ୍ କ୍ଲାସ୍ ଜାରି ରଖିବା ସପକ୍ଷରେ ମତ ଦେଇଛନ୍ତି I

Leave A Reply

Your email address will not be published.