ଓମିକ୍ରନ ଭୟ :ଦିଲ୍ଲୀରେ ଲାଗୁ ହେଲା ୟେଲୋ ୱାର୍ଣ୍ଣିଂ, ସିନେମା ହଲ୍ , ଶିକ୍ଷାନୁଷ୍ଠାନ ବନ୍ଦ ,ଯୁଗ୍ମ-ଅଯୁଗ୍ମ ନିୟମ ଅନୁସାରେ ଦୋକାନ ଖୋଲିବ
ଦିଲ୍ଲୀରେ ଓମିକ୍ରନ ସଂକ୍ରମଣ ବଢ଼ୁଥିବାରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ସରକାର ୟେଲୋ ୱାର୍ଣ୍ଣିଂ ଜାରି କରିଛନ୍ତି। ଏହା ସହ କିଛି ନୂଆ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନୂଆ କଟକଣା ଅନୁସାରେ ମେଟ୍ରୋରେ ୫୦ ପ୍ରତିଶତ ଲୋକ ଯାତାୟତ କରିପାରିବେ। ବିଦ୍ୟାଳୟ, ମହାବିଦ୍ୟାଳୟ, କୋଚିଙ୍ଗ ସେଣ୍ଟର ସହିତ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ । ବାହାଘର, ଅନ୍ତିମ ସଂସ୍କାର ଭଳି କାର୍ଯ୍ୟକ୍ରମରେ ୨୦ ଜଣରୁ ଅଧିକ ଲୋକ ଯୋଗ ଦେଇପାରିବେ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡ଼ିକ ଯୁଗ୍ମ-ଅଯୁଗ୍ମ ନିୟମ ଅନୁସାରେ ଖୋଲିବ। କେଜିରୱାଲ ସରକାର ଏନେଇ ନୂଆ ନିୟମ ଜାରି କରିଛନ୍ତି ।
ଦିଲ୍ଲୀର ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ନିମ୍ନୋକ୍ତ ନୂଆ କଟକଣା ଲାଗୁ କରାଯାଇଛି :~
- ଦିଲ୍ଲୀରେ ରାତ୍ରି କାଳୀନ କର୍ଫ୍ୟୁ ରାତି ୧୦ଟାରୁ ଆରମ୍ଭ ହୋଇ ସକାଳ ୫ ଟାରେ ସରିବ।
- ସପ୍ତାହନ୍ତ କର୍ଫ୍ୟୁ ରହିବ ନାହିଁ
- ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଓ ସପିଂମଲ ଯୁଗ୍ମ ଅଯୁଗ୍ମ ନିୟମରେ ସକାଳ ୧୦ଟାରୁ ରାତି ୮ଟା ଯାଏଁ ଖୋଲିବ
- ନିର୍ମାଣ କାର୍ଯ୍ୟ ଚାଲୁରହିବା ସହ ଶିଳ୍ପ ଉଦ୍ୟୋଗ ଖୋଲା ରହିବ
- ରେଷ୍ଟୁରାଣ୍ଟ, ଦିଲ୍ଲୀ ମେଟ୍ରୋ ଓ ବାର୍ରେ ୫୦ପ୍ରତିଶତ ଲୋକଙ୍କୁ ଅନୁମତି ମିଳିବ।
- ବେଙ୍କୁଏଟ ହଲ ଓ ଅଡିଟୋରିୟମ ବନ୍ଦ ରହିବ ।
- ସେଲୁନ ଓ ବିଉଟି ପାର୍ଲର ବନ୍ଦ ରହିବ।
- ସ୍ପା, ଜିମ, ଯୋଗ କେନ୍ଦ୍ର, ଏଣ୍ଟରଟେନମେଣ୍ଟ ପାର୍କ ବନ୍ଦ ରହିବ।
- ଦିଲ୍ଲୀରୁ ଅନ୍ୟ ରାଜ୍ୟକୁ ଯାଉଥିବା ବସରେ ୫୦ପ୍ରତିଶତ ଯାତ୍ରୀଙ୍କୁ ଯିବା ପାଇଁ ଅନୁମତି ମିଳିବ।
- ଅଟୋ, ଇ-ରିକ୍ସା, ଟ୍ୟାକ୍ସି ଓ ସାଇକେଲ ରିକ୍ସାରେ ଦୁଇଜଣ ବସିପାରିବେ।
- ସ୍ପୋଟସ କମ୍ପ୍ଲେକ୍ସ ,ଷ୍ଟାଡିୟମ ସ୍ୱିମିଙ୍ଗ ପୁଲ ବନ୍ଦ ରହିବ।
- ପବ୍ଲିକ ପାର୍କ ଖୋଲା ରହିବ।
- ସାମାଜିକ, ରାଜନୈତିକ ଓ ଧାର୍ମିକ କାର୍ଯ୍ୟ ବନ୍ଦ ରହିବ
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଗତ ଦୁଇ ଦିନ ଧରି ଦିଲ୍ଲୀରେ କୋଭିଡ -୧୯ ର ସଂକ୍ରମଣ ହାର 0.୫ । ପ୍ରତିଶତ ରୁ ଅଧିକ ରହିଛି । ଦିଲ୍ଲୀରେ ରବିବାର ଦିନ ୨୯୦ ଟି କରୋନା ଭାଇରସ ଏବଂ ସୋମବାର ୩୩୧ ଟି ନୂଆ ମାମଲା ରୁଜୁ ହୋଇଥିଲା । ତେଣୁ ଏଭଳି ଅବସ୍ଥାରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଉଛି I