ଘୋଷଣା ହେଲା ପଞ୍ଚାୟତ ନିର୍ବାଚନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା: ରାଜ୍ୟରେ ୧୨୬ ସରପଞ୍ଚ ଓ ୩୨୬ ସମିତି ସଭ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

24

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ ନିର୍ବାଚନ ରଣକ୍ଷେତ୍ରରେ ବିନା ଲଢେଇରେ ମୋଟ ୩୬୯୭୬ଟି ଆସନରେ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ସେଥିମଧ୍ୟରୁ ୩୬ହଜାର ୫୨୩ ଜଣ ଓ୍ଵାର୍ଡ ମେମ୍ବର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ଥିବାବେଳେ ୧୨୬ ସରପଞ୍ଚ, ୩୨୬ ସମିତି ସଭ୍ୟ ବି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏସବୁ ସ୍ଥାନରେ ଜଣେ ଲେଖାଏ ପ୍ରାର୍ଥୀ ରହିଥିବାରୁ ନିର୍ବାଚନ କମିଶନଙ୍କୁ ଆଉ ଭୋଟ ଗ୍ରହଣ କରିବାକୁ ପଡ଼ିନାହିଁ । କମିଶନ ଏସବୁ ସ୍ଥାନରେ ଥିବା ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି । ସେହିପରି ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ଦୁଇ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ଆସନରେ ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଓହରି ଯିବାରୁ ସେଠାରେ ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ ସରପଞ୍ଚ ଓ ୨୩ ଓ୍ଵାର୍ଡ ମେମ୍ବର ପଦ ପାଇଁ ଆସନ୍ତାବର୍ଷ ନିର୍ବାଚନ ହେବ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ପଂଚାୟତ ନିର୍ବାଚନରେ ଚଳିତଥର ମୋଟ ୨ଲକ୍ଷ ୨୯ହଜାର ୦୬୨ଜଣ ପ୍ରାର୍ଥୀ ବିଭିନ୍ନ ପଦବୀ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ରାଜ୍ୟର ମୋଟ ୨କୋଟି ୭୯ଲକ୍ଷ ୩୫ହଜାର ୫୨୫ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।

Leave A Reply

Your email address will not be published.