ଓମିକ୍ରନ୍ ଭୟ :ଘୁଞ୍ଚିପାରେ ୟୁପି ବିଧାନସଭା ନିର୍ବାଚନ,ଆହ୍ଲାବାଦ ହାଇକୋର୍ଟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଲେ ଅନୁରୋଧ

16

କୋଭିଡ୍ -୧୯ ନୂତନ ପ୍ରକାର ଓମିକ୍ରନ୍ ଜନିତ ଦେଶରେ ବଢୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି ଆହ୍ଲାବାଦ ହାଇକୋର୍ଟ ୟୁପି ବିଧାନସଭା ନିର୍ବାଚନ ୨୦୨୨ କୁ ସ୍ଥଗିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟରେ ନିର୍ବାଚନ ରାଲି ଏବଂ ବୈଠକ ବନ୍ଦ କରିବାକୁ କଠୋର ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି। କରୋନାର ସମ୍ଭାବ୍ୟ ତୃତୀୟ ଲହର ସମୟରେ ନିର୍ବାଚନ ରାଲିରେ ଜମୁଥିବା ଭିଡକୁ ଦେଖି ଚିନ୍ତିତ ଆହ୍ଲାବାଦ ହାଇକୋର୍ଟ। ନୂତନ ଭାରିଆଣ୍ଟ ଓମିକ୍ରନର ବଢୁଥିବା ମାମଲାକୁ ଦେଖି ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ଗୁରୁବାର ପ୍ରଧାନମନ୍ତ୍ରୀ ଏବଂ ନିର୍ବାଚନ ଆୟୋଗଙ୍କୁ ୟୁପି ବିଧାନସଭା ନିର୍ବାଚନ କିଛି ସମୟ ପାଇଁ ଘୁଞ୍ଚାଇବାକୁ ଅପିଲ୍ କରିଛନ୍ତି। ଅପିଲ ରେ କୁହାଯାଇଛି କରୋନାର ତୃତୀୟ ଲହରରୁ ଲୋକଙ୍କୁ ବଞ୍ଚାଇବା ପାଇଁ ରାଜନୈତିକ ଦଳ ଗୁଡିକର ରାଲି ଉପରେ ରୋକ୍ ଲଗାଯାଉ।

ହାଇକୋର୍ଟ କହିଛନ୍ତି, ନିର୍ବାଚନ ରାଲିରେ ଜମୁଥିବା ଭିଡ କରୋନା ଦୃଷ୍ଟିରୁ ବହୁତ ଘାତକ। ହାଇକୋର୍ଟ ରାଲି ଆୟୋଜନକୁ ନେଇ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଭର୍ଚୁଆଲ ମାଧ୍ୟମରେ ରାଲି କରିବା ଉପରେ ବିଚାର କରିବା ଉଚିତ୍ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି। ପ୍ରଧାନମନ୍ତ୍ରୀ ରାଜନୈତିକ ଦଳଗୁଡିକର ନିର୍ବାଚନୀ ସଭା ଏବଂ ରାଲି ଉପରେ ରୋକ୍ ଲଗାଇବା ପାଇଁ କଡା ପଦକ୍ଷେପ ଉଠାନ୍ତୁ। ପ୍ରଧାନମନ୍ତ୍ରୀ ନିର୍ବାଚନ ଘୁଞ୍ଚାଇବା ଉପରେ ମଧ୍ୟ ବିଚାର କରନ୍ତୁ, କାରଣ ଜୀବନ ଅଛି ସବୁ ଅଛି ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି।

କୋର୍ଟ କହିଛନ୍ତି, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ନିକଟତର ହେଉଛି। ସମସ୍ତ ରାଜନୈତିକ ଦଳ ରାଲି, ସଭା ଏବଂ ଅନେକ କାମ ପାଇଁ ଭିଡ ଜୁଟାଉଛନ୍ତି। ଏହି ସବୁ ରାଲିଗୁଡିକରେ କରୋନା ନିୟମ ପାଳନ କରିବା ସମ୍ଭବ ନୁହେଁ। ତେଣୁ ସମୟ ପୂର୍ବରୁ ଏସବୁ ରୋକାଯାଉ, ନଚେତ୍ ପରିଣାମ ଦ୍ଵିତୀୟ ଲହରଠୁ ବି ଅଧିକ ଭୟଙ୍କର ହୋଇପାରେ ବୋଲି ଉଚ୍ଚ ନ୍ୟାୟାଳୟ ଚେତାଇ ଦେଇଛନ୍ତି।

Leave A Reply

Your email address will not be published.