ସୁରେଖା ପଲେଇ ମୃତ୍ୟୁ ମାମଲା : ୩ ଅଭିଯୁକ୍ତ ଗିରଫ
ପାଞ୍ଚ ଦିନ ର ଛକାପଞ୍ଝା ପରେ ଭରତପୁର ତାରିଣୀ ବସ୍ତିରେ ଘଟିଥିବା ସୁରେଖା ପଲେଇ ମୃତ୍ୟୁ ମାମଲା ରେ ୩ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଭରତପୁର ପୋଲିସ I ଅଭିଯୁକ୍ତ ମାନଙ୍କ ମଧ୍ୟରେ ଯୁବତୀଙ୍କ ବୟଫ୍ରେଣ୍ଡ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ନୟାଗଡ଼ ରୁ ଗିରଫ କରାଯାଇଛି । ଏହି ୩ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବା ପୋଲିସ ସୂତ୍ରରୁ ପ୍ରକାଶ I ଶ୍ବାସରୁଦ୍ଧ ହେବାରୁ ସୁରେଖାଙ୍କ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଆପାତତଃ ସ୍ପଷ୍ଟ ହୋଇଛି । ମାତ୍ର ଶ୍ବାସରୁଦ୍ଧର କାରଣ ବାବଦରେ କିଛି ସ୍ପଷ୍ଟ ହୋଇନାହିଁ । ତେଣୁ ଶବ ବ୍ୟବଚ୍ଛେଦ କରିଥିବା ଭୁବନେଶ୍ବର ଏମ୍ସର ଏଫ୍ଏମ୍ଟି ବିଭାଗର ଏକ ଟିମ୍ ସୁରେଖାଙ୍କ ଭଡ଼ା ଘରକୁ ଆସି ତଦନ୍ତ କରି ଫେରିଛି । ଏହି ଟିମ୍ ସହିତ ପୁଲିସର ଫରେନ୍ସିକ୍ ଟିମ୍ ମଧ୍ୟ ସେଠାରେ ଉପସ୍ଥିତ ରହି ପୁଣି ଛାନ୍ଭିନ୍ କରିଛି ।
ସୂଚନା ଅନୁସାରେ ଗତ ରବିବାର ରାତିରେ ମୃତ ସୁରେଖା ଏବଂ ତାଙ୍କ ଘର ସାମ୍ନାରେ ରହୁଥିବା ତାଙ୍କ ପୁଋଷବନ୍ଧୁ ଙ୍କ ସହିତ ଅନ୍ୟ ଦୁଇ ସାଙ୍ଗ ମିଶି ଭୋଜି କରି ଖାଇଥିଲେ I ମୃତ ସୁରେଖା ତାଙ୍କ ବୟଫ୍ରେଣ୍ଡ ବିଶ୍ୱଜିତଙ୍କୁ ଏକତରଫା ପ୍ରେମ କରୁଥିଲେ। ହେଲେ ସୁରେଖା ବାରମ୍ବାର ବିଶ୍ୱଜିତକୁ ବିବାହ କରିବାକୁ ଜିଦ୍ ଧରି ବସୁଥିଲା। ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଘଟଣା ଦିନ ରାତିରେ ଉଭୟଙ୍କ କଥା କଟା କଟି ହୋଇଥିଲା। ସମସ୍ତେ ଖାଇ ସାରି ଶୋଇବା ପରେ ୩ଜଣଙ୍କୁ ବାହାରପଟୁ କବାଟ ଦେଇଥିଲେ ସୁରେଖା। ଯାହା ପରେ ସେ ବିଶ୍ୱଜିତ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ତେବେ ଘଟଣା ପରେ ତିନି ଅଭିଯୁକ୍ତ ମୃତଦେହକୁ ବିଶ୍ୱଜିତ ଘରୁ ବାହାର କରି ସୁରେଖାଙ୍କ ଘର ଆଗରେ ରଖିଥିଲେ। ଏହାପରେ ପାରିପାର୍ଶ୍ୱିକ ପ୍ରମାଣକୁ ନଷ୍ଟ କରି ୩ ଜଣ ଯାକ ନୟାଗଡ଼ ପଳେଇ ଯାଇଥିବା ପୁଲିସ ସୂଚନା ଦେଇଛି। ଘଟଣା ପରେ ଫେରାର୍ ଥିବା ତିନି ଅଭିଯୁକ୍ତଙ୍କୁ ଭରତପୁର ପୁଲିସ୍ ଆଜି ନୟାଗଡରୁ ଗିରଫ କରିଛି। ଗିରଫ ପରେ ତିନି ଜଣଙ୍କୁ ନେଇ ପୁଲିସ୍ କ୍ରାଇମ୍ ସିନ୍ ରିକ୍ରେସନ୍ କରିଛି । ପୋଲିସ ପକ୍ଷରୁ ସେମାନଙ୍କୁ ଘନଘନ ଜେରା କରାଯାଉଛି ,କିନ୍ତୁ ସେମାନଙ୍କ କଥାରେ ତାଳମେଳ ରହୁ ନଥିବାରୁ ଆଜି ପୁଣି ପୁଲିସ ଡାକ୍ତରୀ ଦଳକୁ ନେଇ ସୁରେଖାଙ୍କ ଭଡ଼ା ଘରେ ଛାନଭିନ୍ କରିଛି ।ତେବେ ବର୍ତ୍ତମାନ ଯାଏ ଏହି ଘଟଣା ହତ୍ୟା ନ ଆତ୍ମହତ୍ୟା ପୁଲିସ ଏହା ସ୍ପଷ୍ଟ କରୁନାହିଁ । ଅନ୍ୟପକ୍ଷରେ କାଳେ ସୁରେଖା କୌଣସି କଥାକୁ ଜିଦ୍ କରି ନିଜ ବେକରେ ନିଜେ ଓଢ଼ଣି ବାନ୍ଧିବାରୁ ଶ୍ବାସରୁଦ୍ଧ ହୋଇଛି, ତା’କୁ ନେଇ ମଧ୍ୟ ସନ୍ଦେହ ରହିଛି ।